ଅଧ୍ୟାୟ ୧ : କନ୍ଧମେଳିର ସର୍ଦ୍ଦାର ଚକରା ବିଷୋୟୀ ଓ ରେଣ୍ଡୋ ମାଝୀ

ସର୍ଦ୍ଦାର ଚକରା ବିଷୋୟୀ

ଚକରା ବିଷୋୟୀ

ବିଶ୍ୱର କୋଣ ଅନୁକୋଣରେ ବିଦ୍ରୋହର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡେ ଯେ କାଳେ କାଳେ ଶୋଷକ ଓ ଶୋଷିତ ମଧ୍ୟରେ ଘଟିଛି ରକ୍ତାକ୍ତ ମହାସଂଗ୍ରାମ ଓ ସାଂସ୍କୃତିକ ଦ୍ୱନ୍ଦ । ଶୋଷକ ଶ୍ରେଣୀରେ ରାଜା, ଜମିଦାର, ମନ୍ତ୍ରୀ ଓ ସାମ୍ରାଜ୍ୟବାଦୀମାନେ ରହିଥିବା ବେଳେ ଶୋଷିତମାନଙ୍କ ମଧ୍ୟରେ ଥାଆନ୍ତି ସାଧାରଣ ଖଟିଖିଆ ମୂଳନିବାସୀ ପ୍ରଜାଗଣ । ସେହି ଶୋଷିତ ମୂଳନିବାସୀମାନଙ୍କ ମଧ୍ୟରେ ଆଦିବାସୀ ଜନଜାତିର ମଣିଷମାନେ ସର୍ବାଧିକ ଶୋଷଣର ଶିକାର ହୋଇଥାନ୍ତି । ସେଥିପାଇଁ ମାନବ ମୁକ୍ତି ଓ ଦେଶ ସ୍ୱାଧିନତା ସଂଗ୍ରାମରେ ସର୍ବାଗ୍ରେ ଆତ୍ମବଳୀ ଦେଇଥାନ୍ତି ଆଦିବାସୀ ମେଳିଆ ମାନେ । ୧୮୦୩ ମସିହାରେ ବ୍ରିଟିଶ ସରକାର ଓଡିଶାକୁ ଅଧିକାର କରିନେଇଥିଲେ । ତତ୍କାଳୀନ ବ୍ରିଟିଶ ଇଣ୍ଡିଆରେ ଓଡିଶା, ବଙ୍ଗାଲ ଓ ବିହାର ରାଜ୍ୟରେ ମିଶି ରହିଥିଲା । ସମଗ୍ର ଭାରତରେ ହଜାରେରୁ ଅଧିକ ଛୋଟ ବଡ ରାଜ୍ୟ ଥିଲା ଯାହାକୁ ରାଜାମାନେ ଶାସନ କରୁଥିଲେ । ୧୮୦୩ ମସିହା ନଭେମ୍ବର ୨୩ ତାରିଖ ଦିନ ୧୭ଟି ରାଜାମାନଙ୍କ ସହ ଚୁକ୍ତି କରି ଇଂରେଜମାନେ ଓଡିଶାକୁ ଅଧିକାର କରିନେଲେ । ସ୍ଥାନୀୟ ରାଜା ଓ ଜମିଦାରମାନଙ୍କୁ ମାଧ୍ୟମ କରି ଇଂରେଜମାନେ ଅତ୍ୟଧିକ କର ଓ ଖଜଣା ଆଦାୟ କରିବା ଆରମ୍ଭ କଲେ । ତତ୍କାଳୀନ ଘୁମୁସର ରାଜ୍ୟର ରାଜା ଶ୍ରୀକର ଭଞ୍ଜ ଇଂରେଜମାନଙ୍କ ଆନୁଗତ୍ୟ ସ୍ୱୀକାର କରିନେଇଥିଲେ । ୧୮୧୬ ମସିହାରେ ଇଂରେଜ ସେନା ଘୁମୁସର ଆକ୍ରମଣ କରି ବହୁ ଲୋକଙ୍କ ଧନସମ୍ପତ୍ତି ଲୁଟି ନେବା ସହ ମୂଳନିବାସୀ ନିରୀହ ଜନତାଙ୍କ ଘରଦ୍ୱାର ସବୁ ପୋଡିଜାଳି ଧ୍ୱଂସ କରିଦେଲେ । ବିଦେଶୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ୧୮୧୭ ମସିହା ଫେବୃଆରୀ ମାସରେ ସଂଘଟିତ ହୋଇଥିଲା ସର୍ବ ପ୍ରଥମ କନ୍ଧ ମେଳି । ଆଜିର କନ୍ଧମାଳ, ଫୁଲବାଣୀ ଓ ଗଞ୍ଜାମ ଜିଲ୍ଲାର ଆଦିବାସୀ କନ୍ଧ ବହୁଳ ଅଞ୍ଚଳକୁ ନେଇ ଗଢ଼ିଉଠିଥିଲା ଘୁମୁସର ରାଜ୍ୟ । ସେହି କନ୍ଧ ମେଳିର ମେଳିଆ ସର୍ଦ୍ଦାର ଭୂମିକା ତୁଳାଇଥିଲେ ବାଳକ ଚକରାଙ୍କ  କକା ଦୋହରା ବିଷୋୟୀ । ଚକରା ବିଷୋୟୀ ଏକ ସଂଗ୍ରାମୀ ଆଦିବାସୀ କନ୍ଧ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ବିଞ୍ଜିଗିରି ଗ୍ରାମ । ଚକରାଙ୍କ ବାଲ୍ୟ ଜୀବନ କଟିଥିଲା ତୋରାବାଡି ଗ୍ରାମରେ । ବାଲ୍ୟକାଳରୁ ଚକରା ଅତି ସାହସୀ ଓ ବେଶ ହୃଷ୍ଟପୃଷ୍ଟ ଥିଲେ । ସେ ୧୮୨୪ ମସିହା ଶାମ୍ବ ଦଶମୀ ଦିନ ଜନ୍ମଗ୍ରହଣ କରିଥିଲେ । ପିଲାଦିନୁ ଚକରା ବାଡିଖେଳ, ଧନୁତୀର ଚାଳନା ଓ ମଲ୍ଲ ଯୁଦ୍ଧରେ ପାରଙ୍ଗମ ଥିଲେ । ବନ୍ୟଜନ୍ତୁ ଶିକାର କରିବା ପାଇଁ ସେ ଏକା ଏକା ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଉଥିଲେ । ସେ ୭ ବର୍ଷ ବୟସରୁ କନ୍ଧ ମେଳିର ଗୁପ୍ତଚର ଭାବେ କାମକରି କନ୍ଧ ମେଳିର ଗୁପ୍ତ ଖବର ଦିଆନିଆ କରିବା ଆରମ୍ଭ କରିଦେଇଥିଲେ । କନ୍ଧ ମେଳିର ସମସ୍ତ ସଦସ୍ୟ ଓ ସର୍ଦ୍ଦାର ଦୋହରା ବିଷୋୟୀଙ୍କୁ ଭଲଭାବରେ ଜଣାଥିଲା ଯେ ବାଳକ ଚକରାକୁ ମୂଳନିବାସୀ ଇଷ୍ଟଦେବୀ ମା କନେ୍ଧନ ବୁଢ଼ୀ ଓ ରଣଘଣ୍ଟାଙ୍କ ଆଧ୍ୟାତ୍ମିକ ଶକ୍ତି ମିଳିଅଛି । ସମସ୍ତଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଚକରା ବଡ ହୋଇ ବିଦେଶୀ ସାମନ୍ତବାଦୀ ଓ ସାମ୍ରାଜ୍ୟବାଦୀ ଆର୍ଯ୍ୟ ଓ ଇଂରେଜମାନଙ୍କ କବଳରୁ କନ୍ଧପ୍ରଗଣାକୁ ସ୍ୱାଧୀନ କରିବ । କନ୍ଧ ସମାଜର ରୀତିନୀତି ଅନୁସାରେ ୭ ବର୍ଷ ବୟସରେ ଚକରା ବିଷୋୟୀ ନିଜ କକାଙ୍କ ପାଳିତ ଝିଅ ତାରକାକୁ ବିବାହ କରିଥିଲେ । ଆଦିବାସୀ କନ୍ଧ ଝିଅ ତାରକା ଚକରାକୁ ଗରିଳା ଯୁଦ୍ଧର ବିଭିନ୍ନ କୌଶଳ ଶିକ୍ଷା କରିବାରେ ଅନେକ ସାହାର୍ଯ୍ୟ କରିଥିଲେ । ନିଜ ସ୍ତ୍ରୀ ତାରକାର ଅଦମ୍ୟ ସାହସ ଓ ଧନୁତୀର ଶାଣିତ କରିବାର ବିଚକ୍ଷଣ କଳା ଚକରାକୁ କନ୍ଧ ମେଳିର ବଳିଷ୍ଠ ନେତୃତ୍ୱ କରିବାରେ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା । ୧୮୧୭ ମସିହାରୁ ୧୮୩୬ ମସିହା ଯାଏ କନ୍ଧମେଳିର ପ୍ରଥମ ପର୍ଯ୍ୟାୟ ବିଦ୍ରୋହ ତୀବ୍ରବେଗରେ ଚାଲିଲା । ଦୀର୍ଘ ୧୬ ବର୍ଷର ବିଦ୍ରୋହୀ କାର୍ଯ୍ୟକଳାପ ଓ ଇଂରେଜ ସରକାରଙ୍କ ଶହ ଶହ ସିପାହୀଙ୍କୁ ହତ୍ୟାକରି ଗରିଳା ଯୁଦ୍ଧରେ ନିପୁଣ କନ୍ଧମେଳିର ୩୪ ଜଣ ସର୍ଦ୍ଦାରଙ୍କୁ ଇଂରେଜ ଅଫିସରମାନେ ପାଗଳ ପରି ଖୋଜିବାକୁ ଲାଗିଲେ । ସ୍ୱତନ୍ତ୍ର ଇଂରେଜ କମିଶନର ଜର୍ଜ ଏଡ଼ୱାର୍ଡ ରସେଲ ଓ ଗଞ୍ଜାମ କଲେକ୍ଟର ଷ୍ଟିଭେନ୍ସନ୍ କିଛି କନ୍ଧନେତାଙ୍କୁ ପ୍ରଲୋଭନ ଦେଖାଇ କନ୍ଧ ମେଳିର ଠିକଣା ଜାଣିବା ପାଇଁ ଗୁପ୍ତ ମନ୍ତ୍ରଣା କଲେ । ମେଳିଆମାନଙ୍କୁ ପିଛା କରି ଦଶପଲ୍ଲା ଓ ନୟାଗଡ ରାଜ୍ୟସାରା ବହୁ ଅନ୍ୱେଷଣ ପରେ ମଧ୍ୟ କମିଶନରଙ୍କୁ କିଛି ସୁଫଳ ମିଳିଲା ନାହିଁ । ମାତ୍ର ଅନୁଗୁଳର ରାଜା ସୋମନାଥ ସିଂ ଇଂରେଜମାନଙ୍କ ଠାରୁ ପଇସା ଖାଇ ମହାନ ବିପ୍ଲବୀ ଜନନାୟକ ଦୋହରା ବିଷୋୟୀଙ୍କୁ ଧରାଇ ଦେଇଥିଲେ । ୧୮୩୭ ମସିହାରେ କନ୍ଧମେଳିର ଦୋହରା ବିଶୋଇ, ରାମ ସିଂ, ନବଘନ କଅଁର ଆଦି ମୂଖ୍ୟ ସର୍ଦ୍ଦାରମାନଙ୍କୁ ବନ୍ଦୀକରି ଇଂରେଜମାନେ ଜେଲ୍ ରେ ପୁରାଇ ଦେଲେ । ମାଡ୍ରାସ ନିକଟସ୍ଥ ଜେଲ୍ ରେ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ମାତ୍ର ୧୩ ବର୍ଷ ବୟସର ବାଳକ ଚକରାକୁ ଇଂରେଜ ସରକାର ଛୋଟପିଲା କହି ଛାଡିଦେଲେ । କିନ୍ତୁ ଗୋରାସାହେବ ଓ ଇଂରେଜ କମିଶନରମାନଙ୍କୁ ଜଣା ନ ଥିଲା ଯେ ଆଗାମୀ ଦିନରେ ସମଗ୍ର ଓଡିଶା ରାଜ୍ୟସାରା ମୂଳନିବାସୀ କନ୍ଧମେଳିକୁ ସେହି ବାଳକ ଚକରା ବିଷୋୟୀ ନେତୃତ୍ୱ କରିବ । ସେହି ସମୟରେ ଇଂରେଜ ସୈନ୍ୟମାନେ ଆଦିବାସୀମାନଙ୍କ ଘରଦ୍ୱାର ପୋଡିଦେଉଥାନ୍ତି, ଛେଳି, କୁକଡା, ଗାଈଗୋରୁ ସବୁ ଲୁଟି ନେଉଥାନ୍ତି ଓ ବହୁ ବିପ୍ଲବୀଙ୍କୁ ଧରିନେଇ ଫାଶୀଦଣ୍ଡ ମଧ୍ୟ ଦେଉଥାନ୍ତି । ଉପରୋକ୍ତ ଅକଥନୀୟ ଅତ୍ୟାଚାର ଓ ବିଦେଶୀ ଶାସନ କବଳରୁ ମାଟିମା ଓ ପ୍ରିୟ ମୂଳନିବାସୀଙ୍କୁ ମୁକ୍ତ କରିବା ପାଇଁ ଓ ପ୍ରତିଶୋଧ ନେବାପାଇଁ ଚକରା ବିଷୋୟୀ ଦିନରାତି ଯୋଜନା କରିବାକୁ ଲାଗିଲେ । ସେ ଘୁମୁସୁର ରାଜ୍ୟର ସୀମା ବାହାରେ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ତୋରାବାଡି ଅଞ୍ଚଳରେ କିଛି ସୁସ୍ଥ ସବଳ ଆଦିବାସୀମାନଙ୍କୁ ଏକତ୍ର କରି କନ୍ଧମେଳିକୁ ନୂତନ ଢାଞ୍ଚାରେ ଗଢି ତୋଳିଲେ । ଧନୁର୍ବିଦ୍ୟା, ମଲ୍ଲବିଦ୍ୟା, ଗରିଳା ଯୁଦ୍ଧ ଇତ୍ୟାଦି, ସେମାନଙ୍କୁ ଶିକ୍ଷା ଦେବା ସହ ଆଧ୍ୟାତ୍ମିକ ମନୋବଳ ବୃଦ୍ଧିପାଇଁ ମୂଳନିବାସୀ ଦେବୀ ରଣଘଣ୍ଟାଙ୍କ ବନ୍ଦନା କଲେ । ୧୮୪୬-୪୭ ମସିହା ବେଳକୁ ସର୍ଦ୍ଦାର ଚକରା ବିଷୋୟୀ ନେତୃତ୍ୱରେ କନ୍ଧ ବିଦ୍ରୋହୀମାନେ ବହୁ ସରକାରୀ କାର୍ଯ୍ୟାଳୟ ଓ ନଥିପତ୍ର ସବୁ ପୋଡିଦେଲେ । ଶହ ଶହ ଇଂରେଜ ସୈନ୍ୟଙ୍କୁ ହତ୍ୟାକରି କନ୍ଧ ବିଦ୍ରୋହୀମାନେ ମୂଳନିବାସୀ ମୁକ୍ତିର ଜୟଗାନ କଲେ । ସମଗ୍ର କନ୍ଧମାଳ ଅଞ୍ଚଳରେ ମୂଳନିବାସୀ ଆଦିବାସୀମାନେ ଇଂରେଜ ସରକାରଙ୍କୁ କର, ଖଜଣା ଦେବାପାଇଁ ମନା କରିଦେଲେ । ବ୍ରିଗେଡିୟର ଡାଇସ୍ଙ୍କ ନେତୃତ୍ୱରେ ଇଂରେଜ ସରକାର କନ୍ଧମେଳିକୁ ଦୃଢ ହସ୍ତରେ ଦମନ କରିବା ପାଇଁ ବହୁ ଚେଷ୍ଟା କଲେ । କ୍ୟାପଟେନ୍ ଡନ୍ଲପ୍ ଓ ମେଜର ମାକଫରସନ୍ କନ୍ଧମାନଙ୍କ ମେରିଆ ପର୍ବକୁ ସମ୍ପୂର୍ଣ୍ଣ ବନ୍ଦ କରାଇବା ପାଇଁ ଅଭିଯାନ ଚଳାଇଲେ । ଘୁମୁସର, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ରାମପୁର, ପାରଳାଖେମୁଣ୍ଡୀ ଇତ୍ୟାଦି ଅଞ୍ଚଳର ଆଦିବାସୀମାନେ କନ୍ଧମେଳିର ସର୍ଦ୍ଦାର ଚକରା ବିଷୋୟୀଙ୍କ ଭବ୍ୟ ସ୍ୱାଗତ କରି ତାଙ୍କ ବୀରତ୍ୱ ଓ ବିଜୟର ବହୁ ପ୍ରଶଂସା କଲେ । ୧୮୪୮ ମସିହାରୁ ୧୮୫୪ ମସିହା ପର୍ଯ୍ୟନ୍ତ ପ୍ରାଣପଣେ ଚେଷ୍ଟା କରି ମଧ୍ୟ କ୍ୟାମ୍ପବେଲଙ୍କ ନେତୃତ୍ୱରେ ଇଂରେଜ ସେନାବାହିନୀ ଚକରାଙ୍କୁ ଧରି ପାରିଲେ ନାହିଁ । ଏପରିକି ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସୀ ମଧ୍ୟ ଚକରା ବିଷୋୟୀଙ୍କୁ ଜୀବିତ ଧରାଇଦେବା ପାଇଁ ୩୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଦୀର୍ଘ ୧୦ ବର୍ଷ ଯାଏ ଇଂରେଜ ବାହିନୀର ମୁଣ୍ଡବ୍ୟଥାର କାରଣ ପାଲଟିଯାଇଥିଲେ, ଚକରା ବିଷୋୟୀ । ତେଲ ନଦୀତୀର ସୋନପୁର ଅଞ୍ଚଳରୁ କଳାହାଣ୍ଡି ଉର୍ଲାଦାନୀ ଅଞ୍ଚଳକୁ ଆସିଥିଲେ ଚକରା ବିଷୋୟୀ । ତାଙ୍କ ମଧ୍ୟସ୍ଥତା ଓ ବୁଝାମଣା ଦ୍ୱାରା ଦୀର୍ଘ ଦିନରୁ ଚାଲିଆସୁଥିବା ବୋରିକିୟା ଓ କୁଟିଆ କନ୍ଧଙ୍କ ମତାନ୍ତରର ସ୍ଥାୟୀ ସମାଧାନ ହୋଇ ପାରିଥିଲା।

ସର୍ଦ୍ଦାର ରେଣ୍ଡୋ ମାଝୀ

ସର୍ଦ୍ଦାର ରେଣ୍ଡୋ ମାଝୀ

ବିଦେଶୀ ଆର୍ଯ୍ୟ ବ୍ରାହ୍ମଣ ଓ ଇଂରେଜ ସରକାରଙ୍କ ସାମନ୍ତବାଦୀ ଓ ସମ୍ରାଜ୍ୟବାଦୀ ମିଳିତ ଶକ୍ତି ବିରୁଦ୍ଧରେ ୧୯୩୬ ମସିହାରୁ ୧୯୫୫ ମସିହା ପର୍ଯ୍ୟନ୍ତ ସାରା ଓଡିଶାରେ ତୀବ୍ର ବିଦ୍ରୋହ କରିଥିଲେ କନ୍ଧମେଳିର ସର୍ଦ୍ଦାରମାନେ । କନ୍ଧମେଳିର ମହାସଂଗ୍ରାମୀ ସର୍ଦ୍ଦାର ଚକରା ବିଷୋୟୀଙ୍କ ଘନିଷ୍ଠ ବନ୍ଧୁ ଥିଲେ କଳାହାଣ୍ଡିର କନ୍ଧ ସର୍ଦ୍ଦାର ରେଣ୍ଡୋ ମାଝୀ । କଳାହାଣ୍ଡି ଜିଲ୍ଲାର ଉର୍ଲାଦାନୀ ଗ୍ରାମରେ ଧରଣୀପେନୁର ପୂଜକ ଡାବିସା ମାଝୀଙ୍କର ପୁତ୍ର ରୂପେ ରେଣ୍ଡୋ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ମୃତ୍ୟୁପରେ ସେ ଉର୍ଲାଦାନୀ ଗଡ ଅଧୀନରେ ଥିବା ୩୮ ଖଣ୍ଡ ଗାଁର ମୁଖିଆ ପାଟ୍ଟ ମାଝୀ ପଦବୀରେ ନିଯୁକ୍ତ ହେଲେ । ରେଣ୍ଡୋ ମାଝୀ ପିଲାଟି ଦିନରୁ ଯେମିତି ସାହସୀ ସେମିତି ନିଃସ୍ୱାର୍ଥପର ଦୟାବାନ ବ୍ୟକ୍ତି ଥିଲେ । ଉଚ୍ଚ ନ୍ୟାୟବାଦୀ ଚରିତ୍ର ଥିବା ଯୋଗୁଁ ସାରା କଳାହାଣ୍ଡି ଅଞ୍ଚଳରେ ତାଙ୍କର ସୁଖ୍ୟାତି ଥିଲା । ୧୮୫୩ ମସିହାରେ ଇଂରେଜମାନେ ସିଧା ସଲଖ ଭାବେ କଳାହାଣ୍ଡିକୁ ଅକ୍ତିଆର କରିଥିଲେ । କନ୍ଧବହୁଳ କଳାହାଣ୍ଡି ଅଞ୍ଚଳର ଜମି ଜଳ ଜଙ୍ଗଲ ଉପରେ ଇଂରେଜମାନେ ବିଭିନ୍ନ ପ୍ରକାର କର, ଖଜଣା ଲଗାଇଲେ । ସ୍ୱାଧୀନଚେତା ମୂଳନିବାସୀ କନ୍ଧମାନେ ନିଜ ଜମିରେ ଫସଲ କଲେ, ଜଙ୍ଗଲରୁ ଦରକାରୀ କାଠ, ଚାର, ମହୁଲ ଓ ନିତ୍ୟ ବ୍ୟବହୃତ ଦ୍ରବ୍ୟ ଆଣିଲେ ଖଜଣା ଦେବାକୁ ପଡିବ ବୋଲି କଳ୍ପନା ମଧ୍ୟ କରି ନ ଥିଲେ । ଇଂରେଜ ସରକାର ଓ ରାଜା ଉଦିତ୍ ପ୍ରତାପ ଦେଓଙ୍କ ମିଳିତ ଆର୍ଥିକ ଶୋଷଣ ଓ ଅତ୍ୟାଚାରୀ ନିୟମ କାନୁନ ବିରୁଦ୍ଧରେ ନର୍ଲା ରାମପୁର ଅଞ୍ଚଳର କନ୍ଧମାନେ ବିଦ୍ରୋହ କରିବା ଆରମ୍ଭ କରିଥିଲେ । ସେହି କନ୍ଧମେଳିର ସେନାପତି ସାଜିଥିଲେ ମାଟି ମାଆର ପୂଜକ କଳାହାଣ୍ଡିର ଆଜାଦ ପୁତ୍ର ରେଣ୍ଡୋ ମାଝୀ । କନ୍ଧମାନଙ୍କୁ ମୁଖ୍ୟତଃ ଡମ୍, ଗଉଡ ଓ ଗଣ୍ଡ ସଂମ୍ପ୍ରଦାୟର ମୂଳନିବାସୀ ପ୍ରଜାମାନେ ମଧ୍ୟ ବିଦେଶୀ ଶାସକଙ୍କ ଅତ୍ୟାଚାର ବିରୁଦ୍ଧରେ ସମର୍ଥନ କରୁଥିଲେ । ସଂଗ୍ରାମୀ କ୍ରାନ୍ତିବୀର ଚକରା ବିଷୋୟୀଙ୍କ ବହୁମୁଖୀ ପ୍ରତିଭା ଥିଲା । ସେ କ୍ରାନ୍ତିକାରୀ ଆହ୍ୱାନ ଦେଇ ଆଦିବାସୀ ମୂଳନିବାସୀ ମାନଙ୍କ ରକ୍ତରେ ମୁକ୍ତି ଚେତନା ଜାଗୃତ କରିପାରୁଥିଲେ । ଅଦମ୍ୟ ସାହସ ଓ ବିଚକ୍ଷଣ ବୁଦ୍ଧି ବଳରେ ଇଂରେଜ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ଉଦାରତା ଓ ବନ୍ଧୁତ୍ୱ ଗୁଣ ଦ୍ୱାରା ଆଦିବାସୀ ସର୍ଦ୍ଦାର ମାନଙ୍କ ମଧ୍ୟରେ ଥିବା ମତାନ୍ତର ଓ କଳହକୁ ସହଜରେ ସମାଧାନ କରିଦେଇ ପାରୁଥିଲେ । ତାଙ୍କ ମୁକ୍ତି ଚେତନା ଓ ସ୍ୱ-ଶାସନର ଆଦର୍ଶରେ ଅନୁପ୍ରାଣିତ ହୋଇ କଳାହାଣ୍ଡିର କନ୍ଧ ସର୍ଦ୍ଦାର ରେଣ୍ଡୋ ମାଝୀ ଓ ପାରଲାଖେମୁଣ୍ଡିର ସଉରାମେଳିର ସର୍ଦ୍ଦାର ରାଧାକୃଷ୍ଣ ଦଣ୍ଡସେନା ଇଂରେଜମାନଙ୍କୁ ତୀବ୍ର ବିରୋଧ କରିଥିଲେ । ତାଙ୍କ ଭଳି ଅଦମ୍ୟ ସାହସୀ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ କ୍ରାନ୍ତିକାରୀ ଯୋଦ୍ଧା ଇତିହାସ ପୃଷ୍ଠାରେ ବିରଳ । ଆଧ୍ୟାତ୍ମିକ ଧ୍ୟାନ ସାଧନା କରି ସେ ଅପୂର୍ବ ଶକ୍ତିର ଅଧିକାରୀ ହୋଇ ପାରିଥିଲେ । ସେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ଅର୍ନ୍ତଧ୍ୟାନ ହୋଇ ଯାଇପାରୁଥିଲେ । ୧୮୫୭ ମସିହା ଅକ୍ଟୋବର ମାସ ପରଠାରୁ ଚକରା ବିଷୋୟୀଙ୍କ ଖୋଜ ଖବର କିଛି ମିଳିଲା ନାହିଁ । କନ୍ଧମାଳ ଜିଲ୍ଲା ବାରଖମା ପଞ୍ଚାୟତର ଡାକଗ୍ରାମ ନିକଟରେ ଥିବା ପାହାଡ ଗୁମ୍ଫାରେ ସେ ନିଜ ଶେଷ ଜୀବନ ଅତିବାହିତ କରିଥିବା ଲୋକକଥାରୁ ଜଣାପଡେ । ଡାକ ଗ୍ରାମ ପାହାଡ ଗୁମ୍ଫାରୁ ସଂଗୃହୀତ ଚକରାଙ୍କ ବ୍ୟବହୃତ ଖଣ୍ଡାକୁ ଆଜି ମଧ୍ୟ ମୂଳନିବାସୀ ସମଗ୍ର ଜନଜାତିମାନେ ମିଳିତ ହୋଇ ଅଶୋକ ବିଜୟା ଦଶମୀ ଦିନ ପୂଜା କରିଥାନ୍ତି । ତାଙ୍କ ବୀରଗାଥା ଓ ମୁକ୍ତି ସଂଗ୍ରାମର ଚର୍ଚ୍ଚା ବିଭିନ୍ନ ଗୀତ ବାଦ୍ୟ ମାଧ୍ୟମରେ ଆୟୋଜିତ ହୋଇଥାଏ । ୧୮୫୩ ମସିହାରେ କନ୍ଧମାଳର ତହସିଲଦାର ଦୀନବନ୍ଧୁ ପଟ୍ଟନାୟକଙ୍କ ନେତୃତ୍ୱରେ ସତୁରୀ ଜଣ ସୈନିକ ଗୁପ୍ତ ଖବର ପାଇଁ ଆଠ ଗାଁରେ ଆୟୋଜିତ କନ୍ଧମେଳି ଉପରେ ଆକ୍ରମଣ କରି ଅନେକ ମୂଳନିବାସୀ ସର୍ଦ୍ଦାରମାନଙ୍କୁ ଗିରଫ କରିଥିଲେ । ଇଂରେଜ ସରକାରଙ୍କଠାରୁ ୨ ଟଙ୍କା ପୁରସ୍କାର ପାଇଁ ବେଇମାନ ଦୀନବନ୍ଧୁ ପଟ୍ଟନାୟକ କନ୍ଧମେଳିକୁ ଦମନ କରିବାରେ ମୁଖ୍ୟ ସହାୟକ ସାଜିଥିଲେ ।

ତତ୍କାଳୀନ କନ୍ଧ ମୂଳନିବାସୀ ସମାଜରେ ପ୍ରଚଳିତ ପରମ୍ପରା ଓ ସଂସ୍କୃତକୁ ମୂଳୋତ୍ପାଟନ କରିବା ପାଇଁ ଲେଫ୍ଟନାଣ୍ଟ ମ୍ୟାକନିଏଲ୍ ମେରିଆ ଏଜେଣ୍ଟ ଦାୟିତ୍ୱ ୧୮୫୫ ମସିହାରେ ଗ୍ରହଣ କଲେ । ନର ବଳି ଦେବା ମେରିଆ ପ୍ରଥା ପ୍ରକୃତରେ କନ୍ଧ ସମାଜର ଏକ ବହୁ ପୂରୁଣା