ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ

ଭାରତବର୍ଷର ପ୍ରକୃତ ଇତିହାସ ହେଉଛି ଶ୍ରମଣ ସଂସ୍କୃତି ଓ ବ୍ରାହ୍ମଣ ସଂସ୍କୃତିର ବୈଚାରିକ ବିରୋଧାଭାସ ଓ ରକ୍ତାକ୍ତ ସଂଘର୍ଷ । ଶ୍ରମଣ ଶବ୍ଦଟି ପାଲି ଭାଷାରୁ ଉଦ୍ଧୃତ ଶ୍ରମ ଓ ଶ୍ରମିକଙ୍କ ଶାରୀରିକ, ବାଚିକ ଓ ମାନସିକ ବିକାଶର ପ୍ରକ୍ରିୟାକୁ ବୁଝାଏ । ଶ୍ରମଣ ଅର୍ଥାତ୍ ସତ୍ୟ, ନ୍ୟାୟ ଓ ସାହସିକତାର ଜୀବନ୍ତ ପ୍ରତୀକ । କିନ୍ତୁ ବ୍ରାହ୍ମଣ ଶବ୍ଦଟି ଶ୍ରମଣର ଠିକ ବିପରୀତ । ‘ବ୍ରହ୍ମ’ ସତ୍ୟ ଓ ‘ଜଗତ୍’ ମିଥ୍ୟା କହି ନିଜକୁ ଅମାନବୀୟ ଜାତି-ବର୍ଣ୍ଣ ଆଧାରରେ ସର୍ବଶ୍ରେଷ୍ଠ, ବ୍ରହ୍ମର ପରିପୁରକ, ଚଳନ୍ତି ଈଶ୍ବର ଯିଏ ନିଜକୁ କହିଥାଏ ସେ ହେଉଛି ବ୍ରାହ୍ମଣ । ଶ୍ରମଣମାନେ ସର୍ବଦା ପ୍ରକୃତି ଓ ପ୍ରାକୃତିକ ସତ୍ୟକୁ ଦୃଢ଼ ବିଶ୍ୱାସ କରିଥାନ୍ତି । ସେଥିପାଇଁ ଶ୍ରମଣମାନଙ୍କୁ ସାମାଜିକ ସମାନତା ଓ ବୈଜ୍ଞାନିକ ସତ୍ୟତାର ପ୍ରଚାରକ ରୂପେ ସାରା ବିଶ୍ବ ସମ୍ମାନ ଦେଇଥାଏ । ମାତ୍ର ଏହାର ଠିକ୍ ଦିପରୀତ, ବ୍ରାହ୍ମଣମାନେ ଭାଗ୍ୟ, ଭଗବାନ, ବ୍ରହ୍ମ ଓ ପୁନର୍ଜନ୍ମର ସିଦ୍ଧାନ୍ତ ମାଧ୍ୟମରେ ନିଜକୁ ସୃଷ୍ଟିକର୍ତା, ବ୍ରହ୍ମାଙ୍କର ଦାୟାଦ କହି ଧାର୍ମିକ, ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ତରରେ ବହୁଜନ ସମାଜକୁ ଶୋଷଣ କରିଥାନ୍ତି ।

ଶ୍ରମଣମାନେ ହେଲେ ଭାରତର ମୂଳନିବାସୀ, ସିନ୍ଧୁ ସଭ୍ୟତାର ପ୍ରତିଷ୍ଠାତା, ସମୟକ୍ରମେ ସେମାନଙ୍କୁ ନାଗ, ଅସୁର, ଦ୍ରାବିଡ ଓ ଶୁଦ୍ର କୁହାଗଲା । ବ୍ରାହ୍ମଣମାନେ ହେଲେ, ମଧ୍ୟପ୍ରାଚ୍ୟ ଇରାନ ଅଞ୍ଚଳରୁ ଆସିଥିବା ବିଦେଶୀ ଆର୍ଯ୍ୟଗୋଷ୍ଠୀ ତଥା ବୈଦିକ ଧର୍ମର ପ୍ରତିଷ୍ଠାତା । ଅନ୍ୟପକ୍ଷରେ ସାମାଜିକ ମୈତ୍ରୀ ସ୍ଥାପନା କରିବା ହେଉଛି ଶ୍ରମଣ ସଂସ୍କୃତିର ମୂଳଦୁଆ । ପ୍ରକୃତିକୁ ମାଁ ରୂପେ ପୂଜା କରିବା, ପରିବେଶର ସୁରକ୍ଷା କରିବା ଓ ପ୍ରାକୃତିକ ଶକ୍ତିର ଉସ୍ର ସୂର୍ଯ୍ୟ, ବାୟୁ, ଜଳ, ଅଗ୍ନି, ଆକାଶ, ବୃକ୍ଷଲତା ଇତ୍ୟାଦିଙ୍କ ମହିମା ଗାନ କରିବା ହେଉଛି ଶ୍ରମଣ-ସଂସ୍କୃତିର ଉତ୍କୃଷ୍ଟ ନିଦର୍ଶନ । ସେଥିପାଇଁ ସେମାନଙ୍କୁ ପ୍ରତିବାଦୀ ଓ ବିଜ୍ଞାନଧର୍ମୀ କୁହାଯାଏ ।

