ଶୁଦ୍ର ଚେତନା ଏବଂ ଲୋକତାନ୍ତ୍ରିକ ଭାରତର ଭବିଷ୍ୟତ !

ଋଗ୍ ବେଦର ଦଶମ ମଣ୍ଡଳରୁ ଜଣାଯାଏ ଯେ ପ୍ରାଚୀନ ଭାରତରେ ସମାଜ ବ୍ୟବସ୍ଥା ଚାରୋଟି ଶ୍ରେଣୀରେ ବିଭାଜିତ ହୋଇଥିଲା। ଏହି ବିଭାଜନ ବର୍ଣ୍ଣ ବ୍ୟବସ୍ଥା ନାମରେ ପରିଚିତ। ଇତିହାସକାର ଏବଂ ସମାଜ ଶାସ୍ତ୍ରୀଙ୍କ ଅନୁସାରେ ଜାତିପ୍ରଥାର ଉଲ୍ଲେଖ ପ୍ରଥମ ଥର ପାଇଁ ଏହି ଋଗ ବେଦରୁ ଜଣାଯାଏ । ଏହି ବ୍ୟବସ୍ଥା ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୁଦ୍ର ଶ୍ରେଣୀ କ୍ରମାଙ୍କ ଅନୁସାରେ ବିଭାଜିତ ଅଟେ । ବର୍ଣ୍ଣ/ଜାତି ତଥା ବର୍ଗ ର ସୋପାନରେ ବ୍ରାହ୍ମଣ ସବୁଠୁ ଶ୍ରେଷ୍ଠ ବୋଳି ନିଜକୁ ଦର୍ଶେଇ, ଅନ୍ୟଜାତିଙ୍କୁ ନୀଚ୍ଚ ଦର୍ଜା ଦେଇ ସମାଜକୁ ବିଭାଜିତ କରିଥିଲା।

ଏହି ବର୍ଣ୍ଣ ବ୍ୟବସ୍ଥାରେ ଉଚ୍ଚ ତିନୋଟି ବର୍ଗକୁ ଜ୍ଞାନ ଆହରଣ, ଧନ ଅର୍ଜନ, ଯୁଦ୍ଧ କରିବାର ଅଧିକାର ମିଳିଲା ଏବଂ ଶୁଦ୍ର ସମାଜକୁ ଏହି ଉଚ୍ଚ ତିନୋଟି ବର୍ଗର ଗୋଲାମ ଭାବରେ ବ୍ୟବହାର କରାଗଲା। ପ୍ରଖ୍ୟାତ ରାଜନୀତି ଶାସ୍ତ୍ରୀ ଏବଂ ଚିନ୍ତକ କାଞ୍ଚା ଇଲାୟାଙ୍କ ଅନୁସାରେ ଶୁଦ୍ର ସମାଜ ଯାହା ଆଜି ପଛୁଆ ବର୍ଗ ମାଧ୍ୟମରେ ଭାରତୀୟ ସମ୍ବିଧାନରେ ଉଲ୍ଲେଖିତ ଦେଶର ବହୁ ସଂଖ୍ୟକ ସମାଜ ଅଟେ। ଦେଶରେ ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ତାଙ୍କରି ଜନସଂଖ୍ୟା ଅଟେ । ଓଡ଼ିଶାରେ ଅନେକ ଜାତି ଯଥା; ସାହୁ, ତେଳି , ମାଳି, କୁମ୍ଭାର , କୁଲତା ଏବଂ ଅନେକ ଜାତି ଯାହା ଓବିସି କୋଟା ରେ ଆସନ୍ତି ସେମାନେ ସମସ୍ତେ ଶୁଦ୍ର ଅଟନ୍ତି। ଏହି ସମାଜର ସ୍ଥିତି ବର୍ତ୍ତମାନ ର ଭାରତରେ କି ପ୍ରକାରର ରହିଛି, ତାଙ୍କରି ସାମାଜିକ, ଆର୍ଥିକ, ସାଂସ୍କୃତିକ ଏବଂ ରାଜନୈତିକ ଉନ୍ନତି ହୋଇଛି ନା ଅବନତି ହୋଇଛି, ଏହି ବିଷୟ ବସ୍ତୁକୁ ନେଇ କି କାଞ୍ଚା ଇଲାୟା ଏବଂ କାର୍ତ୍ତିକ ରାଜା କରୁପସାମୀଙ୍କ ନୂଆ ବହି ଶୁଦ୍ର; ଭବିଷ୍ୟତର ଦିଗଦର୍ଶନ ଯାହାକି ଅନ୍ତରାଷ୍ଟ୍ରୀୟ ମୁଦ୍ରଣ ପେଙ୍ଗୁଇନରେ ମୁଦ୍ରିତ ହେଇଛି ସାରା ଭାରତରେ ଗୋଟେ ଚର୍ଚା ସୃଷ୍ଟି କରିଛି । ଏହା ଅନେକ ଲେଖକଙ୍କ ଅବଦାନରେ ଲୋକଲୋଚନକୁ ଆସିଛି ଏବଂ ସବୁ ଲେଖକ ଶୁଦ୍ର ସମାଜରୁ ହିଁ ଆସୁଛନ୍ତି। ବହିରେ ୧୧ ଟେ ଅଧ୍ୟାୟ ରହିଛି ।

