କୃଷକର ଇତିହାସ ଓ ବର୍ତ୍ତମାନ

ଭାରତ ଏକ କୃଷି ପ୍ରଧାନ ଦେଶ ଅଟେ। ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ ଏଠାରେ କରାଯାଏ, ଯାହା ଭାରତର ଆବଶ୍ୟକତାକୁ ପୂରଣ କରିବା ସହ ବିଦେଶକୁ ମଧ୍ୟ ରପ୍ତାନୀ ହୋଇଥାଏ । ହେଲେ ଏହି କୃଷକ ବା ଚାଷକାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଇତିହାସ ଉପରେ ଏକ ନଜର ପକେଇ ଦେଖିବା ଅତ୍ଯନ୍ତ ଆବଶ୍ୟକ ଅଟେ । ଚାଷକାର୍ଯ୍ୟ ମାନବ ସଭ୍ୟତାର ବିକାଶ ସହିତ ସଂସ୍ଲିଷ୍ଟ ଅଟେ। ପଥର ଯୁଗର ମନୁଷ୍ୟ ଧିରେଧିରେ ପ୍ରଗତି ଆଡକୁ ଗତି କରିବା ଆରମ୍ଭ କଲା ଏବଂ ବନ୍ୟଜନ୍ତୁକୁ ଶିକାର କରିବା ଉଦ୍ଧେଶ୍ୟରେ ଏକାଠି ରହିବାକୁ ଲାଗିଲା। ପରେ ପରେ ମଣିଷ କୃଷିକାର୍ଯ୍ୟ ଉପରେ ଜ୍ଞାନ ଆହରଣ କଲା ଏବଂ ଏଥିପାଇଁ କୌଣସୀ ଏକ ଜାଗାରେ ସ୍ଥାୟୀ ବସବାସ କଲା ଯାହା ତାକୁ ଜନଜାତିୟ ସମାଜ ଭାବରେ ପରିଗଣିତ କଲା । ଆରମ୍ଭରେ କୃଷିକାର୍ଯ୍ୟ ପାଇଁ କୌଣସୀ ଜମିର ଅଭାବ ହେଲା ନାହିଁ, କାରଣ ମଣିଷ ସଂଖ୍ୟା ଜମିର ଅନୁପାତରେ କମ ଥିଲା । ଧିରେ ଧିରେ ଭାରତବର୍ଷରେ ଚାଷକାର୍ଯ୍ୟ ଏକ ମଜବୁତ ପରିସ୍ଥିତି ଯୋଗୁଁ ସିନ୍ଧୁଘାଟି ସଭ୍ୟତାର ଉଦ୍ଭବ ହୋଇ ପାଇପାରିଥିଲା । ଯାହା ଆମ୍ଭକୁ କୃଷି ସାମଗ୍ରି ଓ ଫସଲ ବିଦେଶକୁ ରପ୍ତାନି କରିବାର ପ୍ରମାଣ ଦେଖିବାକୁ ମିଲେ । ମେସୋପଟାମିଆ ସହିତ ଭାରତର ବାଣିଜ୍ୟ କାରବାର ଏହାର ଯଥେଷ୍ଟ ପ୍ରମାଣ ଯେ, ସେ ସମୟରେ ଭାରତର କୃଷିକାର୍ଯ୍ୟ ଉନ୍ନତ ମାନର ଥିଲା ।

ଆର୍ଯ୍ୟ ଆକ୍ରମଣ ପରେ ଚାଷିମାନଙ୍କର ଇତିହାସ ଅତି ଭୟଙ୍କର ହୋଇଥିଲା । ଏହାର କାରଣ ବ୍ରାହ୍ମଣ ସଂସ୍କୃତି ବା ବର୍ଣ ବ୍ୟବସ୍ଥା ଅଟେ, ଯେଉଁଥିରେ ମଣିଷ ସମାଜକୁ ଚାରି ଭାଗରେ ବିଭକ୍ତ କରାଗଲା:- ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୁଦ୍ର । ଏହା ସହିତ ଏମାନଙ୍କର କାର୍ଯ୍ୟକୁ ଜନ୍ମ ଆଧାରିତ କରାଗଲା ଯେପରି ବ୍ରାହ୍ମଣର କାର୍ଯ୍ୟ ପଢ଼ିବା, ପଢେଇବା, ଯଜ୍ଞ କରିବା ଓ ଦାନ ନେବା । କ୍ଷତ୍ରୀୟର କାର୍ଯ୍ୟ ଶାସନ କରିବା, ଯଜ୍ଞ କରାଇବା ଏବଂ ଦାନ ଦେବା । ବୈଶ୍ୟର କାର୍ଯ୍ୟ ବ୍ୟବସାୟ ଓ କୃଷି କରିବା, ପରିଶେଷରେ ଶୁଦ୍ରର କାର୍ଯ୍ୟ ଉପରୋକ୍ତ ତିନି ବର୍ଣର ସେବା କରିବା ବ୍ୟତିତ ଅନ୍ୟ କିଛି ନାହିଁ ।