ଆର୍ଯ୍ୟ ବ୍ରାହ୍ମଣମାନଙ୍କ ଦ୍ବାରା ଗଢ଼ା ବୈଦିକ ସଭ୍ୟତା ଅତି ଅମାନବୀୟ, ସାମାଜିକ ଭେଦଭାବ ପୂର୍ଣ୍ଣ ଓ ଶ୍ରମ ଶୋଷଣକାରୀ କଟୁବ୍ୟବସ୍ଥା ଅଟେ । କାଳ୍ପନିକ କୋଟିକୋଟି ଦେବଦେବୀ ସୃଷ୍ଟିକରି ମନ୍ତ୍ର, ତନ୍ତ୍ର, ହୋମଯଜ୍ଞ ମାଧ୍ୟମରେ ପୂଜାର୍ଚ୍ଚନା କରି ସମାଜରେ ଅନ୍ଧବିଶ୍ବାସ ଓ ବର୍ଣ୍ଣ ସଂଘର୍ଷକୁ ପ୍ରୋତ୍ସାହନ ଦେବା ବୈଦିକ ବ୍ରାହ୍ମଣମାନଙ୍କ ମୁଖ୍ୟ କର୍ତବ୍ୟ । ଲିଙ୍ଗଗତ ଦୃଷ୍ଟିକୋଣରୁ ଶ୍ରମଣ ସଂସ୍କୃତି ମାତୃସତ୍ତାତ୍ମକ, ନାରୀକୈନ୍ଦ୍ରିକ, ପ୍ରଗତିବାଦୀ, ସାମାଜିକ ସମ୍ପର୍କର ମୁକ୍ତ ଆବାହକ । ଅନ୍ୟପକ୍ଷରେ ବ୍ରାହ୍ମଣ ସଂସ୍କୃତିରେ ପିତୃସତ୍ତାତ୍ମକ ସାମାଜିକ ବ୍ୟବସ୍ଥା ସବୁକିଛି, ଯାହା ନାରୀଙ୍କୁ ଦଳିତ, ପତିତ, ପର ଆଶ୍ରିତ ଓ ନର୍କଗତିର ଦ୍ୱାର ତଥା ଉପଭୋଗ୍ୟ ବସ୍ତୁ ରୂପେ ଆକଳନ କରିଥାଏ । ଆର୍ଥିକ ଦୃଷ୍ଟିକୋଣରୁ ଶ୍ରମଣମାନେ ହେଲେ କଠିନ ପରିଶ୍ରମୀ ଓ ଉତ୍ପାଦନକାରୀ ଶ୍ରେଣୀୟ ବୈଜ୍ଞାନିକ ଗୋଷ୍ଠୀ । ଚକ, ଅଖ, ଚୂଳି, ଚାଷ ଜମି, କୃଷିକୌଶଳ ଠାରୁ ଆରମ୍ଭକରି ଆଧୁନିକ ଯନ୍ତ୍ରପାତି ପ୍ରସ୍ତୁତି କରିବାରେ ସେମାନଙ୍କ ଅତୁଳନୀୟ ଯୋଗଦାନ ରହିଅଛି । ଅପରପକ୍ଷରେ ଆର୍ଯ୍ୟ ବ୍ରାହ୍ମଣମାନେ ଜଳ-ଜଙ୍ଗଲ-ଜମିରେ କୌଣସି ପ୍ରକାର ଉତ୍ପାଦନକାରୀ ପରିଶ୍ରମ ଭୁଲରେ ମଧ୍ୟ କରନ୍ତି ନାହିଁ, ସେମାନେ ହେଲେ ପ୍ରତ୍ୟାରକ, ଶୋଷଣକାରୀ, ଉପଭୋଗବାଦୀ ଶୋଷକଗୋଷ୍ଠୀ ।

ରାଜନୈତିକ ଦୃଷ୍ଟିକୋଣରୁ ଶ୍ରମଣବାଦ ହେଉଛି ନାରୀମୁକ୍ତି, ସତ୍ୟ, ସମାନତା ଓ ସାମାଜିକ ନ୍ୟାୟ ପୂର୍ଣ୍ଣ ଶାସନ ବ୍ୟବସ୍ଥା ଯାହାକୁ ମହେଞ୍ଜୋଦାରୋ ସଭ୍ୟତା ଓ ଜମ୍ବୁଦ୍ବୀପର ଜନତନ୍ତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ମାତ୍ର ବ୍ରାହ୍ମଣବାଦ ହେଉଛି ବିଜ୍ଞାନ ବିରୋଧୀ, ସାମାଜିକ ଅନ୍ୟାୟ, ପିତୃସତ୍ତାତ୍ମକ, ଶୋଷଣପୂର୍ଣ୍ଣ, ଫାଶୀବାଦୀ ଶାସନବ୍ୟବସ୍ଥା, ଯାହାର ସଠିକ ରୂପରେଖ ଆର୍ଯ୍ୟବର୍ତ୍ତର ରାମରାଜ୍ୟରୁ ସ୍ପଷ୍ଟ ପରିଲକ୍ଷିତ ହୁଏ । ଶ୍ରମଣ ସଂସ୍କୃତିର ମୁଖ୍ୟ ପୁରୋଧାମାନେ ହେଲେ ଚାର୍ବାକ, ତଥାଗତ ବୁଦ୍ଧ, ସମ୍ରାଟ ଅଶୋକ, ତ୍ରିପିଟକାଚାର୍ଯ୍ୟ ସଂଘମିତ୍ରା, କବିର, ନାନକ, ନାରାୟଣଗୁରୁ, ସନ୍ଥ ଶିରୋମଣି ରବିଦାସ, ବିର୍ସାମୁଣ୍ଡା, ଜ୍ୟୋତିବାପୂଲେ, ସାବିତ୍ରୀବାଇ ପୁଲେ, ଫାତିମା ଶେଖ୍, କ୍ରାନ୍ତକବି ଭୀମଭୋଇ, ପେରିୟର୍, ବାବାସାହେବ ଅମ୍ବେଦକର, ମାତା ରମାବାଇ, ମାନ୍ୟବର କାଂଶୀରାମ ଇତ୍ୟାଦି । ଶ୍ରମଣମାନଙ୍କ ଏକ ବିଶେଷଗୁଣ ହେଲା ସେମାନେ ମାନବତାବାଦ ଓ ସାମାଜିକନ୍ୟାୟ ପ୍ରତିଷ୍ଠା କରିବା ନିମନ୍ତେ ନିଜ ଜୀବନର ସର୍ବସ୍ବ ତ୍ୟାଗ କରି, ସମସ୍ତ ଦୁଃଖକଷ୍ଟକୁ ହସିହସି ଆଲିଙ୍ଗନ କରିପାରିଥାନ୍ତି । ଏପରିକି ନିଜ ଜୀବନକୁ ମଧ୍ୟ ବଳିଦାନ ଦେବାରେ ସେମାନେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ମହା ଶ୍ରମଣମାନଙ୍କୁ ବୋଧିସତ୍ବ ମଧ୍ୟ କୁହାଯାଏ ।

