ଧର୍ମ ସଂଖ୍ୟା ଗରିଷ୍ଠତା ଦର୍ଶାଇବା ପାଇଁ ଆଦିବାସୀ ମାନଙ୍କୁ ହିନ୍ଦୁ କରାଯାଉନି ତ?

ଏବେ ଦେଶରେ ଧର୍ମକୁ ନେଇ ପ୍ରତିଦ୍ୱନ୍ଦୀତା ଚାଲିଥିବା ବେଳେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଭର୍ଚ୍ୟୁଆଲ ଯୋଗେ ହାୱାର୍ଡ଼-ଇଣ୍ଡିଆ କନଫ୍ରେନ୍ସ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ଆଦିବାସୀ ମାନେ ହିନ୍ଦୁ ନଥିଲେ କି ଏବେବି ନାହାଁନ୍ତି ବୋଲି। ଆଦିବାସୀମାନେ ପ୍ରକୃତି ପୂଜକ ଓ ତାଙ୍କର ଅଲଗା ରୀତିନୀତି ରହିଛି, ଦିର୍ଘ ବର୍ଷ ଧରି ଆଦିବାସୀ ସମାଜକୁ ଦବାଇକି ରଖା ଯାଇଛି, କେବେ ଇଣ୍ଡିଯିନସ, କେବେ ଟ୍ରାଇବାଲ ତ କେବେ ପଛୁଆବର୍ଗ ଶ୍ରେଣୀର ପରିଚୟ ଦିଆଯାଏ । ଏଥରକ ଆଦିବାସୀ ସମାଜକୁ ଅନାନ୍ୟ ପଛୁଆ ଶ୍ରେଣୀରୁ ହଟାଇ ଦିଆଯାଇଛି । ଜନଗଣନାରେ ଆଦିବାସୀଙ୍କୁ କୌଣସି ସ୍ଥାନ ଦିଆଯାଇ ନାହିଁ । ପାଞ୍ଚ-ଛ’ଟି ଧର୍ମକୁ ନେଇ ଏଇଆ କୁହାଯିବା ପାଇଁ ଚେଷ୍ଟା କରାଯାଇଛି ଯେ, ତାଙ୍କୁ ଏହା ଭିତରୁ ଗୋଟିଏ ଚୟନ କରିବା ପାଇଁ ହେବ । ସେ କହିଛନ୍ତି ରାଜ୍ୟ ସରକାର କେନ୍ଦ୍ରକୁ କହିଛନ୍ତି, ଆଗାମୀ ଜନଗଣନାରେ ଆଦିବାସୀଙ୍କ ପାଇଁ ଅଲଗା ଏକ କଲମ ହେବା ଦରକାର, ଯାହା ଫଳରେ ସେମାନେ ନିଜର ପରମ୍ପରା ଓ ସଂସ୍କୃତିକୁ ସଂରକ୍ଷିତ କରି ରଖିବେ।

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଏଇ ମନ୍ତବ୍ୟ ପରେ ଦେଶରେ ଅନେକ ତୁମ୍ବି ତୋଫାନ ଖେଳି ଯାଇଛି ଓ ଏହି ମନ୍ତବ୍ୟକୁ ଅନେକ ସମାଲୋଚନା କରିବା ସହିତ ବିରୋଧ କରିଛନ୍ତି । ଏହା ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭଗବତ ଭୋପାଳ ଠାରେ ଏକ ସମାବେସରେ କହିଥିଲେ ଆଦିବାସୀ ମାନେ ନିଜ ଧର୍ମ “ହିନ୍ଦୁ” ବ୍ୟତୀତ ଅନ୍ୟକିଛି ଲେଖନ୍ତୁ ନାହିଁ । ଆଗାମୀ ୨୦୨୧ ଜନଗଣନାକୁ ଆଖିଆଗରେ ରଖି “ହିନ୍ଦୁ ଧର୍ମକୁ” କିପରି ସଂଖ୍ୟା ଗରିଷ୍ଠ ଦର୍ଶାଯାଇ ପାରିବ ଏଥିପାଇଁ ଧର୍ମକୁ ଅଗ୍ରାଧିକାର ଦେଇ ଆଦିବାସୀ ମାନଙ୍କୁ ଷଡ଼ଯନ୍ତ୍ର କରି ହିନ୍ଦୁତ୍ୱ କରଣ କରାଯାଉଛି।