ଏବେ ଯଦି ଆମେ ଉପରୋକ୍ତ କାର୍ଯ୍ୟ ବିଭାଜନ ବା କର୍ମ ବିଭାଜନ କାର୍ଯ୍ୟକୁ ଠିକ୍ ଭାବରେ ଅନୁସନ୍ଧାନ କରିବା ତେବେ ଜାଣି ପାରିବା ଯେ କୃଷିକାର୍ଯ୍ୟ ଯେ କେବଳ ଗୋଟିଏ ବର୍ଗ, ବୈଶ୍ୟ ପାଖରେ ନିହିତ କରାଗଲା । ଶୁଦ୍ର ସମ୍ପ୍ରଦାୟକୁ କୃଷିକାର୍ଯ୍ୟରୁ ସମ୍ପୁର୍ଣ ରୁପେ ବାଦ ଦେଇ ଦିଆଗଲା, କାରଣ ଶୁଦ୍ର ବ୍ୟକ୍ତିଙ୍କୁ ସମ୍ପତ୍ତି ରଖିବାର ଅଧିକାର ନାହିଁ ଏବଂ ଯଦି ଏହା ଶୁଦ୍ରକୁ ଦିଆଯାଏ ତେବେ ତାର ଆର୍ଥିକ ପରିସ୍ଥିତି ସୁଧୁରିଯିବ ଏବଂ ସେ ଦାସକାର୍ଯ୍ୟ କରିବା ବା ଗୁଲାମି ବ୍ୟବସ୍ଥାରେ ବିରୁଦ୍ଧରେ ବିଦ୍ରୋହ କରିବାକୁ ଆଗ୍ରହ କରିବ। ମନୁସ୍ମୃତି ଅନୁସାରେ:-
“ଶକ୍ତିନାପି ହି ଶୁଦ୍ରେଣ ନ କାର୍ଯ୍ୟ ଧନସଂଚୟଃ।
ଶୁଦ୍ରୋ ହି ଧନମାସାଧ୍ୟ ବ୍ରାହ୍ମଣେବ ବାଧତେ।।”

ଏହାର ଅର୍ଥ ହେଲା:- “ଶୁଦ୍ରବ୍ୟକ୍ତି ସମର୍ଥ ଥିଲେ ମଧ୍ୟ ଧନ ସଞ୍ଚୟ କରିବା ଉଚିତ ନୁହେଁ, କାରଣ ଏହା ଦ୍ବାରା ବ୍ରାହ୍ମଣକୁ ବାଧା ହୁଏ ।”

ତେବେ ଏଥିରୁ ଏହା ସ୍ପଷ୍ଟ ଯେ, ଏହି କାରଣରୁ ଶୁଦ୍ର ସମାଜକୁ କୃଷିକାର୍ଯ୍ୟର ଅଧିକାର ଦିଆଗଲା ନାହିଁ । କିନ୍ତୁ, ଏବେ ସୁଦ୍ଧା ବ୍ରହ୍ମଣବାଦରେ ସମସ୍ୟାର ସମାଧାନ ହୋଇ ନାହିଁ କହିଁକି ନା ମନୁସ୍ମୃତିରେ ଉପରୋକ୍ତ ତିନି ବର୍ଣକୁ କୃଷିଭଲି ପାପ କାର୍ଯ୍ୟରୁ ଦୁରତ୍ୱ ରକ୍ଷା କରିବାକୁ ଉପଦେଶ ଦିଏ ଯାହା ଏପରି ଭାବରେ ବର୍ଣ୍ଣିତ:-
କୃଷିଂ ସାଧ୍ଵିତି ମନ୍ୟନ୍ତେ ସା ବୃତ୍ତିଃ ସଦ୍ୱି ଗର୍ହିତା।
ଭୂମିଂ ଭୂମିଶୟାଂଶ୍ଚୈବ ହନ୍ତି କାଷ୍ଠମୟୋମୁଖମ୍।।
ଏହାର ଅର୍ଥ ହେଲା:- କିଛି ଲୋକ କୃଷିକାର୍ଯ୍ୟକୁ ଉତ୍ତମ କହନ୍ତି କିନ୍ତୁ, ପରୋପକାରି ବ୍ୟକ୍ତି ଏହି ଜିବିକା ସାଧନକୁ ହେୟ ମନେ କରନ୍ତି କାରଣ ଲୁହା ମୁଖବାଲା କାଠର ଉପକରଣ (ଲଂଗଳ) ଭୁମି ଏବଂ ଏଥିରେ ରହୁଥିବା ଜିବିକାକୁ କ୍ଷତି ପହଞ୍ଚାଇ ଥାନ୍ତି ।