ତଥାଗତ ଗୌତମ ବୁଦ୍ଧ

ବିଶ୍ବ ଇତିହାସରେ ତଥାଗତ ଗୌତମ ବୁଦ୍ଧ ଥିଲେ ପ୍ରଥମ ପ୍ରଜ୍ଞା, ସାମାଜିକ ନ୍ୟାୟ ଓ ସଂପୂର୍ଣ କ୍ରାନ୍ତିର ଜନକ । ମାନବ ଇତିହାସର ଏକ ଅନନ୍ୟ ବ୍ୟକ୍ତିତ୍ବ ଓ ଏକ କ୍ରାନ୍ତିକାରୀ ସଂଘନାୟକ ଭାବରେ ତାଙ୍କ ସ୍ଥାନ ଅତୁଳନୀୟ । ଐତିହାସିକ ପ୍ରମାଣ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୫୬୩ ମସିହାରେ ସେ ନେପାଳର କପିଳାବସ୍ତୁ ନଗରସ୍ଥିତ ଲୁମ୍ବିନୀରେ ଜନ୍ମ ଗ୍ରହଣ କରିଥିଲେ । ମୂଳନିବାସୀ ଶାକ୍ୟବଂଶର ରାଜା ଶୁଦ୍ଧୋଦନ ଓ ରାଣୀ ମହାମାୟାଙ୍କ ସେ ଏକମାତ୍ର ସନ୍ତାନ ଥିଲେ । ବାଲ୍ୟକାଳରେ ତାଙ୍କ ନାମ ସିଦ୍ଧାର୍ଥ ଗୌତମ ରଖାଯାଇଥିଲା । କାଳକ୍ରମେ ସେ କଠୋର ସାଧନା, ଗଭିର ଅଧ୍ୟୟନ କରି ବିଶ୍ବଗୁରୁ “ଶାକ୍ୟମୁନି ବୁଦ୍ଧ” ରୂପେ ପରିଚିତ ହେଲେ । ସେ ସୋହଳ ବର୍ଷ ବୟସରେ କୋଲିୟ ରାଜକୁମାରୀ ଯଶୋଧାରାକୁ ବିବାହ କରିଥିଲେ । ତାଙ୍କ ଔରସରୁ ଏକ ପୁତ୍ର ସନ୍ତାନ ରାହୁଲ ଜନ୍ମ ନେଇଥିଲା ।

ମଣିଷର ମାନସିକ ଦୁଃଖ ଓ ସାମାଜିକ କଳହର ମୂଳ କାରଣ ଖୋଜି ବାହାର କରିବାକୁ ତାଙ୍କୁ ଦୀର୍ଘ ଛଅବର୍ଷ କଠୋର ସାଧନା ଓ ବୈଜ୍ଞାନିକ ପ୍ରଶିକ୍ଷଣ କରିବାକୁ ପଡିଥିଲା । ୩୫ ବର୍ଷ ବୟସରେ ବୁଦ୍ଧଗୟାଠାରେ ସିଦ୍ଧାର୍ଥ ଗୌତମଙ୍କୁ ବୁଦ୍ଧତ୍ବ (ନିର୍ବାଣ) ପ୍ରାପ୍ତି ହୋଇଥିଲା । ବୈଶାଖ ପୂର୍ଣ୍ଣିମା ଦିନ, ତଥାଗତ ସ୍ପଷ୍ଟ ରୂପେ ‘ପ୍ରତ୍ୟୁତ ସମୁତ୍ପାଦ’ ତତ୍ତ୍ୱଜ୍ଞାନ ସହିତ ସମ୍ପୂର୍ଣ୍ଣ ଅବଗତ ହେଲେ । ସେ ଜାଣିପାରିଲେ ଯେ ଏହି ସମଗ୍ର ବିଶ୍ବ ଓ ଜୀବଜଗତକୁ କେହି ଇଶ୍ବର କିମ୍ବା ଭଗବାନ ସୃଷ୍ଟି କରିନାହାନ୍ତି । ମଣିଷ ଶରୀର ଓ ସମାଜ ସଦାସର୍ବଦା ବୈଜ୍ଞାନିକ ସତ୍ୟ ଓ ପ୍ରାକୃତିକ ନିୟମ ଆଧାରରେ କାର୍ଯ୍ୟରତ । ବାସ୍ତବବାଦୀ ହୋଇ ‘ଭାଗ୍ୟ ଓ ଭଗବା’ ସତ୍ତାକୁ ସମ୍ପୂର୍ଣରୁପେ ଖଣ୍ଡନକରି ତିଥାଗତ ବୁଦ୍ଧ ‘ବିଜ୍ଞାନର ଜନକ’ ରୂପେ ବିଶ୍ବଦରବାରରେ ପରିଗଣିତ ହେଲେ । ସମଗ୍ର ମାନବ ସମାଜକୁ ମୁକ୍ତକଣ୍ଠରେ ସେଦିନ ସେ କହିଲେ “ମଣିଷ ଓ ମଣିଷ ମଧ୍ୟରେ ସୁସମ୍ପର୍କ – ମେତ୍ରୀ ସ୍ଥାପନା କରିବା ହେଉଛି ପ୍ରକୃତ ମାନବ ଧର୍ମ।”