ଲେଖକଙ୍କ ଅନୁସାରେ ଶୁଦ୍ର ସମାଜର ଇତିହାସ ସିନ୍ଧୁ ଘାଟି ସଭ୍ୟତାରୁ ପ୍ରାରମ୍ଭ ହୋଇଛି, ଏହି ତଥ୍ୟକୁ ପ୍ରଖ୍ୟାତ ଇତିହାସକାର ଆର, ଏସ , ଶର୍ମା , ଡି . ଡି . କୋସାମ୍ବି ମଧ୍ୟ ସ୍ୱୀକୃତି ଦେଇଛନ୍ତି। ସେମାନଙ୍କ ଅନୁସାରେ ଆର୍ଯ୍ୟମାନଙ୍କ ଆକ୍ରମଣ ପରେ ପରେ ଶୁଦ୍ର ମାନଙ୍କ ଦାସତ୍ଵ ଭାରତୀୟ ଇତିହାସରେ ପ୍ରାରମ୍ଭ ହୋଇଥିଲା। ଶୁଦ୍ର ସମାଜ ଉପରେ ପ୍ରଥମେ ଶୋଧ କରିଥିଲେ ଭାରତର ଆଇନ ପ୍ରଣେତା ତଥା ସମ୍ବିଧାନ ରଚୟିତା ବାବାସାହେବ ଆମ୍ବେଦକର, ସେ ଆର୍ଯ୍ୟ ଆକ୍ରମଣ ତଥ୍ୟକୁ ପୁରା ପୁରି ଭାବରେ ଖାରିଜ କରିଥିଲେ।

ହେଲେ ଏହି ବହିର ଲେଖକମାନେ, ଆର୍ଯ୍ୟ ଆକ୍ରମଣ ତଥ୍ୟକୁ ନା କେବଳ ଅନୁସରଣ କରିଛନ୍ତି ବରଂ ସେମାନେ ସିନ୍ଧୁ ସଭ୍ୟତାକୁ ଶୁଦ୍ର ସମାଜର ଗୋଟିଏ ବଡ ଯୋଗଦାନ ବୋଲି ପ୍ରତିସ୍ଥାପିତ କରିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଶୁଦ୍ର ସମାଜ ଆଜି ପର୍ଯ୍ୟନ୍ତ ଲୋକତାନ୍ତ୍ରିକ ସଂସ୍ଥା ମାନଙ୍କରେ ତାଙ୍କ ପ୍ରତିନିଧିତ୍ଵ ବହୁତ ହିଁ କମ୍ ପରିମାଣରେ ରହିଛି। ତଥା ଉଚ୍ଚ ଶିକ୍ଷାରେ ସେମାନଙ୍କର ଉପସ୍ଥିତି ବହୁତ କମ। ଭାରତୀୟ ଇତିହାସରେ ବର୍ଷ ବର୍ଷ ଧରି ଶୁଦ୍ର ସମାଜକୁ ଶିକ୍ଷା ଗ୍ରହଣ କରିବାର ଅଧିକାର ନ ଥିଲା। ଯାହା ଫଳରେ ଆଜି ପର୍ଯ୍ୟନ୍ତ ଏହି ସମାଜ ଉଚ୍ଚ ଶିକ୍ଷାରେ କମ୍ ପରିମାଣରେ ଦେଖାଯାନ୍ତି।