କୁସଂସ୍କାର ଥିଲା । ମାତ୍ର ଭୂବନ୍ଦୋବସ୍ତ ଓ ସୈନିକ ଆଇନ ବଳରେ ମୂଳନିବାସୀମାନଙ୍କର ଜଳ-ଜଙ୍ଗଲ-ଜମିର ମାଲିକାନା ଛଡାଇ ନେବା ପ୍ରକୃତରେ ଅମାନବୀୟ ପୁଞ୍ଜିବାଦୀ ବ୍ୟବସ୍ଥା ଥିଲା । ସେହି ବ୍ୟବସ୍ଥାକୁ ବିରୋଧ କରି କନ୍ଧମେଳିର ଦୁଇ ସର୍ଦ୍ଦାର ଚକରା ବିଷୋୟୀ ଓ ରେଣ୍ଡୋ ମାଝୀଙ୍କ ମଧ୍ୟରେ ସୁନିୟୋଜିତ ଯୋଜନା ସ୍ଥିର କରାଗଲା । ମାତ୍ର ଇଂରେଜ ଚାମ୍ଚା ବେଇମାନ ତହସିଲଦାର ଦୀନବନ୍ଧୁ ପଟ୍ଟନାୟକଙ୍କ ସହାୟତାରେ ମ୍ୟାକନିଏଲ ଲୁବେନଗଡ ଓ ଉର୍ଲାଦାନୀଠାରେ ଆୟୋଜିତ କନ୍ଧମେଳି ଉପରେ ଆକ୍ରମଣ କଲେ । ଇଂରେଜମାନଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲା କିନ୍ତୁ ମେଳିଆଙ୍କ ହାତରେ ପାରମ୍ପରିକ ଅସ୍ତ୍ର ଧନୁତୀର, ଖଣ୍ଡା ବର୍ଚ୍ଛା ଇତ୍ୟାଦି ଥିଲ । ମାତ୍ର ସର୍ଦ୍ଦାର ରେଣ୍ଡୋଙ୍କ ସିଂହ ଗର୍ଜନ ଓ ନିର୍ଭୀକ ଯୁଦ୍ଧ କୌଶଳ ଦ୍ୱାରା ପ୍ରେରିତ ହୋଇ ମେଳିଆମାନେ ବହୁସଂଖ୍ୟାରେ ଇଂରେଜ ସିପାହୀମାନଙ୍କୁ ହତ୍ୟାକଲେ । ଚକରା ବିଷୋୟୀ ସର୍ଦ୍ଦାର ରେଣ୍ଡୋ ଙ୍କ ପ୍ରତିରକ୍ଷା ଓ ସୁନିୟୋଜିତ ରଣକୌଶଳ ଦ୍ୱାରା ବିଶାଳ ଇଂରେଜ ସେନା ବାହିନୀଙ୍କ ହାତମୁଠାରୁ ଖସିଯାଇ ପାରିଥିଲେ । ୧୮୫୫ ମସିହା ଡିସେମ୍ବର ୧୦ ତାରିଖ ଦିନ ଇଂରେଜ ଅଫିସର ମ୍ୟାକନିଏଲ୍ ସର୍ଦ୍ଦାର ରେଣ୍ଡୋଙ୍କୁ ଗିରଫକରି ଅସହ୍ୟ ଚାବୁକ୍ ପ୍ରହାର କଲେ । ମାତ୍ର ସର୍ଦ୍ଦାର ରେଣ୍ଡୋଙ୍କ ମୁଖମଣ୍ଡଳରେ ସେଥିପାଇଁ ତିଳେ ମାତ୍ର ଦୁଃଖ ନଥିଲା । ସେ ହସି ହସି କନ୍ଧ ମେଳିର ଜୟଗାନ କରି ବିଦେଶୀ ଫିରିଙ୍ଗି ଫେରିଯାଅ ବୋଲି ଆହ୍ୱାନ ଦେଇଥିଲେ । ମ୍ୟାକନିଏଲ ଅତ୍ୟନ୍ତ ରାଗିଯାଇ ଦେଶପ୍ରେମୀ ସର୍ଦ୍ଦାର ରେଣ୍ଡୋ ମାଝୀଙ୍କ ଛାତିରେ ଗୁଳିକରି ହତ୍ୟା କଲେ ।

  • ଧିମାନ୍ ଜୟଦୀପ୍ (ବୁଦ୍ଧିଷ୍ଟ ରିସର୍ଚ୍ଚ ସ୍କୋଲାର)

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.