ଅଧ୍ୟାୟ ୨ : ଭୂୟାଁ ମେଳିର ସର୍ଦ୍ଦାର ରତନା ନାୟକ ଓ ମାଦ୍ରି କାଲୋ

ସର୍ଦ୍ଦାର ରତନା ନାୟକ

ସର୍ଦ୍ଦାର ରତନା ନାୟକ

ଉନବିଂଶ ଶତାବ୍ଦୀରେ ବିଦେଶୀ ଆର୍ଯ୍ୟ ଓ ଇଂରେଜମାନଙ୍କ ମିଳିତ ସାମ୍ରାଜ୍ୟବାଦୀ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ସମଗ୍ର ଓଡିଶାର ମୂଳନିବାସୀ ଆଦିବାସୀମାନେ ମେଳି କରି ସଶସ୍ତ୍ର ସଂଗ୍ରାମ ଚଳାଇଥିଲେ । ଘୁମୁସର-କନ୍ଧମାଳ -କଳାହାଣ୍ଡି ଅଞ୍ଚଳର କନ୍ଧମେଳି ପରି କେନ୍ଦୁଝର, ସୁନ୍ଦରଗଡ଼ ଅଞ୍ଚଳରେ ଭୂୟାଁ ମେଳି ମହାସଂଗ୍ରାମ କରିଥିଲା । ସେହି ଭୂୟାଁ ମେଳିର ସର୍ଦ୍ଦାର କେନ୍ଦୁଝର ରତ୍ନ ରତନା ନାୟକ ଥିଲେ ପ୍ରବଳ ପ୍ରତାପୀ, ନିର୍ଭୀକ ଓ ସ୍ୱାଭିମାନୀ । ୧୮୨୧ ମସିହା ଫେବୃଆରୀ ମାସରେ ସେ ଏକ ଆଦିବାସୀ ଭୂୟାଁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୮୦୪ ରୁ କେନ୍ଦୁଝର ଗଡକୁ ଆୟତ୍ତ କରି ୧୮୪୪ ମସିହା ପର୍ଯ୍ୟନ୍ତ ଇଂରେଜମାନେ ରାଜା ଗଦାଧର ଭଞ୍ଜଙ୍କ ସହ ମିଳିତ ଷଡଯନ୍ତ୍ର କରି ସରଳ ନୀରିହ ପ୍ରଜାମାନଙ୍କୁ ପ୍ରବଳ ମାତ୍ରାରେ ଶୋଷଣ କରି ଚାଲିଥଲେ । ରାଜକୋଷ ବୃଦ୍ଧି ପାଇଁ କର ବୃଦ୍ଧି, ବେଠି, ରସଦ ପ୍ରଥା ପ୍ରଚଳନ କରାଯାଇଥିଲା ଓ ଅଜସ୍ର ରାଜକୋଷ କେବଳ ରାଜ କର୍ମଚାରୀଙ୍କ ମଉଜମଜ୍ଲିସରେ ଖର୍ଚ୍ଚ କରାଗଲା । ଏଥିପାଇଁ କେନ୍ଦୁଝର ଗଡ଼ରେ ବାରମ୍ବାର ବିଦ୍ରୋହର ନିଆଁ ଜଳି ଉଠିଲା । ସେହି ବିଦ୍ରୋହର ନିଆଁ ଜାଳିବାରେ ସର୍ବାଗ୍ରେ ଥିଲେ ଭୂୟାଁ ମେଳିର ସର୍ଦ୍ଦାରମାନେ । ତତ୍କାଳୀନ କେନ୍ଦୁଝର ଗଡ଼ର କମିଶନର ଥାଆନ୍ତି ମିଷ୍ଟର ମିଲସ୍ ସାହେବ । ସେ ଭୂୟାଁ ମେଳିର ସର୍ଦ୍ଦାର ରତନା ନାୟକଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଭୂୟାଁ, ବାଥୁଡି, କୋହ୍ଲ ଓ ଅନ୍ୟାନ୍ୟ ମୂଳନିବାସୀମାନଙ୍କର ବିରାଟ ମେଳିକୁ ଦେଖି ପ୍ରମାଦ ଗଣିଲେ । ଭୂମିପୁତ୍ର ବୀର ରତନା ନାୟକଙ୍କ ଆହ୍ୱାନ କ୍ରମେ ବେଠି ଖଟିବା, ଜମିକର ଦେବା, ଆତ୍ୟାଚାରୀ ରାଜତନ୍ତ୍ରକୁ ମୁଣ୍ଡପାତି ସହିଯିବା ପାଇଁ ପ୍ରଜାମେଳି ଅମାନ୍ୟ କଲା । ଓଡିଶା ଇତିହାସରେ ଅତ୍ୟାଚାରୀ ରାଜତନ୍ତ୍ରକୁ ଉପାଡି ଫିଙ୍ଗିଦେବା ପାଇଁ ସଶସ୍ତ୍ର ବିଦ୍ରୋହ କରିବାରେ ସର୍ଦ୍ଦାର ରତନା ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ।

୧୮୪୮ ମସିହାରେ ପ୍ରଥମ ଥର ପାଇଁ ସର୍ଦ୍ଦାର ରତନା ନାୟକଙ୍କ ନେତୃଦ୍ୱରେ ଭୂୟାଁମେଳି ଓ ଶକ୍ତିଶାଳୀ ଇଂରେଜ ସେନା ମୁହାଁମୁହିଁ ହେଲେ । ରତନାଙ୍କ ଅପୂର୍ବ ରଣକୌଶଳ ଓ ଗରିଳା ଯୁଦ୍ଧ ନୀତି ଦ୍ୱାରା ବହୁ ଇଂରେଜ ସୈନ୍ୟ ନିହତ ହେଲେ । ଅକ୍ଲାନ୍ତ ପରିଶ୍ରମ କରି ଇଂରେଜ ଫଉଜ ରତନାଙ୍କୁ ଗିରଫ କଲେ । ମାତ୍ର ତିନି ଦିନ ଜେଲ୍ରେ ରହି ସର୍ଦ୍ଦାର ରତନା ଜେଲରୁ ଉପାୟ କୌଶଳ କରି ଖସିଯାଇଥିଲେ । ଅପମାନର ଜ୍ୱାଳା ତାଙ୍କୁ ବିବ୍ରତ କରିପକାଉଥାଏ । ତାଙ୍କ ସମ୍ମୁଖରେ ଜଳଜଳ ଦିଶୁଥାଏ ସବୁ ବିଦ୍ରୋହର ଦୃଶ୍ୟ, ଗୋଟିଏ ପଟେ ମୂଳନିବାସୀ ନ୍ୟାର୍ଯ୍ୟ ଅଧିକାର ଓ ଅନ୍ୟପଟେ ରାଜତନ୍ତ୍ର ଏବଂ ଇଂରେଜ ସରକାରଙ୍କ ମିଳିତ ଅତ୍ୟାଚାର । ଦୀର୍ଘ ସମୟ ଧରି ସେ ଘଞ୍ଚ ଜଙ୍ଗଲରେ ଲୁଚିଛପି ଆଦିବାସୀ ନବଯୁବକ ଯୁବତୀମାନଙ୍କୁ ଗରିଳାଯୁଦ୍ଧର ପ୍ରଶିକ୍ଷଣ ଦେବା ଆରମ୍ଭ କଲେ । ୧୮୬୮ ମସିହା ଏପ୍ରିଲ ୧୨ ତାରିଖ ଦିନ ସର୍ଦ୍ଦାର ରତନା ନାୟକ ପୁଣିଥରେ ରାଜତନ୍ତ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ସେଦିନ ଭୂୟାଁ ମେଳିର ସର୍ଦ୍ଦାର ରତନାଙ୍କ ଯୁଦ୍ଧଂଦେହୀ ଡାକରାରେ ଥରି ଉଠିଥିଲେ କେନ୍ଦୁଝର ଗଡ଼ର ସମସ୍ତ ଶାସକ, ଅମଳା, ରାଜାଙ୍କର ସୈନ୍ୟସାମନ୍ତ ଓ ସ୍ୱୟଂ ରାଜପରିବାର । ସେଦିନ ସର୍ଦ୍ଦାରମାନେ ଅନ୍ୟାୟୀ ଅତ୍ୟାଚାରୀ ପ୍ରଜାଶୋଷଣକାରୀ ରାଜନନ୍ତ୍ରକୁ ମୂଳୋତ୍ପାଟନ କରିବାପାଇଁ ଶପଥ ନେଇଥିଲେ । ଯାହା ଫଳରେ ଶହ ଶହ ମୂଳନିବାସୀ ବିଦ୍ରୋହୀମାନେ ବିଭିନ୍ନ ସରକାରୀ ଦପ୍ତର, ଅମଳା ମନ୍ତ୍ରୀଙ୍କ ଗୃହ ଲୁଣ୍ଠନ କରିବା ସହ ରାଜକର୍ମଚାରୀ ଓ ଇଂରେଜ ସୈନ୍ୟମାନଙ୍କୁ ଲହୁଲୁହାଣ କରିପକାଇଥିଲେ । ପ୍ରାଣ ବିକଳରେ ରାଜା ଧନୁର୍ଜୟ ନାରାୟଣ ଇଂରେଜ କମିଶନରଙ୍କ ପାଖରେ ଶରଣ ପଶିଲେ । କମିଶନର ରେଭେନ୍ସା ସାହେବ ଭଲଭାବରେ ଆକଳନ କରିପାରିଥିଲେ ସର୍ଦ୍ଦାର ରତନା ନାୟକଙ୍କ କ୍ରାନ୍ତିକାରୀ ନେତୃତ୍ୱ ଓ ଭୂୟାଁ ମେଳିର ସଂଗଠିତ ଶକ୍ତିକୁ । ସେଥିପାଇଁ ସେ ରାଜା ଧନୁର୍ଜୟକୁ ପଡୋଶୀ ରାଜ୍ୟ ବଣାଇ, ପାଲଲହଡା, ଢ଼େଙ୍କାନାଳର ରାଜା ଓ ପାଇକମାନଙ୍କ ସୈନ୍ୟ ସହଯୋଗ ସମର୍ଥନ ପାଇଁ ପରାମର୍ଶ ଦେଲେ । କେବଳ ଇଂରେଜ ସେନାବାହିନୀଙ୍କ ଦ୍ୱାରା ଭୂୟାଁ ମେଳିକୁ ଦମନ କରିବା ଅସମ୍ଭବ ବୋଲି ସେ ମନ୍ତବ୍ୟ ଦେଇଥିଲେ । କମିଶନରଙ୍କ ପରାମର୍ଶ କ୍ରମେ ରାଜା ଧନୁର୍ଜୟ ପଡୋଶୀ ରାଜ୍ୟର ରାଜାମାନଙ୍କ ସହାୟତାରେ ଭୂୟାଁ ମେଳିକୁ ଦମନ କରିବା ପାଇଁ ଚେଷ୍ଟା କଲେ । ଇଂରେଜ ସରକାରଙ୍କ ଆଦେଶ ପାଇ ପଡୋଶୀ ରାଜାମାନେ ସୈନ୍ୟ ପଠାଇଲେ । ଇଂରେଜ ଓ ରାଜସେନାଙ୍କ ମିଳିତ ଆକ୍ରମଣରେ ଅନେକ ଭୂୟାଁମେଳିର ମୂଳନିବାସୀ ଯୋଦ୍ଧାମାନେ ବୀରଗତିକୁ ପ୍ରାପ୍ତ ହେଲେ । ମାତ୍ର ସଂଗ୍ରାମୀ ରତନା ନାୟକଙ୍କ ଏକମାତ୍ର ନାରା ଥିଲା – “ରାଜତନ୍ତ୍ର ଚଳିବ ନାହିଁ, ଇଂରେଜ ଶାସନ ଚଳିବ ନାହିଁ ” । ବିଦ୍ରୋହର ଅଗ୍ନିଶିଖା ଦିନକୁଦିନ ଆକାଶ ଛୁଆଁ ହେଉଥିଲା । ଗରିଳା ଯୁଦ୍ଧରେ ସର୍ଦ୍ଦାର ରତନା ନାୟକଙ୍କୁ ସହଯୋଗ କରୁଥାନ୍ତି ନନ୍ଦ ନାୟକ, ବାବୁ ପ୍ରଧାନ, ଦାଶରଥି କୁଅଁର, ଟୁନି ସିଂ, ପଦ୍ମା ପରି ଶକ୍ତିଶାଳୀ ମୂଳନିବାସୀ ସର୍ଦ୍ଦାର ମାନେ । ବିଦ୍ରୋହୀମାନଙ୍କ ପାଖରେ ନ ଥିଲା କିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିମ୍ବା ଖାଦ୍ୟ ପଦାର୍ଥ । ବହୁଦିନ ଧରି ଯୁଦ୍ଧ ଚାଲିଲା ପରେ ଗୁପ୍ତଚର ବାହିନୀଙ୍କ ସହାୟତାରେ ଇଂରେଜମାନେ ଭୂୟାଁମେଳିର ସର୍ଦ୍ଦାର ରତନା ନାୟକଙ୍କୁ ବନ୍ଦୀ କଲେ । ସେଦିନ ଥିଲା ୧୮୬୮ ମସିହା ଅଗଷ୍ଟ ୧୫ ତାରିଖ । ପାଲଲହଡାର କ୍ଷମତାଲୋଭୀ ରାଜା ସର୍ଦ୍ଦାର ରତନା ନାୟକଙ୍କୁ କୌଶଳ କ୍ରମେ ଇଂରେଜମାନଙ୍କ ହାତରେ ଧରାଇ ଦେଇଥିଲେ । କୋର୍ଟରେ ବିଚାର କରି ଇଂରେଜ କମିଶନର ରେଭେନ୍ସା ସାହେବ ୧୮୩ ଜଣ ଭୂୟାଁ ମେଳିର ବିଦ୍ରୋହୀମାନଙ୍କୁ କାରାଦଣ୍ଡରେ ଦଣ୍ଡିତ କଲେ । ୧୮୬୮ ମସିହା ନଭେମ୍ବର ୩୦ ତାରିଖ ଦିନ ସର୍ଦ୍ଦାର ବୀର ରତନା ନାୟକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା ସତ ହେଲେ ଅଦମ୍ୟ ସାହସ ଓ ନିର୍ଭୀକ ଦେଶଭକ୍ତି ପାଇଁ ଚିର ଅମର ହୋଇଗଲେ ଭୂୟାଁ ମେଳିର ସର୍ଦ୍ଦାର ରତନା ନାୟକ ।

ସର୍ଦ୍ଦାର ମାଦ୍ରି କାଲୋ

ସର୍ଦ୍ଦାର ମାଦ୍ରି କାଲୋ

କେନ୍ଦୁଝର ଭୁୟାଁମେଳି ପରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପାହାଡ ପର୍ବତ ଘେରା ଘଞ୍ଚ ଜଙ୍ଗଲରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ମୂଳନିବାସୀ ଭୂୟାଁ ମାନେ ମେଳି କରିବା ଆରମ୍ଭ କରିଦେଇଥିଲେ । ଆଧୁନିକ ସୁନ୍ଦରଗଡ଼ ଜିଲ୍ଲା ତତ୍କାଳୀନ ବ୍ରିଟିଶ ଶାସନ କାଳରେ ସିଂହଭୂମ ଓ ଗାଙ୍ଗପୁର ରାଜ୍ୟ ଅନ୍ତର୍ଗତ ଥିଲା । ସିଂହଭୂମ ଓ ଗାଙ୍ଗପୁର ରାଜ୍ୟ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଆଦିବାସୀ ମୂଳନିବାସୀ ବହୁଳ ରାଜ୍ୟ ଥିଲା । ଏହି ରାଜ୍ୟରେ ଆଧିକାଂଶ ପ୍ରଜା ମୁଣ୍ଡା, ଓରାଓଁ, ଖଡିଆ, କିସାନ ଓ ଭୂୟାଁ ସମ୍ପ୍ରଦାୟର ଥିଲେ । ଉଲ୍ଗୁଲାନର ଜନକ  କ୍ରାନ୍ତିବୀର ବିର୍ସା ମୁଣ୍ଡାଙ୍କ ସମସାମୟିକ ଥିଲେ ଭୂୟାଁ ମେଳିର ସର୍ଦ୍ଦାର ମାଦ୍ରି କାଲୋ । ସର୍ଦ୍ଦାର