ଲେଖକଙ୍କ ଅନୁସାରେ ଶିକ୍ଷା ଗୋଟିଏ ଏମିତି ଚାବି କାଠି ଯାହା ଶୁଦ୍ର ସମାଜକୁ ଆଧ୍ୟାତ୍ମିକ ମୁକ୍ତିର ଦିଗକୁ ଅଗ୍ରସର କରିବ। ଫ୍ରାନ୍ସ ରେ ଜନ୍ମିତ ବିଶ୍ବବିଖ୍ୟାତ ବିଦ୍ୱାନ ମାଇକେଲ ଫୁକୋ ଶିକ୍ଷାର ମହତ୍ୱ ଲେଖିବା ପୂର୍ବରୁ, ଭାରତର ମାଳି ଜାତିରେ ଜନ୍ମ ନେଇଥିବା ମହାନ ସମାଜ ସୁଧାରକ ମହାତ୍ମା ଜୋତିବା ଫୁଲେ ଶିକ୍ଷାର ମହତ୍ତ୍ଵ କହି ଯାଇଥିଲେ। ତାଙ୍କ ଅନୁସାରେ ଜ୍ଞାନ କିମ୍ବା ଶିକ୍ଷା ବିନା ମଣିଷକୁ ଦାସ ବନେଇବାରେ ବେଶି ସମୟ ଲାଗେ ନାହିଁ। ଶୁଦ୍ର ସମାଜ କୁ ଶିକ୍ଷାରୁ ଦୂରରେ ରଖି ବ୍ରାହ୍ମଣ ସମାଜ ତାଙ୍କୁ ଦାସତ୍ଵର ଶିକୁଳୀରେ ବାନ୍ଧି ବର୍ଷ ବର୍ଷ ରଖିଲେ। ସେହି ଶିକ୍ଷାର ମହତ୍ତ୍ୱକୁ ଆଖି ଆଗରେ ରଖି ଲେଖକ ମାନେ ଶିକ୍ଷାର ମହତ୍ତ୍ଵକୁ ଜୋର ଦେଇଛନ୍ତି।

ବର୍ତ୍ତମାନ ଦେଶର ବିଭିନ୍ନ ଶୁଦ୍ର ରାଜନୀତିକୁ ଦେଖି ଲେଖକମାନେ ସମାଲୋଚନା କରିଛନ୍ତି, ଦୁଇଟି ମୁଖ୍ୟ କାରଣରୁ। ପ୍ରଥମତଃ ସେମାନଙ୍କ ରାଜନୀତି ଗୋଟିଏ ରାଜ୍ୟରେ ସୀମିତ, ଯଦ୍ଦ୍ଵାରା ଶୁଦ୍ର ତଥା ଅତିଶୁଦ୍ର ସମାଜର ସମସ୍ୟା ସମାଧାନ ହୋଇପାରିନାହିଁ। ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶର ମୁଲାୟମ ସିଂ ଯାଦବଙ୍କ ପାର୍ଟି ସପା, ବିହାର ରେ ଲାଲୁ ପ୍ରଶାଦଙ୍କ ପାର୍ଟି ଏବଂ ଅନେକ ଦକ୍ଷିଣ ଭାରତରେ ଉପସ୍ଥିତ ଥିବା ଶୁଦ୍ର ପାର୍ଟି। ସେଥିପାଇଁ ଯେଉଁ ଦିନ ପର୍ଯ୍ୟନ୍ତ ଏହି ଶୁଦ୍ର ପାର୍ଟି ରାଷ୍ଟ୍ରୀୟ ସ୍ତରର ଚିନ୍ତନ ଏବଂ ରାଜନୀତି କରିବେ ନାହିଁ, ସେତେଦିନ ପର୍ଯ୍ୟନ୍ତ ଶୁଦ୍ର ସମାଜର ସାମାଜିକ, ଆର୍ଥିକ, ଏବଂ ଆଧ୍ୟାତ୍ମିକ ମୁକ୍ତି ଗୋଟେ ଦିବା ସ୍ବପ୍ନ ହେଇକି ରହିଯିବ। ଲେଖକଙ୍କ ଅନୁସାରେ ଏହା କେବଳ ସମ୍ଭବ ଯେତେବେଲେ ଶୁଦ୍ର ସମାଜ ଉଚ୍ଚ ଶିକ୍ଷା ଏବଂ ଇଂରାଜି ଶିକ୍ଷାରେ ନିପୁଣତା ହାସଲ କରିବ। ଇଂରାଜୀ ଭାଷା ବିଶ୍ୱ ବିଖ୍ୟାତ , ଏହି ଭାଷା ସାହାଯ୍ୟରେ ବିଶ୍ୱ ଦରବାରରେ ଚିନ୍ତା ଏବଂ ଚେତନାକୁ ପରିପ୍ରକଶ କରିପାରିବ।

