ବାବାସାହେବ ଡଃ.ଅମ୍ବେଦକର ଓ ବୌଦ୍ଧ ଧମ୍ମ

ପ୍ରାଚୀନ ଭାରତ ବର୍ଷରେ ଗୌତମ ବୁଦ୍ଧ ଜଣେ ଆଲୌକିକ ମହାପୁରୁଷ ରୁପେ ଆବିର୍ଭାବ ହୋଇଥିଲେ। ସେ ଭାରତ ବର୍ଷକୁ ନୂତନ ଦିଗଦର୍ଶନ ମାଧ୍ୟମରେ ଅହିଂସା, ମାନବିକାତା, ନୈତିକତା, କରୁଣା, ସାମ୍ୟ ଓ ମୈତ୍ରୀ ଆଦି ଶିକ୍ଷା ପ୍ରଦାନ କରିଛନ୍ତି। ସେହି ପଥକୁ ଅନୁଧାବନ କରିଛନ୍ତି ଆଧୁନିକ ଭାରତର ଜନନାୟକ, ରାଷ୍ଟ୍ର ନାୟକ ତଥା ମାନବ ଅଧିକାର ର ଆବାହକ ଭାରତ ରତ୍ନ ଡଃ. ଭୀମ ରାଓ ଅମ୍ବେଦକର।

ଗୌତମ ବୁଦ୍ଧ ଖ୍ରୀ. ପୂ ଷଷ୍ଠ ଶତାବ୍ଦୀରେ ଏକ ନୂତନ ଧର୍ମ ଯାହା ବୌଦ୍ଧ ଧମ୍ମ ନାମରେ ପରିଚିତ ପ୍ରତିସ୍ଥାପନ କରି ବ୍ରାହ୍ମଣ ଧର୍ମରେ ତଥା ଅନ୍ୟାନ୍ୟ ପ୍ରଚଳିତ ଦର୍ଶନ ଓ ଧର୍ମରେ ଥିବା ଧାର୍ମିକ କୁସଂସ୍କାର, ଜଟିଳ ଧର୍ମ କାର୍ଯ୍ୟ ଯଥା; ଯାଗଯଜ୍ଞ, ପଶୁବଳୀ, ଅବାନ୍ତର କର୍ମକାଣ୍ଡ, ବ୍ରାହ୍ମଣ ମାନଙ୍କର ଆଧିପତ୍ୟ ଓ ଜାତି ପ୍ରଥା ଉପରେ କୁଠାରାଘାତ କରିଥିଲେ। ବୌଦ୍ଧ ଧମ୍ମ ସେ ସମୟର ଭାରତବର୍ଷର ଚିନ୍ତା ରାଜ୍ୟରେ ଅଭୂତପୂର୍ବ ଚେତନାର ସ୍ବରୂପ ଲୋକମାନଙ୍କ ମାନସ ରାଜ୍ୟରେ ନବଜାଗରଣର ଵହ୍ନି ପ୍ରଜ୍ବଳନ କରିବାରେ ସଫଳ ହୋଇଥିଲା । ଏହି ଜାଗରଣ ବିଂଶ ଶତାବ୍ଦୀରେ ଡଃ. ଭିମରାଓ ଅମ୍ବେଦକରଙ୍କ ମଧ୍ୟରେ ପ୍ରଫଳିତ ହୋଇଛି।

ଅମ୍ବେଦକରଙ୍କ ମତରେ ହିନ୍ଦୁ ଧର୍ମର ଆଧାର ବର୍ଣ୍ଣ ବ୍ୟବସ୍ଥା ଯାହା ଜାତି ବ୍ୟବସ୍ଥା ଉପରେ ଆଧାରିତ, କେବେବି ସମାନତା, ବନ୍ଧୁତା ତଥା ମାନବୀୟତାକୁ ସ୍ବୀକାର କରିପାରିବ ନାହିଁ। କାରଣ ଜାତିର ମୁଖ୍ୟ ଲକ୍ଷଣ ହେଉଛି ମଣିଷ ସମାଜକୁ ବିଭିନ୍ନ ଜୀବିକା ଅନୁସାରେ ଅନେକ ଜାତିରେ ବିଭକ୍ତ କରି, ଉଚ୍ଚ ନିଚ୍ଚର ପାହାଚ, ଯାହାର ଆଧାର ଅସମାନତା ସୃଷ୍ଟି କରିବା। ଫଳସ୍ବରୂପ ସେ ୧୯୩୫ ମସିହାରେ କହିଲେ:-

ମୁଁ ହିନ୍ଦୁ ଧର୍ମରେ ଜନ୍ମଗ୍ରହଣ କରିଥିଲି ଏହା ମୋ ହାତରେ ନ ଥିଲା, ହେଲେ ମୁଁ କେବେ ବି ହିନ୍ଦୁ ଧର୍ମରେ ମରିବି ନାହିଁ।