ପ୍ରଥମେ ଅନୁଧ୍ୟାନ କରିବା ଆଦିବାସୀ ମାନେ ହିନ୍ଦୁ ନାଁ ହିନ୍ଦୁ ନୁହଁନ୍ତି? ଯଦି କୌଣସି ବିଚାର ଧାରାର ସଂକୀର୍ଣ୍ଣତାର ଉର୍ଦ୍ଧକୁ ଉଠି ଦେଶର ଆଇନ ବ୍ୟବସ୍ଥା ‘ବା’ ସମ୍ବିଧାନକୁ ଅନୁଧ୍ୟାନ କରି ଦେଖିବା ଧାରା ୩୬୬ର କ୍ଲଜ ୨୫, ହିନ୍ଦୁ ବିବାହ ଆଇନର ୧୯୫୫ର ଧାରା ୨ ଓ ଉପଧାରା ୨, ହିନ୍ଦୁ ମାଇନୋରିଟି ଗାର୍ଡିଆନସିପ୍ ଆଇନ,୧୯୫୬ର ଧାରା ୨ ଓ ଉପଧାରା ୨, ଏବଂ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬ର ଧାରା ୨ ଓ ଉପଧାରା ୨ ଦର୍ଶାଇଛି ଯେ ଆଦିବାସୀ ମାନେ ହିନ୍ଦୁ ନୁହଁନ୍ତି । ଯଦି ଦେଶର ସମ୍ବିଧାନ ଓ ଆଇନ ବ୍ୟବସ୍ଥା ଆଦିବାସୀ ମାନଙ୍କୁ “ହିନ୍ଦୁ” ନୁହେଁ ଯାହା ଦର୍ଶାଉଛି କିନ୍ତୁ କ’ଣ ଏପରି ହୋଇଛି ଯେ ଆଦିବାସୀଙ୍କ ଧର୍ମକୁ ନେଇ ପ୍ରମୂଖ ବିଚାର ଧାରାର ମୁଖ୍ୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ମୁଁ ପୂର୍ବେ ଦର୍ଶାଇ ସାରିଛି ଆଗକୁ ୨୦୨୧ ଜନଗଣନାରେ ”ହିନ୍ଦୁ ଧର୍ମକୁ” ସଂଖ୍ୟାଗରିଷ୍ଠ ଦର୍ଶାଇବା ପାଇଁ ଆଦିବାସୀ ମାନଙ୍କୁ ଷଡ଼ଯନ୍ତ୍ର କରି ହିନ୍ଦୁତ୍ୱ କରଣ କରାଯାଉଛି।

ଅନେକ ଗବେଷକଙ୍କ ମତ ଅନୁସାରେ ଆଦିବାସୀ ମାନଙ୍କ ଦେବତା ଓ ପୂଜାପ୍ରଣାଳୀ ମଧ୍ୟ ଭିନ୍ନ । ସେମାନେ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ପୂଜିବା ପରିବର୍ତ୍ତେ ସେମାନେ ମନୁଥିବା ଦେବାଦେବୀଙ୍କୁ ତାଙ୍କ ପରମ୍ପରା ଅନୁସାରେ ପୂଜା କରନ୍ତି । ସେମାନଙ୍କ ପୂଜକଙ୍କ ପରିଚୟ ମଧ୍ୟ ଭିନ୍ନ ଓ ଆଦିବାସୀ ମାନଙ୍କ ପୂଜାପାଇଁ ପୁସ୍ତକ(ପୋଥି) ମଧ୍ୟ ଭିନ୍ନ । ସେମାନେ ତାଙ୍କ ପୁସ୍ତକ(ପୋଥି) ଅନୁସାରେ ପୂଜାପାଠ କରନ୍ତି । ହିନ୍ଦୁ ମାନଙ୍କ ତୀର୍ଥସ୍ଥଳକୁ ମଧ୍ୟ ସେମାନେ ସେମାନଙ୍କ ତୀର୍ଥସ୍ଥଳ ଭାବେ ଗ୍ରହଣ କରନ୍ତି ନାହିଁ।