ଶେଷରେ ଦେଶର ବୃଦ୍ଧି ପାଉଥିବା ଲୋକତନ୍ତ୍ର ଏବଂ ସମ୍ବିଧାନ ବିରୋଧୀ ସଂଗଠନ ତଥା ବିଜେପି, ଆର.ଏସ.ଏସ ଭଳି ସଂଗଠନ ଯାହା ଶୁଦ୍ର ସମାଜକୁ ଆଧ୍ୟାତ୍ମିକ ଗୋଲାମ ରଖି ଉଚ୍ଚ ଜାତିଙ୍କ ଶାସନ ଅକ୍ତିଆର କରିବାକୁ ଚେଷ୍ଠା କରୁଛି ତା ବିରୁଦ୍ଧ ରେ ଶୁଦ୍ର ସମାଜର ମୁଖ୍ଯ ଭୂମିକା ରହିବ। ସେଥିପାଇଁ ଲେଖଙ୍କ ମତ ଅନୁସାରେ ଯେଉଁ ଉଚ୍ଚ ଶୁଦ୍ର ଅଛନ୍ତି ସେମାନଙ୍କୁ ଆଗକୁ ଆସି ଶୁଦ୍ର ଆନ୍ଦୋଳନ ଏବଂ ରାଜନୀତିରେ ସକ୍ରିୟ ଭୁମିକା ଗ୍ରହଣ କରିବାକୁ ପଡିବ। ଅନେକ ଲେଖକ ବଳି ରାଜ୍ୟର ପରିକଳ୍ପନା ମଧ୍ୟ କରିଛନ୍ତି। ଯାହାର ଇତିହାସ ଫୁଲେ ମଧ୍ୟ ଲେଖି କି ଯାଇଛନ୍ତି। ଜୋତିବା ଫୁଲେଙ୍କ ମତ ଅନୁସାରେ ବଳି ରାଜ୍ୟ ହେଉଛି ଏପରି ଏକ ବ୍ୟବସ୍ଥା ଯେଉଁ ଶାସନ ବ୍ୟବସ୍ଥାରେ ସବୁ ଲୋକେ ସମାନ ହୋଇକି ରହିବେ। ସମତା, ନ୍ୟାୟ , ଏକତା ଏବଂ ବନ୍ଧୁତା ର ବିଚାର ଏବଂ ବ୍ୟବହାର ରେ ସମାଜ ଆଧିରିତ ହେବ । ଏହି ଲୋକତାନ୍ତ୍ରିକ ପରିକଳ୍ପନା ହିଁ ଭାରତର ଭବିଷ୍ୟତକୁ ଉଚିତ ଦିଗ ଦର୍ଶନ କରିବ।