ମାନବତାବାଦର ଉର୍ଦ୍ଧରେ କୌଣସି ଧର୍ମ କିମ୍ବା ଭଗବାନ ନାହାନ୍ତି ବୋଲି ଦୀର୍ଘ ୪୫ ବର୍ଷକାଳ ଚକ୍ରମଣ ଓ ଚାରିକା କରି ସାରା ପୃଥିବୀରେ ସେ ସଧମ୍ମର ପ୍ରଚାର ପ୍ରସାର କଲେ । ତାଙ୍କ ପ୍ରଜ୍ଞାବାଣୀ ଶୁଣି ବହୁ ଦଳିତ, ନାରୀ, କ୍ଷୁଦ୍ର, ଆଦିବାସୀ ତଥା ସମାଜର ବିଭିନ୍ନବର୍ଗର ବ୍ୟକ୍ତିମାନେ ସଧମ୍ମରେ ଦୀକ୍ଷିତ ହେଲେ ଓ ତ୍ରିରତ୍ନ ସଂଘରେ ପ୍ରବେଶ କଲେ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଓ କର୍ମଗତ ଭେଦଭାବକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବା ଥିଲା ବୁଦ୍ଧ ସଂଘର ମୌଳିକ ନିୟମ । ତଥାଗତଙ୍କ ଦ୍ବାରା ଦିଆଯାଇଥିବା ସମସ୍ତ ନୀତିବାଣୀ ଓ ଶିକ୍ଷାଗୁଡ଼ିକ ତ୍ରିପିଟକ ଗ୍ରନ୍ଥରେ ଲିପିବଦ୍ଧ ଅଛି । ଶୋଣିତ ଭଙ୍ଗୀ, ପଟାଚାରା- ଏକ ମାନସିକ ରୋଗରେ ପିଡିତ ଥିବା ନାରୀ, ଆମ୍ରପାଲି – ଏକ ଗଣିକା ଓ ଶୁଦ୍ର – ଉପାଲି ପରି ସମାଜର ନିମ୍ନସ୍ତରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ଗୌତମ ବୁଦ୍ଧ ସଧମ୍ମରେ ଦୀକ୍ଷିତ କରିଥିଲେ । କାଳକ୍ରମେ ସେମାନେ ବୌଦ୍ଧ ସଂଘର ପ୍ରଧାନ ଧମ୍ମ ଦୂତ, ଧମ୍ମ ସେନାପତି ଓ ଧମ୍ମ ଶିକ୍ଷକ ହୋଇପାରିଥିଲେ । ସମାଜରେ ପୂର୍ବ ପ୍ରଚଳିତ ବୈଦିକପ୍ରଥା ପରମ୍ପରା, ବର୍ଣ୍ଣ ଭେଦଭାବ, ନାରୀ ନିର୍ଯ୍ୟାତନା, ପଶୁବଳି ପରି ସମସ୍ତ ଘୃଣ୍ୟ ବ୍ରାହ୍ମଣବାଦୀ ବ୍ୟବସ୍ଥାକୁ ସମୂଳେ ନଷ୍ଟ କରିଦେବା କାର୍ଯ୍ୟରେ ତଥାଗତଙ୍କ ନିର୍ମିତ ସାମାଜିକ-ନୈତିକ-ସଂଘ ବହୁମାତ୍ରାରେ ସଫଳ ହୋଇପାରିଥିଲା । କୁଶୀନଗରସ୍ଥିତ ପାବା ଠାରେ ୮ ବର୍ଷ ବୟସରେ ଏକ ବୈଶାଖ ପୂର୍ଣ୍ଣିମା ଦିନ ତଥାଗତ ବୁଦ୍ଧ ଙ୍କ ମହାପରିଚିର୍ବାଣ ହେଲା । ଜୀବନର ଅନ୍ତିମ କାଳରେ ସେ କହିଲେ – “ସବ୍ବ ପାପସ୍ସ ଅକରଣଂ, କୁଶଳସ୍ସ ଉପସମ୍ପଦା, ସଚିତ୍ତ ପରିୟୋଦପନଂ ଏତଂ ବୁଦ୍ଧାନୁଶାସନଂ । ଯାହାର ଅର୍ଥ ହେଲା ମଣିଷ ମୁକ୍ତ ମନ ନେଇ ବିଶାଳ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କଲେ, ଅନ୍ଧବିଶ୍ୱାସ ଓ ଅକୁଶଳକର୍ମରୁ ବିରତ ହୋଇପାରିବ, ତର୍କଶୀଳ ଚିନ୍ତନ ଓ ଧ୍ୟାନ ମାଧ୍ୟମରେ ମଣିଷ ସର୍ବଦା ଉତ୍ତମ ମାନବୀୟ ମୂଲ୍ୟଗୁଡିକର ବିକାଶ କରିବାରେ ସକ୍ଷମ ହୋଇପାରିବ, ଯାହାର ପରିଣାମ ଏକ ପ୍ରବୁଦ୍ଧ ବିଶ୍ବ ନିର୍ମାଣରେ ସହାୟକ ହେବ ।