ସେମାନଙ୍କ ତୀର୍ଥସ୍ଥାନ ଲୁଗୁବୁରୁ ଘଣ୍ଟବାରି(ଝାଡ଼ଖଣ୍ଡ) । ଏଭଳି ଏକ ସ୍ଥଳ ପଶ୍ଚିମବଙ୍ଗରେ ମଧ୍ୟ ରହିଛି । ଆଦିବାସୀଙ୍କ ଦେବତା ମାନଙ୍କ ମଧ୍ୟରେ ମାରାଙ୍ଗବୁରୁ, ମୋଡେକୁ,ଡୁରୁଲକୁ ଅନ୍ୟତମ । ଅନ୍ୟପକ୍ଷରେ ହିନ୍ଦୁ ମାନଙ୍କର ଅନେକ ଦେବାଦେବୀ ଅଛନ୍ତି ଯାହାକୁ ହିନ୍ଦୁମାନେ ପୂଜାର୍ଚ୍ଚନା କରିଥାନ୍ତି । ଆଦିବାସୀ ସମାଜର କେହି ମୂର୍ତ୍ୟୁବରଣ କରିଲେ ତାଙ୍କ ମୂର୍ତ୍ୟୁ ଶରୀରକୁ ପୋତିଦିଆଯାଇଥାଏ। କିନ୍ତୁ ହିନ୍ଦୁ ଧର୍ମର ମୂର୍ତ୍ୟୁ ବ୍ୟକ୍ତିର ଶବକୁ ପୋଡ଼ିବାର ନିୟମ ଅଛି । ଝାଡ଼ଖଣ୍ଡରେ ଓରାଙ୍ଗ ନାମକ ଏକ ସମ୍ପ୍ରଦାୟ ରହିଛି । ଏହିମାନେ ଆଦିବାସୀ ସମ୍ପ୍ରଦାୟର ଏକ ସଂଖ୍ୟାଗରିଷ୍ଠ ଗୋଷ୍ଠି ଓ ଏମାନଙ୍କ ପୂଜାସ୍ଥଳୀକୁ ସାରଣା କୁହାଯାଏ । ଏହି କାରଣ ଯୋଗୁଁ ଝାଡ଼ଖଣ୍ଡ ଆଦିବାସୀ ମାନେ ସାରଣା ଧର୍ମକୁ ମାନିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଆଦିବାସୀ ମାନେ ନିଜକୁ ଅଲଗା ଧର୍ମର ବୋଲି ମାନିଥାନ୍ତି । ଆମ ରାଜ୍ୟରେ ୬୨ ପ୍ରକାରର ଜନଜାତି ବାସ କରୁଛନ୍ତି । ରାଜ୍ୟର ସମୁଦାୟ ଜନସଂଖ୍ୟାର ଏମାନେ ହେଉଛନ୍ତି ୨୪ ପ୍ରତିଶତ ।
ପ୍ରସଙ୍ଗ ହେଉଛି ଆଦିବାସୀ ମାନେ ନିଜକୁ “ହିନ୍ଦୁ” ମାନୁ ନଥିବା ବେଳେ ତାଙ୍କୁ ବଳ ପୂର୍ବକ ଚକ୍ରାନ୍ତ କରି ହିନ୍ଦୁ କରେଇବା ପଛରେ ଧର୍ମ ଗରିଷ୍ଠତା ଦର୍ଶାଇବା ବ୍ୟତୀତ ଅନ୍ୟ କେଉଁ କାରଣ ମାନ ରହୁଛି?

ଆଦିବାସୀଙ୍କୁ ହିନ୍ଦୁ କରେଇବା ପାଇଁ ବହୁ କାଳରୁ ଅନେକ ପ୍ରଚେଷ୍ଟା କରାଯାଇଛି ଯେପରି କି, ଜଗନ୍ନାଥ ଆଦିବାସୀଙ୍କ ଦେବତା ଥିଲେ, ରାମ ସବରୀ ଅଇଁଠା ଖାଇଥିଲେ । ସାନ୍ତାଳୀ, ଭିଲ,ମୁଣ୍ଡା,ଆଦୀ ସମସ୍ତଙ୍କର ସେମାନଙ୍କ ଭାଷାରେ ରାମାୟଣ ରହିଛି । କେରଳ ଆୟାପା ଭଗବାନ, ସାବରୀମାଳା,ଆଦ୍ରପ୍ରଦେଶର ତିରୁପତି ବାଲାଜି,କୋରାପୁଟ ଗୁପ୍ତେଶ୍ଵର ମନ୍ଦିର,ଝାଡ଼ଖଣ୍ଡର ମା’ ଦେଉରୀ ଦୁର୍ଗା ମନ୍ଦିର ସହିତ ଆଦିବାସୀ ମାନେଜଡ଼ିତ ଥିବା ଉଦାହରଣ ଦିଆଗଲେ ବି ଏହା ଅନ୍ୟଏକ ପ୍ରସଙ୍ଗ । ଏହାବ୍ୟତୀତ ଅନ୍ୟ କିଛି ବ୍ୟକ୍ତିମାନେ ଦାବିକରନ୍ତି ପ୍ରକୃତି ପୂଜା ହିନ୍ଦୁ ଧର୍ମ ପରମ୍ପରାର ଅଭିର୍ଣ୍ଣ ଅଙ୍ଗ, ଉପାସନା ପଦ୍ଧତି ଅଳ୍ପବହୁତ ଅଲଗା ହୋଇପାରେ କିନ୍ତୁ ସନାତନ ହିନ୍ଦୁ ଧର୍ମରେ ସ୍ୱୀକୃତି ।ଯେପରି ଶୈବ, ବୈଷ୍ଣବ,ଶାକ୍ତ ଗୋଟେ ଗୋଟେ ଉପାସନା ସେପରି ଆଦିବାସୀ ମାନଙ୍କ ପରମ୍ପରା ବି ଗୋଟେ ଉପାସନା ହୋଇପାରେ, ଯାହା ଅଯୌକ୍ତି କରକ । ହିନ୍ଦୁ ଧର୍ମର ବିଶିଷ୍ଠ ଗବେଷକ ରାଜୀବ ମାଲହୋତ୍ରା ତାଙ୍କ ଦ୍ବାରା ଲିଖିତ “ବ୍ରେକିଙ୍ଗ ଇଣ୍ଡିଆ” ପୁସ୍ତକରେ ଆଦିବାସୀଙ୍କୁ ହିନ୍ଦୁ କରେଇବା ପାଇଁ  ଅନେକ ବିଷୟ ବସ୍ତୁକୁ ଚିତ୍ରଣ କରିଥିଲେ ହେଁ ସେଥିରେ ସେ ଅସଫଳ ହୋଇଛନ୍ତି ।

