ଅଧ୍ୟାୟ ୩ : କୋୟା ମେଳିର ବୀରାଙ୍ଗନା ବାଙ୍ଗର ଦେବୀ ଓ ସର୍ଦ୍ଦାର ଟମ୍ ଦୋରା

ବୀରାଙ୍ଗନା ବାଙ୍ଗର ଦେବୀ ଓ ସର୍ଦ୍ଦାର ଟମ୍ ଦୋରା

ବୀରାଙ୍ଗନା ବାଙ୍ଗର ଦେବୀ ଓ ସର୍ଦ୍ଦାର ଟମ୍ ଦୋରା

ଓଡିଶାର ଇତିହାସକୁ ଗଭୀର ଅଧ୍ୟୟନ କଲେ ଜାଣିହୁଏ ଯେ, ମୁକ୍ତି ସଂଗ୍ରାମର ପ୍ରଥମ ବୈପ୍ଲବିକ ସ୍ୱର ଶୁଭିଥିଲା ବଣ ପାହାଡ ଭିତରୁ । ସେହି ମୁକ୍ତି ସଂଗ୍ରାମର ମୁଖ୍ୟ ନାୟିକା ଓ ନାୟକ ଥିଲେ ମୂଳନିବାସୀ ମାନେ । ଉନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ସମଗ୍ର ଓଡିଶା ଅତ୍ୟାଚାରୀ ରାଜା ଓ ଇଂରେଜମାନଙ୍କ ଦାଉରୁ ରକ୍ଷାପାଇବା ପାଇଁ ମୂଳନିବାସୀ ସର୍ଦ୍ଦାର ମାନଙ୍କ ରଣହୁଙ୍କାରରେ ଗର୍ଜି ଉଠିଥିଲା । ୧୮୨୩ ମସିହାରେ ଇଂରେଜ ମାନଙ୍କ ପ୍ରତ୍ୟକ୍ଷ ଶାସନକୁ ଆସିଥିଲା ଜୟପୁର ରାଜ୍ୟ । ତତ୍କାଳୀନ ଜୟପୁର ରାଜ୍ୟ ଅନ୍ତର୍ଗତ ଥିଲା କୋରାପୁଟ, କଳାହାଣ୍ଡି, ରାୟଗଡା ଅଞ୍ଚଳ ଗୁଡିକ । ଜୟପୁର ରାଜା ରାମଚନ୍ଦ୍ର ଦେବ ନିଜ ସ୍ୱାର୍ଥ ପାଇଁ ଇଂରେଜମାନଙ୍କ ପ୍ରଜା ଶୋଷଣମୂଳକ ନୂତନ ନିୟମଗୁଡିକ ମୂଳନିବାସୀ ପ୍ରଜାମାନଙ୍କ ଉପରେ ଲଦିଦେଲେ । ଜୟପୁର ରାଜ୍ୟ ଓ ପଡୋଶୀ ମାଲକାନଗିରି ରାଜ୍ୟରେ ପ୍ରଜା କହିଲେ ମୁଖ୍ୟତଃ ମୂଳନିବାସୀ ଆଦିବାସୀମାନଙ୍କୁ ବୁଝାଉଥିଲା । ସେଠାରେ ମୁଖ୍ୟତଃ କୋୟା, ଗଣ୍ଡ, ଗଦବା, ଦିସାରୀ, ବଣ୍ଡା, ପରଜା ସମ୍ପ୍ରଦାୟର ମୂଳନିବାସୀ ମଣିଷମାନେ ବସବାସ କରୁଥିଲେ । ଏହି ସ୍ୱାଧୀନଚେତା ତଥା ସ୍ୱାଭିମାନୀ ମଣିଷମାନେ ଜମି, ଜଳ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ କର ଖଜଣା ଦେବା ପାଇଁ ସ୍ପଷ୍ଟ ମନା କରିଦେଲେ । ଘୁମୁସରର