ଏହିପରି ସେ ହିନ୍ଦୁ ଧର୍ମକୁ ତ୍ୟାଗ କରି ବୌଦ୍ଧ ଧମ୍ମକୁ ଗ୍ରହଣ କରିଥିଲେ।

ଡଃ. ଭିମରାଓ ଅମ୍ବେଦକର ମହାରାଷ୍ଟ୍ର ରାଜ୍ୟର ମାହୋଠାରେ ଏକ ଦଳିତ ପରିବାରରେ ୧୪ ଏପ୍ରିଲ୍ ୧୮୯୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ ସମାଜରେ ପ୍ରଚଳିତ ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ତାଙ୍କୁ ହିନ୍ଦୁ ଧର୍ମ ଓ ସମାଜ ପ୍ରତି ବିତୃଷ୍ଣା କରିଥିଲା। ସେ ଭାରତ ଓ ବିଦେଶର ବିଖ୍ୟାତ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷା ଲାଭ କରି ମଧ୍ୟ ସମାଜ ତାଙ୍କୁ ଅବହେଳିତ ଦୃଷ୍ଟିରେ ଦେଖିଛି। କାରଣ ସେ ଦଳିତ ସମାଜରେ ଜନ୍ମ ଗ୍ରହଣ କରିଥିଲେ। ସେ ବିଦ୍ୟାଳୟରେ ଶିକ୍ଷାରମ୍ଭ ସମୟରେ ବହୁ ସାମାଜିକ ସମସ୍ୟାର ସମ୍ମୂଖିନ ହୋଇଥିଲେ। ସେ ତଥା କଥିତ ଉଚ୍ଚ ଜାତିର ପିଲାମାନଙ୍କ ପରି ସବୁ ସ୍ଥାନ ଏବଂ ସମସ୍ତ ଜିନିଷ ବ୍ୟବହାର କିମ୍ବା ସ୍ପର୍ଶ କରିବାର ଅଧିକାର ନଥିଲେ। ଯାହା ତାଙ୍କୁ ମାନସିକ ସ୍ଥରରେ ଆନ୍ଦୋଳିତ କରିଥିଲା। ବହୁ ପ୍ରଚେଷ୍ଟା ପରେ ସେ ହୃଦୟଙ୍ଗମ କରିଥିଲେ;

ଯେ ପର୍ଯ୍ୟନ୍ତ ହିନ୍ଦୁ ଚତୁଵର୍ଣ୍ଣ ବ୍ୟବସ୍ଥା ଓ ଜାତି ପ୍ରଥାର ପ୍ରଚଳନ ଥିବ ସେ ପର୍ଯ୍ୟନ୍ତ ହିନ୍ଦୁ ସମାଜ କେବେହେଲେ ଗୋଟିଏ ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିପାରିବ ନାହିଁ।

ହିନ୍ଦୁ ଧର୍ମର ମୁଳଦୁଆ ହେଉଛି ଜାତି ପ୍ରଥା। ଯେଉଁଥିରେ ତଥାକଥିତ ଉଚ୍ଚ ଜାତିର ଲୋକମାନେ ତଥାକଥିତ ନୀଚ୍ଚ ଜାତିକୁ ଘୃଣା କରନ୍ତି ଏବଂ ଅସ୍ପୃଶ୍ୟ, ଅଜାତି, ଅଛୁଆଁ ଓ ଅସଭ୍ୟ ଭାବେ ଦେଖିଥାନ୍ତି। ଏହାର ବିରୋଧକରି ଡାଃ ଆମ୍ବେଦକର ତାଙ୍କର ସମଗ୍ର ଜୀବନକୁ ଦଳିତ, ଆଦିବାସୀ, ଓ ପଛୁଆ ବର୍ଗ ମାନଙ୍କ ଅଧିକାର ପାଇଁ ଉତ୍ସର୍ଗୀକୃତ କଲେ। ହିନ୍ଦୁ ସମାଜରେ ଦଳିତ ମାନଙ୍କୁ ସର୍ବସାଧାରଣ ସ୍ଥାନ ଯଥା ପୋଖରୀରେ ସ୍ନାନ କରିବା, କୂପରୁ ଜଳ ନେବା ଓ ମନ୍ଦିର ପ୍ରବେଶ ର ଅଧିକାର ପାଇଁ ସେ ବହୁତ ହରତାଳ କରିଥିଲେ। ଯାହାର ଫଳସ୍ବରୂପ ସେ ବହୁ ଶାରୀରିକ ନିର୍ଯାତନାର ସ୍ବୀକାର ହେଉଥିଲେ। ସେ କହିଛନ୍ତି:-

ବ୍ରାହ୍ମଣ ମାନେ ଏହି ଅପ୍ରାକୃତିକ ବ୍ୟବସ୍ଥାର ପ୍ରତିଷ୍ଠାତା ଓ ଏହା ଦ୍ବାରା ନିଜର ଅପ୍ରାକୃତିକ ଅଭିପ୍ରାୟର ପାଳନ କର୍ତା…।

ସଭ୍ୟତର ବିକାଶ ପାଇଁ ଅମ୍ବେଦକର ଧର୍ମର ଆବଶ୍ୟକତାକୁ ସ୍ବୀକାର କରିଛନ୍ତି। କିନ୍ତୁ ଧର୍ମ ନାମରେ ଥିବା ବିଭାଜନକୁ ସେ କେବେହେଲେ ବିଶ୍ବାସ କରୁନଥିଲେ ତାଙ୍କ ମତରେ:-

କେହି କେହି ଭାବନ୍ତି ସେମାନଙ୍କୁ ସମାଜ ପାଇଁ ଧର୍ମର ଆବଶ୍ୟକତା ନାହିଁ। ମୁଁ ସେଥିରେ ବିଶ୍ବାସ କରେ ନାହିଁ। ମୋ ମତରେ ଧର୍ମର ପ୍ରତିଷ୍ଠା ଗୋଟିଏ ସମାଜ ପାଇଁ ନିହାତି ଦରକାର। ହିନ୍ଦୁ ସମାଜର ମୂଳ, ଧର୍ମ ଉପରେ ଆଧାରିତ ଯାହା ମନୁ ସହିଂତାରେ ବର୍ଣିତ। ଏହା ଦ୍ବାରା ମୋର ଉଦ୍ଵୋଧନ ହେଇଛି ଯେ, ଯେ ପର୍ଯ୍ୟନ୍ତ ସ୍ମୃତି/ସହିଂତାର ଧର୍ମ ଉଛେଦ କରି ତା ସ୍ଥାନରେ ଗୋଟିଏ ଉନ୍ନତ ମାନର ଧର୍ମ ପ୍ରତିଷ୍ଠା ନ ହୋଇଛି, ସେ ପର୍ଯ୍ୟନ୍ତ ହିନ୍ଦୁ ସମାଜରୁ ବୈଷମ୍ୟ ଦୁର କରିବା ଅସମ୍ଭବ।

୧୯୩୫ ମସିହା ଅକ୍ଟୋବର୍ ୧୩ ତାରିଖରେ ନାସିକ ଜିଲ୍ଲାର ୟେଓଲାଠାରେ ଅୟୋଜିତ ‘ୟେଓଲା ଧର୍ମାନ୍ତରଣ ସଭା’ରେ ଡାଃ ଆମ୍ବେଦକର ହିନ୍ଦୁ ଧର୍ମ ତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରିବା ପାଇଁ ଘୋଷଣା କଲେ। ଡଃ.ଆମ୍ବେଦକର ସେଠାରେ ପ୍ରତିଜ୍ଞା କଲେ ଯେ “ଦୁର୍ଭାଗ୍ୟ ବସତଃ ମୁଁ ହିନ୍ଦୁ ହୋଇ ଜନ୍ମ ନେଇଥିଲ ତାହା ମୋ ହାତରେ ନ ଥିଲା, ହେଲେ କେବେବି ମୁଁ ହିନ୍ଦୁ ହୋଇ ମୃତ୍ୟୁ ବରଣ କରିବି ନାହିଁ।” ଏବଂ ସଭାରେ ଉପସ୍ଥିତ ହଜାର ହଜାର ଦଳିତ ନେତା ଓ ଅନୁଗାମୀ ମାନଂକୁ କହିଲେ ତୁମେ ସ୍ବ ଇଛାରେ ନିଜର ଧର୍ମ ଅଧିକାର ବନାଅ ଭାଗ୍ୟ ଅନୁସାରେ ନୁହେଁ। ପୁଣି ସେ କହିଛନ୍ତି:-

ଯଦି ତୁମେ ଆତ୍ମସମ୍ମାନ ଚାହୁଁଛ, ତୁମ ଧର୍ମ ପରିବର୍ତ୍ତନ କର ।
ଯଦି ତୁମେ ଗୋଟିଏ ସମବାୟ ସମାଜ ଗଠନ ଚାହୁଁଛ, ତୁମ ଧର୍ମ ପରିବର୍ତ୍ତନ କର।
ଯଦି ତୁମେ କ୍ଷମତା ଚାହୁଁଛ, ତୁମ ଧର୍ମ ପରିବର୍ତ୍ତନ କର।
ଯଦି ତୁମେ ସମାନତା ଚାହୁଁଛ, ତୁମ ଧର୍ମ ପରିବର୍ତ୍ତନ କର।
ଯଦି ତୁମେ ସ୍ବାଧିନତା ଚାହୁଁଛ, ତୁମ ଧର୍ମ ପରିବର୍ତ୍ତନ କର।
ଯଦି ତୁମେ ଗୋଟିଏ ବିଶ୍ବ ଗଠନ କରିବାକୁ ଚାହୁଁଛ ଏବଂ ଯେଉଁଠାରେ ତୁମେ ଖୁସିରେ ବସବାସ କରିବ,
ତୁମ ଧର୍ମ ପରିବର୍ତ୍ତନ କର।

ଅମ୍ବେଦକରଙ୍କ ‘ଜାତିଭେଦର ଉଛେଦ’ (୧୯୩୬) ପୁସ୍ତକରେ ସେ ଲେଖିଛନ୍ତି:-

ହିନ୍ଦୁ ଧର୍ମ ଏକ ଧାର୍ମିକ ନିୟମାବଳୀ, କର୍ମ କର୍ମାଣୀର ସଂକ୍ଷିପ୍ତ ସାର, ଯାହା ଜାତି ପ୍ରଥାର ବର୍ଗୀକରଣ ଓ ଅସ୍ପୃଶ୍ୟତା ଉପରେ ପର୍ଯ୍ୟବେସିତ। ଜାତି ହିନ୍ଦୁ ଧର୍ମର କେନ୍ଦ୍ର ବିନ୍ଦୁ ଓ ଅସ୍ପୃଶ୍ୟତା ଏହାର ଲକ୍ଷଣ। ଏହି ପ୍ରଥାର ସଂସ୍କାର ଆଣିବା ଅସମ୍ଭବ କାରଣ ଅସ୍ପୃଶ୍ୟତା ଏହାର ଅନ୍ତର୍ନିହିତ ଗୁଣ।

ଏହାହିଁ ହେଉଛି ମୌଳିକ କାରଣ, ଯେଉଁଥିପାଇଁ ସେ ଗାନ୍ଧୀଜୀଙ୍କ ସଂସ୍କାର ନୀତିକୁ ଓ ତାଙ୍କ ବର୍ଣ୍ଣ ବ୍ୟବସ୍ଥା ପ୍ରତି ବିଚାରକୁ ବିରୋଧ କରୁଥିଲେ। ଅମ୍ବେଦକରଙ୍କ ସ୍ତ୍ରୀ ରମାବାଇଙ୍କ ଇଛାଥିଲା ତୀର୍ଥ ୟାତ୍ରା ପାଇଁ ଯିବେ ପନ୍ଦାରପୁର କିନ୍ତୁ ପନ୍ଦାରପୁର ଯିବାକୁ ଅମ୍ବେଦକର ମନା କରିଥିଲେ ଏବଂ କହିଲେ ସେ ତାଙ୍କ ପାଇଁ ଗୋଟିଏ ନୂତନ ପନ୍ଦାରପୁର ଗଠନ କରିବେ, ଯେଉଁଠି ହିନ୍ଦୁ ମାନଙ୍କ ପନ୍ଦାରପୁର ପରି ଅସ୍ପୃଶ୍ୟତା ନଥିବ।

ଡଃ ଅମ୍ବେଦକର ବର୍ତ୍ତମାନର ଭାରତ ବର୍ଷକୁ କିଛି ଉଚ୍ଚ ଜାତିର ହିନ୍ଦୁ ମାନଙ୍କର ରାଷ୍ଟ୍ର ବୋଲି ଉଲ୍ଲେଖ କରିଛନ୍ତି। “ଦେଶରେ ଶୁଦ୍ର ଓ ଅସ୍ପୃଶ୍ୟ ଜାତିର ଲୋକ ସଂଖ୍ୟାଧିକ ଥାଇ ମଧ୍ୟ ସେମାନଙ୍କର ନିଜର ଦେଶ ବୋଲି କିଛି ନାହିଁ କିନ୍ତୁ ଏମାନେ ହେଉଛନ୍ତି ଏ ଦଶର ମୂଳ ବାସିନ୍ଦା। ଭାରତୀୟଙ୍କ ପାଇଁ ପ୍ରକୃତରେ ପୃଥିବିରେ କୌଣସି ରାଷ୍ଟ୍ର ନାହିଁ। ଏହାକୁ ଗଠନ କରିବାକୁ ପଡିବ। ଏହି ରାଷ୍ଟ୍ର ଗଠନ ପ୍ରକ୍ରିୟା କିଛି ବର୍ଗର ଲୋକମାନଙ୍କୁ ବାଦ୍ ଦେଇ ପରିକଳ୍ପନା ଅସମ୍ଭବ। ରାଷ୍ଟ୍ରିୟ଼ତା ଭାବ କହିଲେ ହିନ୍ଦୁ ଧର୍ମ ନୁହେଁ। ଆମ୍ଭେମାନେ ଏବେ ଅଛୁଆଁ, ଅସ୍ପୃଶ୍ୟତାରୁ ମୁକ୍ତ; କାରଣ ଆମ୍ଭେମାନେ ହିନ୍ଦୁ ହୋଇନାହୁଁ। ଆମ୍ଭେମାନେ ଗୋଟିଏ ରାଷ୍ଟ୍ର ଗଠନ କରିବୁ, ଯେଉଁଠାରେ କୌଣସୀ ଜାତି ପ୍ରଥାର ଭେଦଭାବ ନଥିବ।”

ଅମ୍ବେଦକର ୧୯୦୮ ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ ହେଲାପରେ ବମ୍ବେର ଜଣେ ଶିକ୍ଷକ କେ.ଏ. କେଲୁସକର୍ ତାଙ୍କୁ ଗୌତମ ବୁଦ୍ଧଙ୍କ ଜୀବନୀ ସମ୍ବନ୍ଧୀୟ ପୁସ୍ତକ ପ୍ରଦାନ କରିଥିଲେ। ଏହି ପୁସ୍ତକ ଯୁବ ଅମ୍ବେଦକରଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା। ବୌଦ୍ଧ ଧମ୍ମ ଗ୍ରହଣ ଓ ପ୍ରଚାର ପ୍ରସାର କରିବାରେ ଅମ୍ବେଦକର ଆଧୁନିକ ଭାରତର ପ୍ରଥମ ବ୍ୟକ୍ତି ନୁହନ୍ତି। ତାଙ୍କ ପୂର୍ବରୁ ଆୟୋତି ଦାସ୍ ୧୮୯୦ ମସିହାରେ ଭାରତୀୟ ବୌଦ୍ଧ ସଂଘ ମାଧ୍ୟମରେ ତାମିଲ ଦଳିତ ମାନଙ୍କ ମଧ୍ୟରେ ଆନ୍ଦୋଳନ ଆରମ୍ଭ କରିଥିଲେ।

ଊନବିଂଶ ଶତାବ୍ଦୀର ଶେଷଭାଗରେ ଅନାଗରିକ ଧର୍ମପାଳ ବୌଦ୍ଧ ଧମ୍ମର ସ୍ବତନ୍ତ୍ରତା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଯାହାର ଫଳ ସ୍ବରୂପ ୧୮୯୧ ମସିହାରେ ‘ମହାବୋଧି ସମାଜ’ ର ପ୍ରତିଷ୍ଠା ହେଲା। ମହାବୋଧି ସମାଜର ପ୍ରତିଷ୍ଠା ଦ୍ବାରା ବୌଦ୍ଧ ଗୟାକୁ ବୌଦ୍ଧ ଧମ୍ମର ପିଠ ଭାବରେ ମାନ୍ୟତା ପ୍ରଦାନ କରାଗଲା। ଏ ସମସ୍ତଙ୍କ ପ୍ରଚେଷ୍ଟା ସତ୍ବେ ମଧ୍ୟ ସମାଜରୁ ଅସମାନତା ଦୁର କରିପାରିନଥିଲେ। ଆଧୁନିକ ଭାରତରେ ପ୍ରଥମ ଥର ପାଇଁ ଅମ୍ବେଦକର ବୌଦ୍ଧ ଧମ୍ମରେ ଏକ ନୁତନ ସାର୍ବଜନୀନ ଆନ୍ଦୋଳନ ଆରମ୍ଭ କରି ସେ ଭାରତୀୟ ସମାଜରୁ ଦଳିତ ବର୍ଗଙ୍କୁ ମୁକ୍ତି ପ୍ରଦାନ କରିଥିଲେ।

ଅମ୍ବେଦକର ବୌଦ୍ଧ ଧମ୍ମ ଗ୍ରହଣ କରିବା ପୁର୍ବରୁ ଅନ୍ୟ ଧର୍ମ ବିଷୟରେ ମଧ୍ୟ ତର୍ଜମା କରିଥିଲେ। ସେ ହିନ୍ଦୁ ଧର୍ମ ତ୍ୟାଗ କରିବାକୁ ଘୋଷଣା କଲାପରେ, ଅନ୍ୟ ଧର୍ମର, ଧର୍ମ ଜାଯକ ମାନେ ତାଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ଧର୍ମରେ ଦୀକ୍ଷିତ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ସବୁ ଧର୍ମକୁ ଅନୁସନ୍ଧାନ ଓ ଅଧ୍ୟୟନ କଲାପରେ ଶେଷରେ ସେ ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦିନ ନାଗପୁର ଠାରେ ୩୮୦,୦୦୦ ଅନୁଗାମୀ ମାନଙ୍କ ସମ୍ମୁଖରେ ବୌଦ୍ଧ ଧମ୍ମ ଗ୍ରହଣ କଲେ। ସେହି ଦିନଠାରୁ ନାଗପୁର ର ଯୋଉ ଜାଗାରେ ଅମ୍ବେଦକର ଧମ୍ମ ଗ୍ରହଣ କରିଥିଲେ ସେହି ଜାଗାକୁ ଦୀକ୍ଷା ଭୂମି କୁହାଯାଏ ଓ ଅକ୍ଟୋବର୍ ୧୪ ତାରିଖକୁ ଧମ୍ମଚକ୍ର ପ୍ରବର୍ତ୍ତନ ଦିବସ ରୁପେ ପାଳନ କରାଯାଏ। ତାଙ୍କ ଦ୍ବାରା ପ୍ରଚାରିତ ଧମ୍ମକୁ ନବୟାନ ବା ନୂତନ ବୌଦ୍ଧ ଧମ୍ମ ବୋଲି ନାମିତ କରାଗଲା। ଏହାକୁ ଭିମୟାନ (ଅମ୍ବେଦକରଙ୍କ ନାମ ଭିମରାଓ ଅନୁଯାୟୀ) ମଧ୍ୟ କୁହାଯାଏ। ଏହି ଧମ୍ମର ଅନୁଗାମୀ ମାନଙ୍କୁ ସାଧାରଣତଃ ବୌଦ୍ଧ, ଅମ୍ବେଦକରବାଦୀ ବୌଦ୍ଧ, ନୂତନ ବୌଦ୍ଧ ବା ନବୟାନ ବୌଦ୍ଧ ନାମରେ ନାମିତ କରାଯାଇଛି। ଅମ୍ବେଦକରବାଦି ମାନେ “ବୁଦ୍ଧ ଓ ତାଙ୍କ ଧମ୍ମ” ପୁସ୍ତକକୁ ସେମାନଙ୍କର ମୁଖ୍ୟ ଗ୍ରନ୍ଥ ରୁପେ ଗ୍ରହଣ କରିଥାନ୍ତି ଓ ଅମ୍ବେଦକରଙ୍କୁ ବୋଧିସତ୍ୱ ଏବଂ ମୈତ୍ରେୟ ରୂପେ ବିଶ୍ୱାସ କରିଥାନ୍ତି।

ପ୍ରାଚୀନ ବୌଦ୍ଧ ଧମ୍ମର ଅନେକ ଶାଖା ଗୁଡିକ ଯଥା:- ଥେରବାଦ,ମହାୟାନ, ହୀନୟାନ ଓ ବଜ୍ରୟାନର ପୁଙ୍ଖାନୁପୁଙ୍ଖ ଭାବରେ ଅଧ୍ୟୟନ କରି ଅମ୍ବେଦକର ନବୟାନ ବୌଦ୍ଧ ଧମ୍ମର ଗଠନ କରିଛନ୍ତି। ସେ ବୌଦ୍ଧ ଧମ୍ମର ପାରମ୍ପାରିକ ଧାରଣ, ପୁନଃଜନ୍ମ, କର୍ମ, ଓ ଆତ୍ମାର ବିସ୍ବାସକୁ ଗ୍ରହଣ କରିନାହାନ୍ତି। ସେ ପାରମ୍ପରିକ ଚାରି ଆର୍ଯ୍ୟ ସତ୍ୟକୁ ସେ ଭଳି ରୁପେ ଗ୍ରହଣ କରି ନାହାନ୍ତି ଓ ତାର ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି ଯେ ବୌଦ୍ଧ ଧମ୍ମରେ ଦୁଃଖ ନିବାରଣ ହିଁ ମୁଖ୍ୟ ଉଦ୍ଧେସ୍ୟ। ଅମ୍ବେଦକର ଲେଖିଛନ୍ତି ଯେ ଉପରୋକ୍ତ ପାରମ୍ପରିକ ବିଚାର ବୁଦ୍ଧଙ୍କ ମହାପରିନିର୍ବାଣର ଅନେକ ବର୍ଷ ପରେ ଲେଖାଯାଇ ବୁଦ୍ଧଙ୍କ ମୂଳ ଶିକ୍ଷାକୁ ବଦଳେଇ ଦିଆଯାଇଛି । କିନ୍ତୁ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ କେବଳ ନିର୍ବାଣ ପ୍ରାପ୍ତି ପାଇଁ ନାହିଁ ବରଂ ସମାଜରୁ ବୈଷମ୍ୟ ଓ ଅମାନବିକତା ଦୂର କରିବାର ଏକ ମାର୍ଗ ବୋଲି ବିବଚନା କରିଛନ୍ତି। ତାଙ୍କ ମତରେ:-

ବୌଦ୍ଧ ଧମ୍ମ ମାନବ ସେବା ଉପରେ ପର୍ଯ୍ୟବେସିତ । ଆଧୁନିକ ବୌଦ୍ଧ ଧମ୍ମର ଅର୍ଥ ହେଲା ଏକାଗ୍ରତାର ସହିତ ବୁଦ୍ଧଙ୍କ ବାର୍ତ୍ତ।କୁ ପ୍ରଚାର କରିବା ଏବଂ ପୁରାଣ, ସଂସ୍କୃତି ଓ ଉତ୍ସବରେ କମ୍ ମନୋନିବେଶ କରିବା। ବୌଦ୍ଧ ଧମ୍ମ ଅସ୍ପୃଶ୍ୟମାନଙ୍କ ସମାନ ଅଧିକାର, ସମାନ ପଦ ମର୍ଯ୍ୟାଦା ଓ ଉପଯୁକ୍ତ ନ୍ୟାୟ ଦେଇପାରିବ।

ଅମ୍ବେଦକର ୧୯୫୬ ମସିହାରେ ‘ମୁଁ କାହିଁକି ବୌଦ୍ଧ ଧମ୍ମ ଗ୍ରହଣ କଲି ଓ ବିଶ୍ବରେ ଏହାର କଣ ଆବଶ୍ୟକତା ରହିଛି’ ଶୀର୍ଷକ ଉପରେ ବି.ବି.ସି ଲଣ୍ଡନରେ ସେ ନିଜ ବିଚାର ପ୍ରକଟ କରିଥିଲେ। ଉତ୍ତରରେ ସେ କହିଥିଲେ:-