ବୋଧିସତ୍ବ କ୍ରାନ୍ତିକବି ଭୀମଭୋଇ

ସମାଜରେ ପ୍ରଚଳିତ ଅସମାନତା, ଅନ୍ୟାୟ ଗୁଡିକୁ ବିନାଶକରି ସମଗ୍ରସମାଜକୁ ମୁକ୍ତିର ମାର୍ଗ ଦେଖାଇବାପାଇଁ ଅନେକ ମହାମାନବ ବୋଧିସତ୍ତ୍ବ ରୁପରେ ଆସିଥାନ୍ତି । ଯେଉଁମାନେ ମୁକ୍ତ କଣ୍ଠରେ ବିଭିନ୍ନ ପରମ୍ପରା, ଧର୍ମସଂସ୍କାର, ଧର୍ମଗ୍ରନ୍ଥ ଓ ଅନ୍ୟାୟରେ ଆଧାରିତ ରାତିନୀତିକୁ ବିରୋଧ କରି ମାନବକଲ୍ୟାଣ ନିମନ୍ତେ ସଂଗ୍ରାମ କରିଥାନ୍ତି । ସେମାନେ ଆମ ଭଳି ସାଧାରଣ ମଣିଷ ହେଲେ ସେମାନଙ୍କ ମାନବତାବାଦୀ ଆନ୍ଦୋଳନ ପାଇଁ ସେମାନଙ୍କୁ ବୁଦ୍ଧ ତଥା ବୋଧିସତ୍ବ ନାମରେ ନାମିତ କରାଯାଇଥାଏ। ସତ୍ୟଧର୍ମର ପ୍ରଚାର କରିବା ସଙ୍ଗେ ଏକ ନୂତନ ସମାଜ ଗଠନରେ ବ୍ରତୀ ହୋଇଥାନ୍ତି । ସେହିପରି ବୋଧିସତ୍ବ ମାନଙ୍କ ମଧ୍ୟରୁ କ୍ରାନ୍ତିକବି ଭୀମଭୋଇ ଅନ୍ୟତମ । ସେ ୧୮୫୦ ମସିହା ବୈଶାଖପୁର୍ନିମା ଦିନ ତତ୍କାଳୀନ ସୋନପୁର ଗଡ଼ଜାତିର ବୀରମହାରାଜପୁର ସବ୍ଡିଭିଜନ ଅନ୍ତର୍ଗତ ଜଟାସିଂହା ଗ୍ରାମରେ ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଗୁରୁବାରୀ ଓ ପିତାଙ୍କ ନାମ ଦିନାର ଭୋଇ । ଯାହାଙ୍କ ପାଖରେ ଥିଲା ବୋଧିସତ୍ବ ମାନଙ୍କ ସମଗ୍ର ଗୁଣ ଯଥା- ପ୍ରଜ୍ଞା, କରୁଣା, ଦାନ, ଶୀଳ, ଓ ଦୃଢ଼ ସଂକଳ୍ପ । ଭୀମଭୋଇ ଥିଲେ ମହିମା ସତ୍ୟଧର୍ମର ପ୍ରଚାରକ ବିଶ୍ବଶାନ୍ତି, ମୈତ୍ରୀ ଓ ନ୍ୟାୟ ଆଧାରିତ ସମାଜ ଗଠନର ମୁଖ୍ୟ ସଂଗ୍ରାମୀ । ବର୍ତମାନ ଓଡ଼ିଶା ତଥା ରାଜ୍ୟ ବାହାରେ ତାଙ୍କର ହଜାର ହଜାର ଅନୁଗାମୀ ଅଛନ୍ତି । ମହାକାରୁଣିକ ତଥା ଗୌତମବୁଦ୍ଧଙ୍କ ପରି କବିଙ୍କ ପ୍ରାଣ ସର୍ବଦା ପ୍ରାଣୀମାନଙ୍କର ଦୁଃଖ କଷ୍ଟକୁ ସହ୍ୟ କରିନପାରି ସମାଜରେ ପ୍ରଚଳିତ ଅନ୍ୟାୟ ଅତ୍ୟାଚାରକୁ ବିରୋଧ କରୁଥିଲେ । ସେଥିପାଇଁ କ୍ରାନ୍ତିକବି କହିଲେ:-

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।”
-(ସ୍ତୁତି ଚିନ୍ତାମଣି – ୨୭/୭)

ମହିମାଧର୍ମ ଏବଂ ବୌଦ୍ଧଧମ୍ମ ଏକ ଓ ଅଭିନ୍ନ ଅଟେ । ଏଥିରେ ଦ୍ବିମତ କିଛି ନାହିଁ । ବୁଦ୍ଧଙ୍କର ମୌଳିକ ଶିକ୍ଷା, ପଞ୍ଚଶୀଳ ମହିମା ଧର୍ମରେ ସ୍ପଷ୍ଟ ପରିଲକ୍ଷିତ ହୁଏ । ପ୍ରଣୀ ହିଂସା ନ କରିବା, ଚୋରି ନ କରିବା, ବ୍ୟଭିଚାର ନ କରିଦା, ମିଛ ନ କହିବା ଓ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଭୀମଭୋଇ ସମସ୍ତ ଉପଦେଶ ଦେଇଛନ୍ତି । ବୌଦ୍ଧ ଧମ୍ମର ତ୍ରିଶ୍ରଣ ପରି ମହିମାଧର୍ମୀମାନେ ଅଲେଖ ଶରଣ କରନ୍ତି । ଉଭୟ ଧର୍ମରେ ସୂର୍ଯ୍ୟ ଆଲୋକ ଶକ୍ତିର ଆଧାର ଓ ଜଗତକୁ ଅବାରମୁକ୍ତ କରୁଥିବାରୁ ସୂର୍ଯ୍ୟଙ୍କୁ ନମସ୍କାର କରିବାର ନିୟମ ଅଛି । ବୌଦ୍ଧ ଧମ୍ମରେ ଥିବା ବୁଦ୍ଧ ବିହାର, ସ୍ତୁପ ଓ ଭିକ୍ଷୁ ଭଳି ମହିମା ଧର୍ମରେ ରହିଛି ମହିମାମଠ, ମହିମାଟୁଙ୍ଗୀ ଓ ମହିମା ସନ୍ନ୍ୟାସୀ । ଉଭୟ ଧର୍ମରେ ନାରୀ ଓ ଗୃହସ୍ଥ୍ୟମାନଙ୍କୁ ବ୍ରହ୍ମଜ୍ଞାନ ( ନିର୍ବାଣ) ପ୍ରାପ୍ତ କରିବା ପାଇଁ କୌଣସି ବାଧାବିଘ୍ନ ନାହିଁ । ସମୟକ୍ରମେ ଗୌତମବୁଦ୍ଧଙ୍କ ନୀତିକୁ ତାଙ୍କ ଶିଷ୍ୟମାନେ ବିଭିନ୍ନ ରାଜ୍ୟରେ, ବିଭିନ୍ନ ଦେଶରେ ନିଜସ୍ବ ଢ଼ଙ୍ଗରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ଠିକ ସେହିଭଳି ମହିମା ସ୍ବାମୀଙ୍କ ଶିଷ୍ୟମାନେ ମଧ୍ୟ ମହିମା ଧର୍ମର ପ୍ରଚାର କରିଥାନ୍ତି । ସାମାଜିକ ସମାନତାକୁ ନେଇ କବି କହିଛନ୍ତି:-