କନ୍ଧମେଳି, କେନ୍ଦୁଝରର ଭୂୟାଁ ମେଳିପରି ମାଲକାନଗିରି ଅଞ୍ଚଳରେ କୋୟା ମେଳି ଗଢ଼ି ଉଠିଲା । ସେହି କୋୟାମେଳିର ମୂଖ୍ୟ ସେନାପତି ସାଜି କୋୟା ଆଦିବାସୀ ବିରାଙ୍ଗନା ବାଙ୍ଗର ଦେବୀ ସର୍ବ ପ୍ରଥମେ ନେତୃତ୍ୱ ନେଇଥିଲେ । ସେହି କୋୟା ମେଳିକୁ ଡମ୍ ଓ କନ୍ଧମାନଙ୍କର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଥିଲା । ଇଂରେଜମାନଙ୍କ କର ବୃଦ୍ଧି ତଥା ଭୂସଂସ୍କାର ଆଇନ ଜାଳରେ କୋରାପୁଟ ଅଞ୍ଚଳର ମୂଳନିବାସୀ ପ୍ରଜାମାନେ ଅତିଷ୍ଠ ହୋଇପଡିଥିଲେ । ୧୮୪୮ ମସିହାରେ କୋୟା ରାଜାଙ୍କ ନେତୃତ୍ୱରେ ବିଶାଳ ମୂଳନିବାସୀ ସେନା ଖଣ୍ଡା ବର୍ଚ୍ଛା, ଧନୁତୀର ଧରି ଇଂରେଜ ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ । ସେହି ଯୁଦ୍ଧରେ ଗୁରୁ ଦାୟିତ୍ୱ ବହନ କରି ଗରିଳା ବାହିନୀର ନେତୃତ୍ୱ ନେଇଥିଲେ କୋୟା ଯୁବତୀ ବିରାଙ୍ଗନା ବାଙ୍ଗର ଦେବୀ । ତାଙ୍କର ଅଦ୍ଭୂତ ଖଣ୍ଡା ଚାଳନା ଓ ଯୁଦ୍ଧ କୌଶଳ ଦେଖି ଇଂରେଜ ସୈନ୍ୟବାହିନୀର କମାଣ୍ଡର ମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ବାଙ୍ଗରଦେବୀଙ୍କ ବାଘୁଣୀ ପରି ରଣହୁଙ୍କାରରେ ସମଗ୍ର କୋୟାମେଳିର ସଦସ୍ୟମାନେ ଏକ ସ୍ୱରରେ କହିଉଠୁଥିଲେ – “ଏଇ ମାଟି ପାଣି, ପବନ, ଜଳ, ଜଙ୍ଗଲ, ଜମିର ମାଲିକ ଆମେ, ତା ପାଇଁ ଜୀବନ ଦେଇଦେବୁ ସିନା କର ଖଜଣା ଦେବୁ ନାହିଁ ” । ସେହି ସଶସ୍ତ୍ର ସଂଗ୍ରାମରେ ଅନେକ ଇଂରେଜ ସୈନ୍ୟ ପ୍ରାଣ ହରାଇଲେ ମାତ୍ର ଇଂରେଜମାନଙ୍କ ଆଧୁନକ ଅସ୍ତ୍ରଶସ୍ତ୍ର ଆଗରେ କୋୟାବାହିନୀ ଛତ୍ରଭଙ୍ଗ ଦେଇଥିଲା । ମାଲକାନଗିରର କୋୟା ରାଜା ସେହି ଯୁଦ୍ଧରେ ନିହତ ହେଲେ । କିନ୍ତୁ ଇଂରେଜମାନେ କୋୟା ରାଜକୁମାରୀ ବିରାଙ୍ଗନା ବାଙ୍ଗରଦେବୀଙ୍କୁ ବନ୍ଦୀକରିପାରିଲେ ନାହିଁ । ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଅଗ୍ନିକନ୍ୟା କୋୟା ରାଜକୁମାରୀ ସେଦିନ ଶପଥ କରିଥିଲେ ଯେ ବିଦେଶୀ ଶାସକ ଓ ଇଂରେଜମାନଙ୍କ କବଳରୁ ମୂଳନିବାସୀଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଛଡାଇ ନ ଆଣିବା ପର୍ଯ୍ୟନ୍ତ ସେ ତିଳେମାତ୍ର ବିଶ୍ରାମ କରିବେ ନାହିଁ କି ବିବାହ କରିବେ ନାହିଁ । ତାପରେ ସେ ଦୀର୍ଘ ୩୦ ବର୍ଷ କାଳ ଘଞ୍ଚ ଜଙ୍ଗଲରେ ରହି ଇଂରେଜମାନଙ୍କ ବିରୁଦ୍ଧରେ ଗରିଳା ଯୁଦ୍ଧ ଚଲାଇଥିଲେ । ସେ ଶହ ଶହ ସଂଖ୍ୟାରେ ମୂଳନିବାସୀ ଯୁବକ ଯୁବତୀମାନଙ୍କୁ ଅସ୍ତ୍ର ଚାଳନା ଓ ଗରିଳା ଯୁଦ୍ଧ ବିଷୟରେ ପ୍ରଶିକ୍ଷଣ ଦେବାକୁ ଲାଗିଲେ । ଇଂରେଜ ସୈନ୍ୟବାହିନୀର କମାଣ୍ଡର ମ୍ୟାକୱାର୍ଡ ବହୁକଷ୍ଟରେ ୧୮୮୦ ମସିହାରେ କୋୟା ରାଜକୁମାରୀ ବୀରାଙ୍ଗନା ବାଙ୍ଗର ଦେବୀଙ୍କୁ ଗିରଫ୍ କଲେ । ତା ପୂର୍ବରୁ ବାଙ୍ଗର ଦେବୀ ଧନୁତୀରରେ ଶହ ଶହ ଇଂରେଜ ସୈନ୍ୟମାନଙ୍କୁ ହତ୍ୟା କରିଥିଲେ । କମାଣ୍ଡର ମ୍ୟାକୱାର୍ଡ କୋୟା ରାଜକୁମାରୀ ବାଙ୍ଗର ଦେବୀଙ୍କୁ ଅଗ୍ନିକନ୍ୟା ବୋଲି ପ୍ରଶଂସା ନ କରି ରହିପାରିଲେ ନାହିଁ । ଜୟପୁର ଜେଲ୍ରେ ହିଁ ସେହି ଅଗ୍ନିକନ୍ୟାଙ୍କ ଜୀବନ ପ୍ରଦୀପ ଲିଭିଗଲା ସତ ହେଲେ ମୂଳନିବାସୀ ଇତିହାସ ଓ ମୁକ୍ତି ସଂଗ୍ରାମରେ କୋୟାମେଳିର ବୀରାଙ୍ଗନା ବାଙ୍ଗର ଦେବୀଙ୍କ ନାଁ ଚିର ଅମର ହୋଇ ରହିଗଲା । ତାଙ୍କ ମୃତ୍ୟୁ ବିଦ୍ରୋହୀ କୋୟାମାନଙ୍କୁ ଆହୁରି ପ୍ରେରଣା ଯୋଗାଇଥିଲା । ତାଙ୍କ ପରେ କୋୟାମେଳିର ନେତୃତ୍ୱ ନେଲେ ଟମ୍ ଦୋରା । କୋୟା ସର୍ଦ୍ଦାର ଟମ୍ ଦୋରାଙ୍କ ନେତୃତ୍ୱରେ ଶହ ଶହ ଇଂରେଜ ସୈନ୍ୟଙ୍କୁ ହତ୍ୟା କରାଗଲା । ଇଂରେଜ ସେନାବାହିନୀ ପ୍ରମାଦ ଗଣିବାକୁ ଲାଗିଲେ । ଟମ୍ଙ୍କ କ୍ରାନ୍ତିକାରୀ ଆହ୍ୱାନରେ ହଜାର ହଜାର କୋୟା ସଂଗ୍ରାମୀ ଏକତ୍ରିତ ହେଲେ । ‘ମାଲକାନଗିରି ଆମର ରାଜ୍ୟ ଟମ୍ ଦୋରା ଆମର ସର୍ଦ୍ଦାର’ ସ୍ଲୋଗାନରେ ଗଗନ ପବନ କମ୍ପି ଉଠିଲା । ସେହି ୧୮୮୦ ମସିହାର ଶେଷ ମାସରେ ସମସ୍ତ ଥାନାଗୁଡିକୁ ଧନୁତୀର, ତରବାରୀ ଓ ମୁକ୍ତି ଝଣ୍ଡା ଧରି ଘେରିଗଲେ କୋୟା ମେଳି । ପ୍ରାଣ ବିକଳରେ ସମସ୍ତ ଇଂରେଜ ସୈନ୍ୟ ଓ ତାଙ୍କ ଗୁପ୍ତଚରମାନେ ଲୁଚିଛପି ଜୟପୁର ଚାଲିଗଲେ । ଆନନ୍ଦରେ ବିଭୋର ହୋଇ କୋୟାମେଳି ସେଦିନ ମାଲକାନଗିରି ଥାନାରେ ମୁକ୍ତି ପତାକା ଉତ୍ତୋଳନ କଲା । କୋୟାମେଳିର ସ୍ୱତନ୍ତ୍ର ପ୍ରଶିକ୍ଷଣ ସ୍ଥଳୀ ଥିଲା ମାଛକୁଣ୍ଡ ନଦୀ ଆରପଟେ ଥିବା ଶିଲେର ପର୍ବତ ଘାଟି ଗୁଡିକ । ଅତ୍ୟାଚାରୀ ଜୟପୁର ରାଜାଙ୍କ ସହ ଗୁପ୍ତ ମନ୍ତ୍ରଣା କରି କମାଣ୍ଡର ମ୍ୟାକୱାର୍ଡ କାଳବିଳମ୍ବ ନ କରି ଶିଲେର ପର୍ବତ ଘାଟିରେ ଥିବା କୋୟାମେଳିର ପ୍ରଶିକ୍ଷଣ ସ୍ଥଳୀକୁ ଅତର୍କିତ ଆକ୍ରମଣ କଲେ । ଇଂରେଜମାନଙ୍କ ଆଖିବୁଜା ଗୁଳିଚାଳନାରେ ହଜାର ହଜାର କୋୟା ବାହିନୀ ଟଳିପଡିଥିଲେ । ହୁଲ୍ ବିଦ୍ରୋହ ପରି ସେଦିନ କୋୟା ମେଳିର ରକ୍ତରେ ମାଟି ମା ଲାଲ ହୋଇଯାଇଥିଲା । କୋୟା ମେଳିର ସର୍ଦ୍ଦାର ଟମ୍ ଦୋରା ମଧ୍ୟ ଗିରଫ୍ ହେଲେ । କିନ୍ତୁ ଶ୍ରେଷ୍ଠ ଦେଶପ୍ରେମୀ, ସଂଗ୍ରାମୀ ସର୍ଦ୍ଦାର ଟମ୍ ଦୋରାଙ୍କ ବୀରତ୍ୱର ଗାଥା ଆଜି ମଧ୍ୟ ଲୋକକାହାଣୀରେ ଜୀବିତ ଅଛି ।

ଧିମାନ୍ ଜୟଦୀପ୍ (ବୁଦ୍ଧିଷ୍ଟ ରିସର୍ଚ୍ଚ ସ୍କୋଲାର)

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.