ଏଥିରୁ ଏହା ସ୍ପଷ୍ଟ ଯେ ବୈଶ୍ୟ ସମାଜ ନିଜେ କୃଷି କରି ପାପି ବା ପାପର ଭାଗିଦାରି ହେବା ପାଇଁ ମନ ବୋଲାଇବ ନାହିଁ । ତେଣୁ ଏହି କାର୍ଯ୍ୟକୁ କରିବା ପାଇଁ ଶୁଦ୍ରକୁ ମନୋନିତ କରାଗଲା କାରଣ ବ୍ରାହ୍ମଣ, କ୍ଷତ୍ରିୟ କେବେ ବୈଶ୍ୟର ସେବା କରି ପାରିବେ ନାହିଁ । ସେମାନେ ଏ ଧର୍ମ ବିରୋଧୀ ପାପ କାର୍ଯ୍ୟ କରି ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ପାପି ହେବା ପାଇଁ କାହିଁକି ମନ ବୋଲାଇବେ । ତେଣୁ ଶୁଦ୍ର ବ୍ୟକ୍ତି ହିଁ ଏଥିପାଇଁ ଠିକ ବୋଲି ଚିନ୍ତା କରାଗଲା ଏଇଠୁ “ବେଠି”, “ସାହୁକାର” ଏବଂ “ଜମିଦାର” ସହିତ ସାହୁକାରି ଏବଂ ଜମିଦାରି ବ୍ୟବସ୍ଥାର ଆରମ୍ଭ ହେଲା ।

ଏହି ସାହୁକାରି ଏବଂ ଜମିଦାରି ବ୍ୟବସ୍ଥା ଦ୍ୱାରା ଆରମ୍ଭ ହେଲା ୮୫ ପ୍ରତିଶତ ବହୁଜନ ସମାଜକୁ ଶୋଷଣ କରିବାର ଆଉ ଏକ ରାସ୍ତା, ଏହା ଆଗରୁ ଅନେକ ପ୍ରକାରର କୌଶଳ କରି ଏମାନଙ୍କୁ ଠକା ଯାଇଥିଲା, ନିଜର ଗୁଜୁରାଣ ମେଣ୍ଟେଇବା ପାଇଁ ଶୁଦ୍ର ସାହୁକାରର ଜମିରେ ପରିଶ୍ରମ ପାଇଁ ନିତି ଜାଉଥିଲା, ହେଲେ ନିଜର ପେଟ ପୁରୁଥିଲା ନା ପରିବାର ର ଭରଣ ପୋଷଣ କରି ପାରୁଥିଲା । ଏହା ଦ୍ୱାରା ସେ ନିଜ ସହିତ ନିଜର ସ୍ତ୍ରି, ପିଲା, ଝିଅ ଓ ବହୁକୁ ସାଙ୍ଗରେ ଧରି ସାହୁକାରର ବିଲକୁ ‘ବେଠି’ ଖଟିବାକୁ ଯାଉଥିଲେ । ବିଲରେ ବହୁଜନ ସମାଜର ନାରୀମାନଙ୍କ ସହିତ ଶାରୀରିକ ଓ ମାନସିକ ଅତ୍ୟାଚାର ହେଉଥିଲା । ଶୁଦ୍ର ସମାଜରେ ଜନ୍ମ ନେଇଥିବା ସେହି ବେଠି ଖଟା ମଣିଷ ସବୁ ଜାଣି ମଧ୍ୟ ଶିକ୍ଷାର ଅଭାବ, ଅସ୍ତ୍ର ଶସ୍ତ୍ର ରଖିବା ନିଷେଧ, ଧନ ସଞ୍ଚୟ କରିବା ନିଷେଧ ଥିବାରୁ ଅସହାୟ ହୋଇ ବସିଯାଇଥିଲା । ଅନ୍ୟ ପଟେ ସେହି ଶୁଦ୍ର ବ୍ୟକ୍ତିକୁ ଶୋଷଣ କରିବା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା ଥିଲା । ଯେପରି ଅନ୍ଧବିଶ୍ୱାସ, ଡର ଦେଖାଇ ଲୁଟିବା, ଅଭାବ ଅଘଟନର କାଳ୍ପନିକ ଭବିଷ୍ୟବାଣୀ କହି ଠକିବା ଆଦି ଥିଲା ମୁଖ୍ୟ ।