“ଛତିଶ କୂଳି ବାଉନ ଯେ ପାଟକ ଯେ ଅଛି ସ୍ତିରୀ ପୁରୁଷ
ଉଚ୍ଚନିଚ୍ଚ ବୋଲି ବାରଣ ନ କରି ନାମରେ ଶରଣ ପସ” ।।
-(ସ୍ତୁତି ଚିନ୍ତାମଣି – ୯୨/୧)

ପ୍ରବୁଦ୍ଧ ମହିମା ସ୍ୱାମୀଙ୍କ ଦ୍ବାରା ଓଡିଶାରେ ପ୍ରସ୍ଥାପିତ ମହିମା ଧର୍ମ ବୁଦ୍ଧ ଧର୍ମର ଏକ ନୂଆ ରୂପ । ତଥାଗତ ଗୌତମବୁଦ୍ଧଙ୍କ ମୂଳ ଶିକ୍ଷା “ପ୍ରତ୍ୟୁତ୍ତ ସମୁତ୍ପାଦକୁ” ଶୁନ୍ୟବାଦର ଦର୍ଶନ ମାଧ୍ୟମରେ ତାଙ୍କ ଶିଷ୍ୟମାନେ କାଳକ୍ରମେ ସମଗ୍ର ବିଶ୍ୱରେ ପ୍ରକୃତିର ସୃଷ୍ଟି ଓ କ୍ରମବିକାଶର ଧାରାକୁ ବୈଜ୍ଞାନିକ ଆଧାର ଦେଇଅଛନ୍ତି । ସେହି ଦର୍ଶନ ତତ୍ତ୍ବ ପ୍ରଜ୍ଞାବାଣୀ ପ୍ରବୁଦ୍ଧ ମହିମା ସ୍ବାମୀ ଭୀମଭୋଇଙ୍କୁ ଶିକ୍ଷା ଦେଇଥିଲେ । ସେଥିପାଇଁ ଜନବାଦୀ କବି ଲେଖୁଛନ୍ତି:-

ମହାଶୂନ୍ୟ ପୂର୍ଣବ୍ରହ୍ମ ବୁଦ୍ଧରୁପରେ
କେହି ନ ଜାଣୁଛ ଜମ୍ବୁ ଦ୍ବୀପ ମଧ୍ୟରେ
ତିନିପୁର ଲୋକ ଦରଶନ କର ବୁଦ୍ଧରୂପ ଗୁରୁଙ୍କୁ
ନାଭିମଣ୍ଡଳରୁ ଅଲେଖ ପ୍ରଭା ଅଛି ତହିଁ ଉପରକୁ ।।
-(ସ୍ତୁତି ଚିନ୍ତାମଣି ୮୯/ ୧ ୨)

ଶୂନ୍ୟବାଦର ଦର୍ଶନତତ୍ତ୍ବ ଅନୁସାରେ ମହାଶୂନ୍ୟ ହେଉଛି ଜଗତର ସକଳ ପଦାର୍ଥ, ପ୍ରାଣୀ ଓ ଶକ୍ତିର ମୂଳ ଆଧାର । ଶୂନ୍ୟବାଦର ପ୍ରବର୍ତ୍ତକ ବୋଧିସତ୍ବ ନାଗାର୍ଜୁନଙ୍କ ମତରେ “ମୁଁ, ମୋର, ମୋତେ ଏ ସବୁ ସ୍ବାର୍ଥବାଦୀ ସଙ୍କେତ କେବଳ ଅଜ୍ଞାନତାର ପରିଚୟ ଓ ଆତ୍ମାର କୌଣସି ସତ୍ତା ନାହିଁ । ସେହି ତଥ୍ୟକୁ ଭୀମଭୋଇ ପୂର୍ଣ୍ଣ ସମର୍ଥନ କରି ସମାଜର କଲ୍ୟାଣ ପାଇଁ ସର୍ବସ୍ବ ତ୍ୟାଗ କରିବାକୁ ଶିକ୍ଷା ଦେଇଛନ୍ତି । ତାଙ୍କ ମତରେ ଗୁରୁଙ୍କ ଶିକ୍ଷା ଓ ପ୍ରଦର୍ଶିତ ପଥକୁ ଅନୁସରଣ କଲେହେଁ ମୁକ୍ତିର ମାର୍ଗ ମିଳିବ ଓ ସତ୍ୟଧର୍ମ ପ୍ରତିଷ୍ଠା ହୋଇପାରିବ । ଅଲେଖ ଦର୍ଶନ କରିବାକୁ ହେଲେ ନିଜମନକୁ ସର୍ବ ପାପକର୍ମରୁ ବିରତ କରି କୁଶଳକର୍ମରେ ଲଗାଇବା ନିତାନ୍ତ ଜରୁରୀ ଅଟେ । ବୋଧିସତ୍ବ ଭୀମଭୋଇ ସର୍ବଦା ପ୍ରାଣୀଙ୍କର ଦୁଃଖକଷ୍ଟ ଓ ତାର ନିରାକରଣ ପନ୍ଥା ବିଷୟରେ ଗଭୀର ଚିନ୍ତନ କରୁଥିଲେ । ସିଦ୍ଧାର୍ଥ ଗୌତମ ଯେପରି ନିଜଗୁରୁ – ଆଲାର କାଲାମ ଓ ଶ୍ରୀରାମ ଉଦ୍ଦକ ପୁତଙ୍କୁ ବିନମ୍ର ସହକାରେ ଦୁଃଖରୁ ମାନବ ମୁକ୍ତିର ମାର୍ଗ ପଚାରିଥିଲେ । ଠିକ୍ ସେହିପରି କବି ନିଜଗୁରୁ ମହିମା ସ୍ୱାମୀଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତିର ମାର୍ଗ ପଚାରି ବୁଝିଥିଲେ । କବିଙ୍କ ଭାଷାରେ:-