ରତନା ନାୟକଙ୍କ କ୍ରାନ୍ତିକାରୀ ଆହ୍ୱାନ କେନ୍ଦୁଝର ଗଡ଼ରେ ବିଦେଶୀ ଶାସକ ଇଂରେଜମାନଙ୍କୁ ଯେପରି ଥରହର କରିଦେଇଥିଲା ଠିକ୍ ସେହିପରି ଗାଙ୍ଗପୁର ରାଜ୍ୟରେ ମାଦ୍ରି କାଲୋ ଭୂୟାଁ ମେଳିର ନେତୃତ୍ୱ ନେଇଥିଲେ । ୧୮୪୯ ମସିହାରେ ବଡ ଗାଁ ନିକଟସ୍ଥ ପାହାଡ ପର୍ବତ ଘେରା କୁରେଇବଗା ଗାଁରେ ମାଦ୍ରି କାଲୋ ଜନ୍ମଗ୍ରହଣ କରିଥିଲେ । ଭୂୟାଁମାନଙ୍କ ମୁଖିଆ ଲକ୍ଷ୍ମଣ କାଲୋ ଓ ମାତା ହାରାବତୀଙ୍କ ଗେହ୍ଲାପୁଅ ଥିଲେ ମାଦ୍ରି । ମହାବୀର ପର୍ବତ ପାଦଦେଶରେ ଗଢ଼ିଉଠିଥିଲା କୁରେଇବଗା ଗାଁ । ଆଦିବାସୀ ଭୂୟାଁ ମୁଖିଆ ଘରେ ଜନ୍ମଲାଭ କରିଥିଲେ ମଧ୍ୟ ଯୁବକ ମାଦ୍ରିଙ୍କ ମନରେ ତିଳେମାତ୍ର ଗର୍ବ ଅହଙ୍କାର ନ ଥିଲା । ସେ ପିଲାଟି ଦିନରୁ ସାଙ୍ଗସାଥୀମେଳରେ ପର୍ବତ ଚଢ଼ିବା, ଲୁଚକାଳି ଖେଳିବା ଓ ଜଙ୍ଗଳରେ ଶିକାର କରିବା କୌଶଳରେ ପାରଙ୍ଗମ ଥିଲେ । ମାଦ୍ରି କାଲୋଙ୍କ ବଂଶଧରମାନେ ଭୂୟାଁ ମେଳିର ସର୍ଦ୍ଦାର ମାଦ୍ରି କାଲୋଙ୍କ ବିଚକ୍ଷଣ ବୁଦ୍ଧି, ପରୋପକାରୀ ଗୁଣ ଓ ତନ୍ତ୍ର ବିଦ୍ୟାରେ ମୁଗ୍ଧ ହୋଇ ସମସ୍ତେ ତାଙ୍କୁ ଆଦର୍ଶ ମାନୁଥିଲେ । ଗାଙ୍ଗପୁର ରାଜ୍ୟରେ ପ୍ରଜା ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ପାରମ୍ପରିକ ଆଦିବାସୀ ଜମିଦାର, ପ୍ରଗଣଦାର, ଗୌନ୍ତିଆ ପ୍ରଥା ଉଚ୍ଛେଦ ସହ ଅତ୍ୟଧିକ କୁଚକ୍ରୀ ରାଜା ରଘୁନାଥ ଶେଖର ଓ ଇଂରେଜ ସରକାର ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଥାନ୍ତି । ଯେଉଁ ଆଦିବାସୀ ଭୂୟାଁ, ଗଣ୍ଡ, କିସାନ ଗୌନ୍ତିଆମାନେ ରାଜସ୍ୱ, କର ଖଜଣା ଦେବାକୁ ମନା କରୁଥିଲେ ସେମାନଙ୍କ ଗୌନ୍ତିଆ ପଦ ଛଡାଇ ନିଆଯାଉଥିଲା । ଫଳରେ ଅନେକ ମୂଳନିବାସୀ ଭୂୟାଁମାନେ ନିଜ ଜଳ-ଜଙ୍ଗଲ-ଜମି ଉପରେ ମାଲିକାନା ହରାଇବସିଲେ । ରାଜା ରଘୁନାଥ ଶେଖର ସମ୍ବଲପୁର ଅଞ୍ଚଳର ଅଘରିଆମାନଙ୍କୁ ଆଣି