ଏବେ ଆଧୁନିକ ଭାରତରେ କୃଷକର ସମସ୍ୟା ଉପରେ ମଧ୍ୟ ନଜର ପକାଇବାର ଆବଶ୍ୟକତା ରହିଛି । ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଦ୍ବାରା ଆଜି ବହୁଜନ ସମାଜ ପାଖରେ କିଛି ମାତ୍ରାରେ ଜିମ ଅଛି ହେଲେ ମଧ୍ୟ ଚାଷି ଆତ୍ମହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଡଃ. ବାବାସାହେବ ଅମ୍ବେଦକରଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷ ପରେ ବହୁଜନ ସମାଜ କିଛି ମାତ୍ରାରେ ଆଜି ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚେଷ୍ଟା କରୁଅଛି ।

କିନ୍ତୁ ଏବେ ମଧ୍ୟ ବହୁଜନ ସମାଜର କୃଷକମାନଙ୍କ ସମସ୍ୟାର ସମଧାନ ହୋଇ ପାରୁନାହିଁ । ଯାହା ପାଇଁ ଅନେକ କୃଷକ ଆତ୍ମହତ୍ୟା କରୁଛନ୍ତି । ମୋ ଅନୁସାରେ ବର୍ତ୍ତମାନ ଦୁଇ ପ୍ରକାରର କୃଷକ ଅଛନ୍ତି, ପ୍ରଥମେ ସେହି କୃଷକ ବା ଚାଷି ଯାହାଙ୍କ ପାଖରେ ନିଜସ୍ୱ ଜମି ଅଛି ଏବଂ ଅନ୍ୟ ପଟେ ସେହି କୃଷକ ଜାହାର ନିଜସ୍ୱ ବୋଲି କୌଣସି ଜମି ନାହିଁ । କର ବା ଲଗାଣ ମାଧ୍ୟମରେ ସିଏ ଅନ୍ୟର ଚାଷ ଜମିରେ ଚାଷ କରୁଅଛି, ପ୍ରଥମ ପରିପ୍ରେକ୍ଷୀକୁ ମଧ୍ୟ ଦୁଇ ପାଶ୍ୱର୍ରେ ଦେଖିବା ଉଚିତ, ଯେଉଁଠାରେ ଗୋଟିଏ କୃଷକ ପାଖରେ ପାଞ୍ଚ ଏକର ରୁ ଅଧିକ ଏବଂ ଅନ୍ୟ ପଟେ ସେହି କୃଷକ ଯାହା ପାଖେ ଗୋଟିଏ ଏକରରୁ ମଧ୍ୟ କମ ଜମି ଥିବ । ଯଦି ପ୍ରଥମ କୃଷକର ବାର୍ଷିକ ସଞ୍ଚୟ କିଛି ରହୁଥାଏ ହେଲେ ମଧ୍ୟ ତାକୁ ସରକାରୀ ଋଣର ଆବଶ୍ୟକତା ରହିବ ।