ପ୍ରାଣୀକ କଷଣ ଭେଦୁଅଛି ମନ ଜୀବନକୁ ମୋର ବୋଧେ
ଭୀମ ଅରକ୍ଷିତ କରି ଦଣ୍ଡବତ କାରଣ ମାଗୁଛି ପାଦେ ।।
-(ସ୍ତୁତିଚିନ୍ତାମଣି ୨୬/ ୨ ୦)

ତଥାଗତ ଗୌତମବୁଦ୍ଧଙ୍କ ଶିକ୍ଷା ପୂର୍ଣ୍ଣତଃ ଆତ୍ମବିଶ୍ୱାସ ଓ ଆତ୍ମ ପ୍ରଚେଷ୍ଟା ଉପରେ ପର୍ଯ୍ୟବେଶିତ । ଠିକ୍ ସେହିପରି ବୋଧିସତ୍ବ ଭୀମଭୋଇଙ୍କ ମତରେ ମଣିଷ ଚିତ୍ତର ଶୁଦ୍ଧତା ସତ୍ୟଜ୍ଞାନ ମାଧ୍ୟମରେ ଅଲେଖ ଦର୍ଶନ କରିପାରେ ଅନିତ୍ୟ, ଅନାତ୍ମ ଓ ଦୁଃଖକୁ ପ୍ରକୃତି ତଥା ମଣିଷ ଜୀବନର ପରମସତ୍ୟ କୁହାଯାଉଅଛି ବୁଦ୍ଧ ଧର୍ମରେ । ସେହିପରି ସତ୍ୟସୁନ୍ଦର ଗୌରବମୟ ପ୍ରକୃତିର ଧର୍ମ ହେଉଛି ମହିମା ଧର୍ମ । ବୌଦ୍ଧ ଧମ୍ମ ଓ ମହିମା ଧର୍ମ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଅଛି । ସାଂପ୍ରତିକ ସ୍ଥିତିରେ ମହିମାଧର୍ମକୁ ବୁଦ୍ଧ ଧମ୍ମର କୌଣସି ଶାଖା କୁହାଯାଇପାରିବ ନାହିଁ । ମହିମା ଧର୍ମରେ ହିନ୍ଦୁ ଧର୍ମର ବହୁ ବୈଦିକ ଓ ପୌରାଣିକ ଚରିତ୍ର ମାନଙ୍କର ବର୍ଣ୍ଣନା କରାଯାଇଅଛି । ଅନେକ ଦ୍ବନ୍ଦ ଓ ବିରୋଧାଭାଷ ମଧ୍ୟ ପୁରିରହିଛି । ଯାହାକୁ ସ୍ପଷ୍ଟ କରିବା ପାଇଁ କବି ଭୀମଭୋଇ ବହୁ ଚେଷ୍ଟା କରିଥିଲେ । ତାଙ୍କ ନିର୍ବାଣ ପରେ ବହୁ ପ୍ରସିଦ୍ଧ ମହିମାଧର୍ମୀ ବାବାମାନେ ମୁଖ୍ୟତଃ ଗୋବିନ୍ଦ ବାବା, ବିଶ୍ବନାଥ ବାବା, ଦୈତାରୀ ବାବା, ନାରାୟଣ ବାବା, ବିରଞ୍ଚି ବାବା ଆଦି ନିଜ ଭଜନ ଓ ଲେଖନୀ ମାଧ୍ୟମରେ ସମାଜ ସଂସ୍କାର କାମ କରି ଆସୁଛନ୍ତି ।