 ଯଦି ଜନଗଣନା ଅନୁପାତରେ ଦେଖାଯାଏ ୧୮୭୧ ମସିହାରେ ବ୍ରିଟିଶ ସରକାରଙ୍କ ସାଶନ ସମୟରେ ପ୍ରଥମ ଜନଗଣନା ହୋଇଥିଲା।୧୮୯୧ ମସିହା ଠାରୁ ୧୯୪୧ ମସିହା ପର୍ଯ୍ୟନ୍ତ ଆଦିବାସୀଙ୍କର ଅଲଗା ଧର୍ମ ଥିଲା, ହିନ୍ଦୁ ଧର୍ମ ନଥିଲା । ଏହାପରଠାରୁ ଟ୍ରାଇବାଲ ବା ଜନଜାତି ପରି ଶବ୍ଦ ଉତ୍ପତି ହୋଇଥିଲା । ତଥ୍ୟ ଅନୁଯାୟୀ ସେ ସମୟରେ ଏମାନଙ୍କ ଜନସଂଖ୍ୟା ୫ ପ୍ରତିଶତ ଥିଲା । ୧୯୪୧ ଜନଗଣନା ବେଳକୁ ଏମାନଙ୍କ ଜନସଂଖ୍ୟା ବଢ଼ି ୧୨ ପ୍ରତିଶତ ହୋଇଥିଲା । କିନ୍ତୁ ୧୯୫୧ ମସିହା ପରଠାରୁ ଆଜିପର୍ଯ୍ୟନ୍ତ ଜନଜାତି କିମ୍ବା ସେମାନେ ମାନୁଥିବା ଧର୍ମର କୌଣସି ତଥ୍ୟ ନାହିଁ । ଦେଶ ସ୍ଵାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଆଦିବାସୀ ମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆ ଯାଇଥିଲେବି ଧର୍ମ ସ୍ଥାନରେ କିଛି ଲେଖାଯାଇ ନାହିଁ । କେବଳ ଧର୍ମ ସ୍ଥାନରେ ହିନ୍ଦୁ,ମୁସଲମାନ, ଖ୍ରୀଷ୍ଟିଆନ ଆଦି ଧର୍ମ ଥିବାବେଳେ ଆଦିବାସୀ ମାନଙ୍କ ପାଇଁ ତନ୍ମଧ୍ୟରୁ କେଉଁ ଧର୍ମ ପ୍ରଯୁଜ୍ୟ ତା ଆଲୋଚନାର ବିଷୟ । ଯଦିଓ ୨୦୧୧ ଜନଗଣନାରେ ଏମାନଙ୍କ ସଂଖ୍ୟା ୮ ପ୍ରତିଶତ ଥିଲା । ପ୍ରଶ୍ନ ଉଠୁଛି ଆଦିବାସୀ ମାନେ କେଉଁ ଧର୍ମର ଓ ଏମାନେ କେଉଁ ଧର୍ମକୁ ମାନନ୍ତି । ପୂର୍ବେ ଆଲୋଚନା କରି ସାରିଛେ ଆଦିବାସୀ ହିନ୍ଦୁ ନୁହଁନ୍ତି ଓ ଏମାନଙ୍କ ପରମ୍ପରା ହିନ୍ଦୁ ଧର୍ମର ପରମ୍ପରା ଠାରୁ ଭିନ୍ନ ଓ ଏମାନଙ୍କୁ ବିଭିନ୍ନ ଧର୍ମରେ ବାଣ୍ଟିବା ପଛରେ କୌଣସି ଷଡଯନ୍ତ୍ର ରହୁନି ତ?

ଯାହା ମନେ ହେଉଛି ପ୍ରକୃତି ପୂଜକ,ପ୍ରକୃତି ଉପାସକ, ପ୍ରକୃତି ରକ୍ଷକ । ସରଳ,ନିରୀହ, ବିଶ୍ୱାସୀ ଓ ଜଙ୍ଗଲ, ଜମି, ଖଣିଜ ପଦାର୍ଥର ଅଧିକାରୀ ବା ଦେଶର ଅସଲି ମାଲିକଙ୍କୁ କିପରି ଲୁଟାଯିବ ଓ ସେମାନଙ୍କ ଅସ୍ତିତ୍ୱକୁ ସବୁଦିନ ପାଇଁ ଲୋପ କରି ସେମାନଙ୍କ ଠାରୁ ଅନେକ କିଛି ହାସଲ କରାଯିବ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଖାସ କରି ଅସ୍ତ୍ରଭାବେ ବ୍ୟବହାର କରାଯାଉଛି ଏବଂ ଜନଗଣନାରେ ଏହି ଧର୍ମକୁ ଆଦିବାସୀ ମାନଙ୍କ ଉପରେ ଥୋପିବା ପାଇଁ ଚକ୍ରାନ୍ତ କରାଯାଉଛି ।