ଏହି କୃଷକ ମାନଙ୍କୁ କୌଣସି ପରିସ୍ଥିତିରେ ସରକାରୀ ଋଣର ଆବଶ୍ୟକତା ରହିଛି । ହେଲେ ସମସ୍ତ କୃଷକମାନଙ୍କୁ ସରକାରୀ ଋଣ ମିଳିପାରେ ନାହିଁ, ଏଣୁ ଏମାନେ ବାଧ୍ୟ ହୋଇ ସାହୁକାର ଠାରୁ ଅଧିକ ଶତକଡ଼ାରେ ଋଣ ଆଣିଥାନ୍ତି । ଏବଂ ଦ୍ବିତୀୟ ପରିପ୍ରେକ୍ଷୀରେ ସେହି ଚାଷି ଉପରେ ନଜର ପକାଇବା ଉଚିତ ଯିଏ ଅନ୍ୟର ଜମିକୁ କର ବା ଲଗାଣ ମାଧ୍ୟମରେ ଚାଷ କରୁ ଥାଏ । ସେ ଚାଷକାର୍ଯ୍ୟ ପାଇଁ ନିଶ୍ଚିତ ଭାବରେ ଋଣ କରିବା ପାଇଁ ଚାହିଁବ, ନିଜସ୍ୱ ଜମି ନ ଥିବାରୁ ସେ ସାହୁକାର କିମ୍ବା ଅନ୍ୟ କୌଣସି ଧନି ବ୍ୟକ୍ତି ଠାରୁ ଋଣ ଆଣିବ, କାରଣ ଯାହାର ନିଜସ୍ୱ ଜମି ନାହିଁ ତାକୁ ସରକାରୀ ଋଣର ସୁବିଧା ଦିଆଯାଏ ନାହିଁ ଅଥଚ କେତେଦୁର ପର୍ଯ୍ୟନ୍ତ ଏହା ବ୍ୟାଙ୍କ କତୃପକ୍ଷଙ୍କ ଉପରେ ମଧ୍ୟ ନିର୍ଭର କରେ କିନ୍ତୁ ଏହା ନିରାଶ ଜନକ ଅଟେ । ସରକାରୀ ବ୍ୟବସ୍ଥା ଏକର ପ୍ରତି ୩0,000 ଟଙ୍କା ଋଣ ଆକାରରେ ସେହି ଚାଷିମାନଙ୍କୁ ଦେଇଥାଏ, ଯେଉଁ ମାନଙ୍କର ନିଜସ୍ୱ ଜମି ଥାଏ । ଏଥିପାଇଁ ସରକାରଙ୍କୁ ପ୍ରତି ବର୍ଷ ୫-୭ ପ୍ରତିଶତ ଶତକଡା ଅନୁସାରେ ଋଣ ଫେରସ୍ତ କରିବାକୁ ହୋଇଥାଏ । ଯଦି ବାହାରୁ ଜଣେ ବ୍ୟକ୍ତି କୌଣସି ସାହୁକାର ଠାରୁ ରୁଣ ଆଣେ ତାକୁ ମାସକୁ ୫% ବା ଅଧିକ କିସ୍ତି ଦେବାକୁ ପଡେ। ସଶ୍ୟ ଉତ୍ପାଦନ ବେଲେ ଏହାକୁ ମଣ୍ଡିରେ ବିକ୍ରି କରିବାକୁ ପଡେ ଯେଉଁଥିରେ କ୍ୱିଣ୍ଟାଲ ପ୍ରତି ବର୍ତ୍ତମାନ ୧୮୧୫ ଟଙ୍କା ରହିଅଛି । ହେଲେ ମଧ୍ୟସ୍ଥ କରୁଥିବା ଲୋକ କ୍ୱିଣ୍ଟାଲ ପ୍ରତି ୫-୭ କେଜି ନିଜସ୍ଵ ଲାଭ ପାଇଁ କାଢି ନିୟନ୍ତୀ, ଏଣୁ ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ । ଏପଟେ କେତେକ ଯାଗାରେ ପଞ୍ଚାୟତକୁ ଗୋଟିଏ ମଣ୍ଡି ଥିଲେ ଅନ୍ୟ କିଛି ଯାଗାରେ ୩-୪ ପଞ୍ଚାୟତକୁ ନେଇ ଗୋଟେ ମଣ୍ଡି ରହିବାର ଦେଖିବାକୁ ମିଳେ । ଯଦି ବର୍ଷା ଓ ପାଣି ପାଗ ଯୋଗୁଁ ଧାନ ଓଦା ହୋଇଯାଏ ତେବେ ଧାନ ଉଠେଇବାକୁ ମଣ୍ଡି ମନାକରିଥାଏ । ଧାନ ବା କୌଣସି କଞ୍ଚା ଖାଦ୍ୟ ସାମଗ୍ରୀ ରଖିବା ପାଇଁ ଶୀତଳ ଭଣ୍ଡାରର ବିଶେଷ ବ୍ୟବସ୍ଥା ନାହିଁ ।