ବହିର କିଛି ତ୍ରୁଟି ଉପରେ ମୁଁ ଏବେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରେଇବି। ପ୍ରଥମତଃ ଆର୍ଯ୍ୟ ଆକ୍ରମଣ ତଥ୍ୟ ପୁର୍ଣ ରୂପେ ଗ୍ରହଣ କରିବା ଗୋଟେ ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି କରେ। ବାବାସାହେବଙ୍କ ଶୂଦ୍ର କିଏ ବହିରୁ ଜଣାଯାଏ ଯେ ଗୋରା ମାନେ ନିଜ ରଙ୍ଗ ଭେଦ ଭାବର ମନୋବୃତ୍ତିକୁ ନେଇ ଏହି ସିଦ୍ଧାନ୍ତ ବାହାର କରିଥିଲେ, ଯାହା ବ୍ରାହ୍ମଣ ମାନେ ମଧ୍ୟ ସ୍ଵୀକାର କରି ନିଜକୁ ଆର୍ଯ୍ୟ ନାମରେ ଗର୍ବ କରୁଥିଲେ। ଏହି ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତର କୌଣସି ବୈଜ୍ଞାନିକ ଆଧାର ନାହିଁ ବୋଲି ଆମ୍ବେଦକର ଲେଖି ଯାଇଥିଲେ। ମୋର ଅନ୍ୟ ଏକ ମୁଖ୍ୟ ଆଲୋଚନା ରହିଛି ବହୁଜନ ଶବ୍ଦ ର ପ୍ରୟୋଗକୁ ନେଇକି। ବହୁଜନ ଆନ୍ଦୋଳନର ପ୍ରବକ୍ତା ମାନ୍ୟବର କାଂଶୀରାମଙ୍କ ଅନୁସାରେ ବହୁଜନ ହେଉଛନ୍ତି ଏ ଦେଶର ଅଛୁଆଁ ଆଦିବାସୀ ଏବଂ ଅନ୍ୟ ପଛୁଆ ବର୍ଗ। ହେଲେ ଏହି ବହିରେ ବହୁଜନ ଶବ୍ଦକୁ ବହୁତ ସିମିତ ଅର୍ଥରେ ବ୍ଯବହାର କରାଯାଇଛି। ବହୁଜନ ଅର୍ଥ ଖାଲି ଶୁଦ୍ର ତଥା ପଛୁଆ ବର୍ଗକୁ ହିଁ ଦର୍ଶାଯାଇଛି । ଏପରିକି ଏଇ ପ୍ରକାରରେ ବହୁଜନ ଶବ୍ଦର ବ୍ୟବହାର କାଂଶୀରାମଙ୍କ ପ୍ରତି ଗୋଟେ ଅନ୍ୟାୟ ଏବଂ ବହୁଜନ ଆନ୍ଦୋଳନ ପାଇଁ କୁଠାରାଘାତ ଅଟେ। ଏମିତି କିଛି ତ୍ରୁଟିଥିବା ସତ୍ତ୍ଵେ ଏହି ବହି ଶୁଦ୍ର ସମାଜ ର ମୁକ୍ତି କୁ ନେଇ କି ଦେଶରେ ଗୋଟେ ଚର୍ଚାର ବିଷୟ ଅଟେ।

The Shudras: Vision for a New Path, Edited by Kancha Ilaiah Shepherd and Karthik Raja Karuppusamy, Haryana: Penguin Random House India, 2021, Total pages.229, price.600.

  • ଲେଖକ: ଜିତେନ୍ଦ୍ର ସୁନା, ବର୍ତମାନ ଜବାହାରଲାଲ ନେହରୂ ବିଶ୍ୱବିଦ୍ୟାଳୟରେ ଶୋଧକରୁଛନ୍ତି, ବି. ଆର. ଆମ୍ବେଦକରଙ୍କ ଇତିହାସ ଲେଖନୀ ଉପରେ । ସମ୍ପର୍କ କରନ୍ତୁ ଏହି ଇମେଲ ଆଇଡି ରେ jitedrasuna90@gmail.com ।

Please follow and like us:
fb-share-icon0

1 thought on “ଶୁଦ୍ର ଚେତନା ଏବଂ ଲୋକତାନ୍ତ୍ରିକ ଭାରତର ଭବିଷ୍ୟତ !

  1. We are glad to see such revolutionary thoughts coming forward. Indeed we can see the light of feedom through higher education only. Educate….Organize…..Agitate
    Jai Bhim

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.