ବୌଦ୍ଧ ଧମ୍ମ ପ୍ରଜ୍ଞା, କରୁଣା, ଓ ସମତା ପ୍ରଦାନ କରେ, ଯାହା ଦ୍ବାରା ମାନବ ସମାଜ ସୁଖ ଓ ଶାନ୍ତିରେ ବଞ୍ଚି ପାରିବ। ଇଶ୍ବର କିମ୍ବା ଆତ୍ମା କେବେ ସମାଜକୁ ସୁରକ୍ଷା ଦେଇ ପାରିବେ ନାହିଁ।

ସେ ପୁନଶ୍ଚ ଉଲ୍ଲେଖ କରିଛନ୍ତି ଯେ ହିନ୍ଦୁ ଧର୍ମ ଭଗବାନ ଓ ଆତ୍ମା ଉପରେ ବିଶ୍ବାସ କରେ, କିନ୍ତୁ ବୌଦ୍ଧ ଧମ୍ମ ଭଗବାନ ଓ ଆତ୍ମାକୁ ଅସ୍ବିକାର କରେ। ହିନ୍ଦୁ ଧର୍ମ ଚାରି ବର୍ଣ୍ଣ ଓ ଜାତି ପ୍ରଥା ଉପରେ ବିଶ୍ବାସ କରୁଥିବା ସମୟରେ ବୌଦ୍ଧ ଧମ୍ମରେ ଏହାର ସ୍ଥାନ ନାହିଁ।

ଅମ୍ବେଦକରଙ୍କ ମତରେ ଧମ୍ମ ନ୍ୟାୟ ସଂଗତ, ଯାହାର ଅର୍ଥ ଜୀବନର ପ୍ରତ୍ୟକ ସ୍ଥରରେ ଲୋକ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବ। ଧମ୍ମ ହେଉଛି ପ୍ରଜ୍ଞା, କରୁଣା ଓ ସମତା ଧମ୍ମ ହେଉଛି ସାମାଜିକ, ଅନ୍ୟପକ୍ଷରେ ଧର୍ମ ହେଉଛି ବ୍ୟକ୍ତିଗତ ଧର୍ମ ବିଧି ସମ୍ବଳିତ କିନ୍ତୁ ଧମ୍ମ ‘ଧର୍ମ’ ନୁହେଁ ଯିଏ ଅବିଚାରତା ଭକ୍ତିକୁ ଦାବି କରେ। ଧମ୍ମ ଜ୍ଞାନ ଉପରେ ପର୍ଯ୍ୟବେଶିତ ଯାହାକୁ ଯୁକ୍ତି ବା ପ୍ରଶ୍ନ ଦ୍ବାରା ପାଇ ପାରିବ। ବୌଦ୍ଧ ଧମ୍ମ ଚିର ଅସ୍ଥାୟୀ ତଥ୍ୟ, ଆତ୍ମାର ଅସ୍ତିତ୍ବକୁ ଅସ୍ବିକାର ଓ ଜୀବନରେ ଦୁଃଖ ହେଉଛି ବାସ୍ତବ ସତ୍ୟ ଏହି ନୀତିକୁ ଗ୍ରହଣ କରେ। ଧର୍ମର ମୂଳ ଲକ୍ଷ ପୃଥିବୀର ସୃଷ୍ଟି ତତ୍ତ୍ଵକୁ ବ୍ୟାଖ୍ୟା କରିବା କିନ୍ତୁ ଧମ୍ମର ମୂଳ ଲକ୍ଷ ପୃଥିବୀକୁ ପୁନଃନିର୍ମାଣ କରିବା।
ଯେତେବେଳେ ବାବାସାହେବ ଅମ୍ବେଦକର ନିଜର ଲକ୍ଷ ଲକ୍ଷ ଅନୁଗାମୀ ମାନଙ୍କୁ ନେଇ ଧର୍ମ ପରିବର୍ତ୍ତନ କରୁଥିଲେ ସେହି ସମୟରେ ଧମ୍ମ ପାଳନ ପାଇଁ ୨୨ ଟି ପ୍ରତିଜ୍ଞା ସେ ଦେଇଥିଲେ, ଯାହା ନବୟାନ ବୌଦ୍ଧ ମାନଙ୍କ ଦୈନନ୍ଦିନ ଜୀବନରେ ପରିଲକ୍ଷିତ ହୋଇଥାଏ ।