ଏହି ସବୁକୁ ଦୃଷ୍ଟି ଗୋଚର କଲେ ଜଣାପଡେ ଯେ ଛୋଟ ଚାଷିଙ୍କୁ ଏଥିପାଇଁ ବହୁତ କ୍ଷତି ସହିବାକୁ ପଡେ ଏବଂ ରୁଣ ସୁଝି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି । National Crime Record Bureau ର ସୁଚନା ଅନୁସାରେ ୨୦୧୯ ପରେ କୌଣସି ସୂଚନା ଚାଷି ଆତ୍ମହତ୍ୟାକୁ ନେଇ ଦିଆଯାଏ ନାହିଁ (source ABP news, July 2, 2019)। ହେଲେ ଅନେକ ଚାଷି ଆତ୍ମହତ୍ୟାର ଘଟଣା ସାମନା କୁ ଆସିଅଛି । ୨୦୧୧-୧୩ ରେ ୩୯୫୩୦, ୨୦୧୧ ରେ ୧୪୦୦୪, ୨୦୧୨ ରେ ୧୩୭୫୪, ୨୦୧୩ ରେ ୧୧୭୨୨ କୃଷକ ଆତ୍ମହତ୍ୟା କରିଥିଲେ । ପ୍ରତି ଘଣ୍ଟାରେ ଜଣେ କୃଷକର ଆତ୍ମହତ୍ୟାକୁ ଏହା ସୂଚାଏ ।

ଚାଷି ଆତ୍ମହତ୍ୟାକୁ ଅଟକାଇବାକୁ ହେଲେ ସରକରାଙ୍କୁ ଏଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବା ଉଚିତ । ଶିତଲ ଭଣ୍ଡାରର ସଂଖ୍ୟା ବୃଦ୍ଧି ସହିତ ଫସଲର ଉଚିତ ଦାମ ନିର୍ଦ୍ଧାରିତ କରିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଜମି ନ ଥିବା କୃଷକଙ୍କ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏମାନଙ୍କୁ ଜମି ପଟ୍ଟା ବଣ୍ଟନ ସହିତ ଋଣ ଦେବାର ବିଶେଷ ପ୍ରାବଧାନ କରିବାର ଆବଶ୍ୟକତା ରହିଅଛି । ମଧ୍ୟସ୍ଥ ବା ଦଲାଲ ମାନଙ୍କ ଠାରୁ କୃଷକମାନଙ୍କର କ୍ଷତିକୁ ହ୍ରାସ କରିବା ପାଇଁ କଠୋର ନିୟମର ଆବଶ୍ୟକତା ରହିଅଛି । ଯେଉଁ କୃଷକ ମାନଙ୍କ ପାଖରେ ଜମି ନାହିଁ ସେମାନଙ୍କ ପାଇଁ ବହୁଯନ ସମାଜର ମହାନାୟକ ମାନ୍ୟବର କାଂଶିରାମ ସାହେବଙ୍କ କଥା ବହୁତ ସଠିକ ଅଟେ:-
“ଜୋ ଜମିନ୍ ସରକାରୀ ହେ…ବୋ ଜମିନ୍ ହମାରି ହେ”
“ଯୋଉ ଜମି ସରକରାରୀ ସେଇ ଜମି ଆମରି” – ମାନ୍ୟବର କାଂଶୀରାମ

  • ସମ୍ରାଟ ରାଜ, ଇତିହାସର ଜଣେ ଛାତ୍ର, ସେ ଅମ୍ବେଦକରବାଦୀ ଦୃଷ୍ଟିକୋଣରେ ଭାରତୀୟ ଇତିହାସକୁ ବିଶ୍ଲେଷଣ କରନ୍ତି, ତା ସହିତ ସେ ଜଣେ ନିର୍ଦ୍ଧେଷକ ଓ ଲେଖକ ଅଟନ୍ତି ।

Leave a Reply

Your email address will not be published. Required fields are marked *