ଗୌନ୍ତିଆ ପଦ ଅର୍ପଣ କରିଥିଲେ । ସେହି ପ୍ରକ୍ରିୟାରେ ମାଦ୍ରି କାଲୋଙ୍କ ମଧ୍ୟ ଗୌନ୍ତିଆ ପଦ ଛଡାଇ ନିଆଗଲା । ବିଦେଶୀ ସାମ୍ରାଜ୍ୟବାଦୀ ଇଂରେଜ ସରକାର ଓ ଆତ୍ୟାଚାରୀ ରାଜା ଶାସନ ବିରୁଦ୍ଧରେ ୧୮୬୫ ମସିହାରେ ଭୂୟାଁମେଳିର ସର୍ଦ୍ଦାର ମାଦ୍ରି କାଲୋ ବିଦ୍ରୋହ ଘୋଷଣା କଲେ । ସମଗ୍ର ଗାଙ୍ଗପୁର ରାଜ୍ୟର ମୂଳନିବାସୀ ଭୂୟାଁ ଗଣ୍ଡ, କିସାନ୍, ଖଡିଆମାନଙ୍କ ପୂର୍ଣ୍ଣ ସହଯୋଗ ମିଳିଥିଲା ସର୍ଦ୍ଦାର ମାଦ୍ରିଙ୍କୁ । ସର୍ଦ୍ଦାର ମାଦ୍ରି କାଲୋଙ୍କ ସ୍ଲୋଗାନ ଥିଲା – “ଦେବା ନାହିଁ ଆମେ କର ଖଜଣା, ବେଠି ବେଗାରି କରିବା ମନା” । ମହାବୀର ପର୍ବତର ଘାଟି ଗୁଡିକ ବିଦ୍ରୋହୀମାନଙ୍କ ଗୁପ୍ତସ୍ଥଳୀ ପାଲଟିଥିଲା । ୧୯୯୭ ମସିହା ପର୍ଯ୍ୟନ୍ତ ଗାଙ୍ଗପୁର ରାଜ୍ୟ ସାରା ଭୀଷଣ ବିଦ୍ରୋହ ଦେଖାଦେଲା । ସର୍ଦ୍ଦାର ମାଦ୍ରି କାଲୋଙ୍କ ଗରିଳା ଯୁଦ୍ଧ ଓ ସଂଗଠିତ ଆକ୍ରମଣ ଫଳରେ ବହୁ ଇଂରେଜ ସୈନ୍ୟ ପ୍ରାଣ ହରାଇଲେ । ବହୁ କଷ୍ଟରେ ଗୁପ୍ତଚର ବାହିନୀଙ୍କ ଠାରୁ ଖବର ପାଇ ମହାବୀର ପର୍ବତ ଖୋଳରେ ଥିବା ଭୂୟାଁମେଳିର ଗରିଳାବାହିନୀଙ୍କ ଉପରେ ଇଂରେଜ ଫୌଜ ଆକ୍ରମଣ କଲେ । ୧୮୯୭ ମସିହାରେ ସର୍ଦ୍ଦାର ମାଦ୍ରୀ କାଲୋ ଓ ତାଙ୍କ ସହଯୋଗୀମାନଙ୍କୁ ବନ୍ଦୀକରି ସୁନ୍ଦରଗଡ ଜେଲରେ ଅକଥନୀୟ ଅତ୍ୟାଚାର କରାଗଲା । ୧୯୦୬ ମସିହାରେ ହଜାରିବାଗ ଜେଲକୁ ନେଇ ସର୍ଦ୍ଦାର ମାଦ୍ରିଙ୍କ ଦୁଇ ଗୋଡର ଗ୍ରନ୍ଥିକୁ କାଟି ପଙ୍ଗୁ କରିଦିଆଗଲା । ୧୯୧୦ ମସିହାରେ ସେହି ମହାନ ବିପ୍ଲବୀ ଭୂୟାଁମେଳିର ସର୍ଦ୍ଦାର ମାଦ୍ରିକାଲୋ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ଅମର ବଳିଦାନର ଗାଥା ଆଜି ମଧ୍ୟ ଚିରସ୍ମରଣୀୟ ହୋଇ ରହିଅଛି ।

ଧିମାନ୍ ଜୟଦୀପ୍ (ବୁଦ୍ଧିଷ୍ଟ ରିସର୍ଚ୍ଚ ସ୍କୋଲାର)

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.