୨୨ ପ୍ରତିଜ୍ଞା:-

(୧) “ମୁଁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର- ଏମାନେ ଈଶ୍ବର”- ଏ କଥାକୁ ମୁଁ ମାନିବି ନାହିଁ, କିମ୍ବା ଏମାନଙ୍କର ପୂଜା କରିବି ନାହିଁ ।
(୨) “ମୁଁ ରାମ, କୃଷ୍ଣ- ଏମାନେ ଈଶ୍ବର (ଦେବତା)”- ଏକଥାକୁ ମୁଁ ମାନିବି ନାହିଁ, କିମ୍ବା ଏମାନଙ୍କର ପୂଜା ମଧ୍ୟ କରିବି ନାହିଁ।
(୩) “ଗୌରୀ, ଗଣପତି”- ଆଦି ହିନ୍ଦୁ ଧର୍ମର କୌଣସି ଦେବାଦେବୀଙ୍କୁ ମାନିବି ନାହିଁ, କିମ୍ବା ଏମାନଙ୍କର ଉପାସନା ମଧ୍ୟ କରିବି ନାହିଁ।
(୪) “ଈଶ୍ବର ଅବତାର ଗ୍ରହଣକରନ୍ତି”- ଏଥିରେ ମୋର ବିଶ୍ୱାସ ନାହିଁ।
(୫) “ତଥାଗତ ବୁଦ୍ଧ ବିଷ୍ଣୁଙ୍କ ଅବତାର”- ଏହା ଏକ ମିଥ୍ୟା ଓ ବୁଦ୍ଧିହୀନ ପ୍ରଚାର ବୋଲି ମୁ ମନେ କରେ।
(୬) ମୁଁ ଶ୍ରାଦ୍ଧପକ୍ଷ ପାଳନ କରିବି ନାହିଁ କିମ୍ବା ପିଣ୍ଡ ଦାନ ଦେବିନାହିଁ।
(୭) ମୁଁ ବୌଦ୍ଧ ଧମ୍ମର ବିରୁଦ୍ଧାଚରଣ କରିବି ନାହିଁ।
(୮) କୌଣସି ପ୍ରକାର କର୍ମକାଣ୍ଡ ମୁଁ ବ୍ରାହ୍ମଣଙ୍କ ହାତରେ କରାଇବି ନାହିଁ।
(୯) “ମନୁଷ୍ୟ ମାତ୍ରକେ ସମସ୍ତେ ସମାନ”- ଏହା ମୁଁ ମାନୁଅଛି।
(୧୦) ମୁଁ ସମାଜରେ “ସମତା” ସ୍ଥାପିତ କରିବାକୁ ଚେଷ୍ଟା କରିବି।
(୧୧) ତଥାଗତ ବୁଦ୍ଧଙ୍କ ଦ୍ୱାରା ଉପଦିଷ୍ଟ “ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗକୁ” ମୁଁ ଅବଲମ୍ବନ କରିବି।
(୧୨) “ତଥାଗତ ବୁଦ୍ଧଙ୍କ ଦ୍ୱାରା ଉପଦିଷ୍ଟ “ଦଶପାରମିତା”କୁ ମୁଁ ପାଳନ କରିବି ।
(୧୩) ମୁଁ ସମସ୍ତ ପ୍ରାଣୀଙ୍କ ପ୍ରତି ଦୟାଭାବ ରଖିବି ଓ ତାଙ୍କ ଲାଳନ ପାଳନ କରିବି।
(୧୪) ମୁଁ ଚୋରି କରିବି ନାହିଁ।
(୧୫) ମୁଁ ମିଛ କହିବି ନାହିଁ।
(୧୬) ମୁଁ ବ୍ୟଭିଚାର କରିବି ନାହିଁ ।
(୧୭) ମୁଁ ମାଦକ ଦ୍ରବ୍ୟ ସେବନ କରିବି ନାହିଁ ।
(୧୮) “ଜ୍ଞାନ, ଶିଳା ଏବଂ କରୁଣା”- ବୌଦ୍ଧ ଧମ୍ମର ଏହି ତିନୋଟି ତତ୍ୱ ମଧ୍ୟରେ ସମନ୍ୱୟ ରକ୍ଷାକରି ମୁଁ ନିଜ ଜୀବନକୁ ପରିଚାଳିତ କରିବି।
(୧୯) ପ୍ରତ୍ୟକ ମନୁଷ୍ୟଙ୍କର ଉତ୍କର୍ଷସାଧନ କ୍ଷେତ୍ରରେ ହାନିକାରକ ତଥା ମନୁଷ୍ୟ ମାନଙ୍କୁ ଅସମାନ ଏବଂ ହିନ ମନେ କରୁଥିବା ହିନ୍ଦୁ ଧର୍ମକୁ ମୁଁ ତ୍ୟାଗ କରୁଅଛି ଏବଂ ବୌଦ୍ଧ ଧମ୍ମ ଗ୍ରହଣ କରୁଅଛି।
(୨୦) ‘ବୌଦ୍ଧ ଧମ୍ମ “ସଧମ୍ମ”- ଅଟେ’- ଏପରି ମୁଁ ମନେ କରେ।
(୨୧) ଆଜି ମୋତେ ଏକ ନୂତନ ଜୀବନ ମିଳିଛି- ଏହା ମୁଁ ମନେ କରୁଅଛି।
(୨୨) “ଆଜିଠାରୁ ବୌଦ୍ଧ ଧମ୍ମର ଶିକ୍ଷା ଅନୁସାରେ ଆଚରଣ କରିବି”- ଏହି ପ୍ରତିଜ୍ଞା ମୁଁ କରୁଅଛି।

ବୌଦ୍ଧ ଧମ୍ମ ଗ୍ରହଣ କରିବା ପରେ ଆମ୍ବେଦକର ଧମ୍ମ ପ୍ରଚାର ପ୍ରସାର କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିଥିଲେ। ଶ୍ରୀଲଙ୍କାରେ ଆୟୋଜିତ ବୌଦ୍ଧ ସମ୍ମିଳନିରେ ସେ ବହୁ ବୌଦ୍ଧ ସନ୍ୟାସୀ ଓ ଗବେଷକ ମାନଙ୍କ ସହ ଯୋଗଦେଇଥିଲେ। ମହାରାଷ୍ଟ୍ର ରେ ଅବସ୍ଥିତ ପୁନା/ପୁନେ ସହରଠାରେ ଏକ ନୂତନ ବୌଦ୍ଧ ବିହାର ପ୍ରତିଷ୍ଠା ଅବସରରେ ବୌଦ୍ଧ ଧମ୍ମ ସମ୍ପର୍କରେ ଏକ ପୁସ୍ତକ ରଚନା ପାଇଁ ଘୋଷଣା କଲେ। ସେ ୧୯୫୪ ମସିହାରେ ବର୍ମା ଯାତ୍ରା କରିଥିଲେ। ଦ୍ବିତୀୟଥର ରେଂଗୁନ୍ ଯାତ୍ରା ସମୟରେ ସେଠାରେ ଅନୁଷ୍ଠିତ ତୃତୀୟ ‘ବିଶ୍ବ ବୌଦ୍ଧ ଅଧିସଦସ୍ୟତା’ ସମ୍ମିଳନୀରେ (world fellowship of Buddhists) ଯୋଗ ଦେଇଥିଲେ। ୧୯୫୫ ମସିହାରେ ‘ଭାରତୀୟ ବୌଦ୍ଧ ମହାସଭା’(The Buddhist Society of India) ସେ ପ୍ରତିଷ୍ଠା କରିଥିଲେ। ୧୯୫୬ ମସିହାରେ ‘ବୁଦ୍ଧ ଓ ଧମ୍ମ’ ପୁସ୍ତକ ସେ ରଚନା କରିଥିଲେ, କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ପ୍ରକାଶିତ କରିପାରିନଥିଲେ। ଜବାହାରଲାଲ ନେହରୁଙ୍କୁ ବାବାସାହେବ ଅମ୍ବେଦକର, ବହି ପ୍ରକାଶନ ପାଇଁ ସାହାଯ୍ୟ ମାଗିଥିଲେ, ହେଲେ ନେହରୁ ସାହାଯ୍ୟ କରିନଥିଲେ। ଫଳସ୍ୱରୂପ “ବୁଦ୍ଧ ଓ ତାଙ୍କ ଧମ୍ମ” ଡଃ. ଅମ୍ବେଦକରଙ୍କ ମୃତ୍ୟୁ ପରେ ବହି ପ୍ରକାଶ ପାଇଥିଲା।