ସମ୍ବିଧାନ ନିୟମ ଅନୁସାରେ ଅନୁଛେଦ ୩୪୨ ଅନୁସାରେ ରାଷ୍ଟ୍ରପତି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟ ପାଳଙ୍କ ସହ ପରାମର୍ଶ ପରେ ସାର୍ବଜନୀନ ଅଧିସୂଚନା ଜାରି କରି ଆଦିବାସୀ ଜାତି,ସମୁଦାୟ,ବା ଆଦିବାସୀ ମାନଙ୍କୁ ନିଦିଷ୍ଟ କରିବେ ଯାହା ସମ୍ବିଧାନର ଉଦ୍ଦେଶ୍ୟ ପାଇଁ ସେଇ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଥି ପାଇଁ ଉଦିଷ୍ଠ ହୋଇଥିବ ସେଇ ସମ୍ପ୍ରଦାୟ ବା ଜାତିକୁ ଆଦିବାସୀ ବା ଅନୁସୂଚିତ ଜାତି ବୋଲି ଗ୍ରହଣ କରାଯିବ । ସମ୍ବିଧାନ ଅନୁଛେଦ ୩୬୬(୨୫)ରେ ୩୪୨ ଅନୁସାରେ ଘୋଷିତ ଜନଜାତିକୁ ଜନଜାତି କୁହାଯିବ ବୋଲି ଉଲ୍ଲେଖ କରାଯାଇଛି । ଆମ ଦେଶର ଆଇନ ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ୧୯୫୫ ହିନ୍ଦୁ ବିବାଦ ଆଇନ ଆଦିବାସୀଙ୍କ ପାଇଁ ଲାଗୁ ନୁହେଁ,ଏହି ଆଇନର ଧାରା ୨ ଓ ଉପଧାରା ୨ ରେ କୁହାଯାଇଛି ଯେ ହିନ୍ଦୁ ବିବାହ ଆଇନ ଆଦିବାସୀଙ୍କ କ୍ଷେତ୍ରରେ ଲାଗୁ ନୁହେଁ । ହିନ୍ଦୁ ଉତ୍ତରାଧିକାର ଆଇନ-୧୯୫୬,ହିନ୍ଦୁ ଅପ୍ସନ ଆଣ୍ଡ ଗଡ଼ିଆନସିପ ଆଇନ ୨୯୫୬ର ଧାରା ୨ ଅନୁସୂଚିତ ଜନଜାତି ପାଇଁ ଲାଗୁ ନୁହେଁ । ଅର୍ଥାତ ଆଦିବାସୀଙ୍କ କ୍ଷେତ୍ରରେ ହିନ୍ଦୁଙ୍କ ପାଇଁ ଉଦିଷ୍ଠ କୌଣସି ଆଇନ ଲାଗୁ ନୁହେଁ । ବିଭିନ୍ନ ସମୟରେ ଅନେକ ରାଜ୍ୟର ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ କହିସାରିଛନ୍ତି ଯେ ଆଦିବାସୀ ମାନେ ହିନ୍ଦୁ ଆଇନି ଉର୍ଦ୍ଧରେ ଓ ଏମାନଙ୍କ କ୍ଷେତ୍ରରେ ହିନ୍ଦୁ ଆଇନ ଲାଗୁ କରାଯାଇ ପାରିବ ନାହିଁ।

ଏହିଥିରୁ ସ୍ପଷ୍ଟ ଯେ ସାଧାରଣ ଭାବେ ଆଦିବାସୀ ମାନେ ହିନ୍ଦୁ ନୁହଁନ୍ତି । କିନ୍ତୁ ସ୍ୱାର୍ଥ ହାସଲ କରିବା ପାଇଁ କୁ-ଚକ୍ରାନ୍ତକାରୀ ନ୍ୟସ୍ତ ଗୋଷ୍ଠି ମାନେ ଆଦିବାସୀଙ୍କୁ ହିନ୍ଦୁ ଭାବେ ଦର୍ଶାଇବା ପାଇଁ ଚକ୍ରାନ୍ତ କରୁଛନ୍ତି ।

ଲେଖକ : ସୁଶୀଲ୍ କୁମାର ଭୋଇ,ଭୁବନେଶ୍ୱର-୨
(ସାମାଜିକ କର୍ମୀ) , Contact: Sushilkumarbhoi9977@gmail.com

1 thought on “ଧର୍ମ ସଂଖ୍ୟା ଗରିଷ୍ଠତା ଦର୍ଶାଇବା ପାଇଁ ଆଦିବାସୀ ମାନଙ୍କୁ ହିନ୍ଦୁ କରାଯାଉନି ତ?

  1. ବହୁତ ସୁନ୍ଦର ଲେଖା ଯାହା ବହୁଜନ ସମାଜ କୁ ନୂଆଁ ମାନସିକ ଆନ୍ଦୋଳନ ଦେବ

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.