ସେ ମଧ୍ୟ କାଠମାଣ୍ଡୁରେ ଚତୁର୍ଥ ବିଶ୍ବ ବୌଦ୍ଧ ସମ୍ମିଳନୀରେ ଯୋଗ ଦେଇଥିଲେ। ବୌଦ୍ଧ ଧମ୍ମ ଗ୍ରହଣ କରିବାର ଛଅ ସପ୍ତାହ ପରେ ଅର୍ଥାତ ଡିସେମ୍ବର ୬ ତାରିଖ ୧୯୫୬ ମସିହାରେ ସେ ଦେହ ତ୍ୟାଗ କରି ଏ ଧରାପୃଷ୍ଠରୁ ବିଦାୟ ନେଇଥିଲେ ଯାହା ଆଜି ଦଳିତ ଓ ବୌଦ୍ଧ ସମାଜ ମଧ୍ୟରେ ମହାପରିନିର୍ବାଣ ନାମରେ ପରିଚିତ।

ଏହି ସବୁ ଦୃଷ୍ଟିରୁ ବିଚାର କଲେ ଡଃ. ଭୀମରାଓ ଅମ୍ବେଦକର ଗୋଟିଏ ନୂତନ ପ୍ରଦୀପ, ଯିଏ କେବଳ ଭାରତ ବର୍ଷରେ ନୁହେଁ ସମଗ୍ର ବିଶ୍ବର ଅସଂଖ୍ୟ ଗରିବ, ନିଷ୍ପେସିତ, ଦଳିତ, ଆଦିବସୀ, ଓ ମହିଳା ମାନଙ୍କ ମନରେ ଏକ ନୂତନ ଆଶାର ଆଲୋକ ଭରି ଦେଇଛନ୍ତି। ଗୌତମ ବୁଦ୍ଧ ତାଙ୍କ ଜୀବନ କାଳରେ ମଧ୍ୟରେ ବହୁ ଅସୁବିଧା ଓ ବିରୋଧର ସ୍ୱୀକାର ହୋଇ ମଧ୍ୟ ସାମାଜିକ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ପରବର୍ତୀ ସମୟରେ ତାଙ୍କ ନିତି ଓ ଆଦର୍ଶ ଭାରତ ତଥା ଭାରତ ବାହାରେ ମଧ୍ୟ ଲୋକ ପ୍ରିୟତା ହାସଲ କରିଥିଲା। ବୁଦ୍ଧଙ୍କ ମହାପରିନିର୍ବାଣର ହଜାର ହଜାର ବର୍ଷ ପରେ ମଧ୍ୟ ଏହି ଧମ୍ମ ଲୋକ ପ୍ରିୟ ଧମ୍ମ ହୋଇ ଭାରତବର୍ଷରେ ରହିଆସିଛି। ଉକ୍ତ ପରିସ୍ଥିତିରେ ବିଚାର କଲେ ଦେଖାଯାଏ, ଅମ୍ବେଦକର ଜୀବିତ ଥିବା ସମୟରେ ବୌଦ୍ଧ ଧମ୍ମ ଯେତିକି ପ୍ରସାର ଲାଭ କରିଥିଲା ତାଙ୍କ ମୃତ୍ୟୁ ପରେ ତାଠାରୁ ବହୁଳ ପରିମାଣରେ ଲୋକ ପ୍ରିୟତା ହାସଲ କଲା। ସମାଜରେ ଏହି ଧମ୍ମ ଦଳିତ, ଆଦିବସୀ, ଶୁଦ୍ର ଓ ପଛୁଆ ବର୍ଗର ଲୋକ ମାନଙ୍କ ଦ୍ୱାରା ସାରା ବିଶ୍ବରେ ଆଦୃତି ଲାଭ କରିପାରିଛି। ପୁରାତନ ଭାରତ ବର୍ଷପରି ଦଳିତ ବା ଶୁଦ୍ର ମାନଙ୍କ ମନରେ ବୌଦ୍ଧ ଧମ୍ମ ପୁନର୍ବାର ଡ଼ଃ. ଅମ୍ବେଦକରଙ୍କ ମାଧ୍ୟମରେ ଲୋକ ପ୍ରିୟତା ଲାଭ କରିବା ସହ ମୁଖ୍ୟ ଧମ୍ମ ହିସାବରେ ପରିଗଣିତ ହୋଇଛି।

ସହାୟକ ଗ୍ରନ୍ଥସୁଚୀ:-

୧. B. R. Ambedkar, Writings, and Speeches, Vol. IX, P. 15.
2. Dalit in India, 2008.
3. As quoted in. C. S. Queen: “Dr. Ambedkar and the Hermeneutics of Buddhist Literature,” in Engaged Buddhism op.cit. P. 50.

  • ବନିତା ଖଟେଇ ଇତିହାସର ଅଧ୍ୟାପିକା ରୁପେ ତାରା ତାରିଣୀ ମହାବିଦ୍ୟାଳୟ ପୁରୁଷୋତ୍ତମପୁର, ଗଂଜାମ ରେ କାର୍ଯ୍ୟରତ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.