ବୋଧ୍ୟସତ୍ବମାନେ ସର୍ବଦା ସାହସୀ, ବୀର୍ଯ୍ୟବାନ, ଆଶାବାଦୀ ଓ ଦୂରଦୃଷ୍ଟି ସଂପନ୍ନ ହୋଇ ସଠିକ କାର୍ଯ୍ୟ କରିଥାନ୍ତି । ସେଥିପାଇଁ ଭୀମଭୋଇ ଗାଁ ଗାଁ ବୁଲି ଲୋକମାନଙ୍କୁ ମହିମା ଧର୍ମର କଥାବସ୍ତୁ ବୁଝାଉଥିଲେ । ଇଛୁକ ବ୍ୟକ୍ତିମାନଙ୍କୁ ମହିମାଧର୍ମରେ ଦୀକ୍ଷିତ କରାଉଥିଲେ । ଅସ୍ପୃଶ୍ୟ, ଆଦିବାସୀ, ପଛୁଆବର୍ଗ, ଚାଷୀମୁଲିଆ ଓ ମହିଳାମାନେ ବହୁସଂଖ୍ୟାରେ ମହିମା ଧର୍ମରେ ଦୀକ୍ଷା ଗ୍ରହଣ କରିଥିଲେ । ମାତ୍ର ସେ ରାସ୍ତ। ଏତେ ସହଜ ନ ଥିଲା । ଅନେକ ସମୟରେ କବିଙ୍କୁ ନିନ୍ଦା, ଅପମାନ ଓ ଗାଳି ଆଦିକୁ ସହ୍ୟ କରିବାକୁ ପଡ଼ୁଥିଲା । ଅସୀମ ଧୈର୍ଯ୍ୟ ଓ ସହିଷ୍ଣୁତା ଥିଲା ତାଙ୍କ ବ୍ୟକ୍ତିତ୍ବରେ ।

ବିଦେଶୀ ବ୍ରାହ୍ମଣ ଓ ମନୁବାଦୀ ମାନେ ଭୀମଭୋଇଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିଲେ । କନ୍ଧ ଆଦିବାସୀ ସମାଜରେ ଜନ୍ମହୋଇ ବେଦ ପରମ୍ପରା ଓ ଦେବାଦେବୀଙ୍କ ମୂର୍ତ୍ତି ପୂଜାକୁ ବିରୋଧ କରୁଛି, ଧର୍ମ ନଷ୍ଟ କରୁଛି ବୋଲି ତାଙ୍କୁ ନିନ୍ଦା କରୁଥିଲେ । କିଛି ଖଳ ପ୍ରକୃତିର ବୈଦିକ ଜାତିବାଦୀ ଗୋଷ୍ଠୀ ତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ଏହା ତାଙ୍କ ଲେଖନୀରୁ ସ୍ପଷ୍ଟ ଜଣାପଡେ । ଏକଦା ଭୀମଭୋଇ ଖଲିଆପାଲି ଆଶ୍ରମରେ ଏକାକୀ ଥିଲାବେଳେ କିଛି ଦୁଷ୍ଟ ବ୍ରାହ୍ମଣ ତାଙ୍କୁ ମାଡମାରି ସଂଜ୍ଞାହୀନ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ଉକ୍ତ ମରଣାନ୍ତକ ଆକ୍ରମଣରୁ ସୁସ୍ଥ ହୋଇ ତାଙ୍କ ବିଦ୍ରୋହୀ ମନରେ ଲେଖିଥିଲେ:–

“ଏକାଦିବସରେ କ୍ଷଣିକ ଭିତରେ ଦ୍ୟନ୍ତି ପୃଥୀ ଲେଉଟାଇ
ଦାନ୍ତ କାମୁଡି କିସ ବୁଦ୍ଧି କରିବି ଶ୍ରୀଗୁରୁଙ୍କ ଆଜ୍ଞା ନାହିଁ ।।”
-(ସ୍ତୁତି ଚିନ୍ତାମଣି ୨୬/୧୭)

କବିଙ୍କର ବିଦ୍ରୋହୀ ଚିନ୍ତାଧାରା ଓ କ୍ରାନ୍ତିକାରୀ ଲେଖାଗୁଡିକ ସାରା ଓଡ଼ିଶାର ପୁରପଲ୍ଲୀ ତଥା ପଡୋଶୀ ରାଜ୍ୟମାନଙ୍କରେ ମଧ୍ୟ ବହୁଳ ପ୍ରଭାବ ପକାଇ ପାରିଥିଲା । ଶହଶହ ମହିମା ଟୁଙ୍ଗୀମାନ ଗାଁ ଗାଁ ରେ ଗଠିତ ହେଲା । ଜଣେ ନୀଚ୍ଚ ଜାତି ଆଦିବାସୀ କନ୍ଧ ହୋଇ ସମାଜଭେ ମହାକବି, ମହାଜ୍ଞାନୀର ପରିଚୟ ପାଇଦା ଉଚ୍ଚଜାତିର ଲୋକଙ୍କ ପକ୍ଷେ ଅସହ୍ୟ ହୋଇପଡ଼ିଲା । ତାଙ୍କ ଚରିତ୍ର ତଥା ବ୍ୟକ୍ତିତ୍ବକୁ ଗୁରୁତ୍ବହୀନ କବିତା ପାଇଁ ଅନେକ ଅପଚେଷ୍ଟା କରାଗଲା । କ୍ରୀନ୍ତିକାରୀ, ବେଦବିରୋଧି ଭୀମଭୋଇଙ୍କ ଚରିତ୍ରକୁ ବିଭିନ୍ନ ବୈଦିକ ଭଗବାନଙ୍କ ଭକ୍ତ ରୂପେ ଚିତ୍ରଣ କରାଗଲା । ଉଚ୍ଚ ଜାତିର ସାହିତ୍ୟିକ ଓ କନ୍ଧମାନେ ଭୀମଭୋଇଙ୍କୁ ଭକ୍ତକବି ରୂପେ ନାମିତ କଲେ । ଯାହାର ଫଳସ୍ବରୂପ କନ୍ଧ ସମାଜର ଆଦିବାସୀମାନେ ମଧ୍ୟ ଭୀମଭୋଇଙ୍କୁ ଭୁଲିବାରେ ଲାଗିଛନ୍ତି ।

ଆଧୁନିକ ପରିସ୍ଥିତିକୁ ଅଧ୍ୟୟନ କଲେ ଜଣାପଡେ ଯେ କୌଣସି ମହାନ ବିଚାରଧାରାକୁ ଠିକ୍ ଭାବରେ ପ୍ରଚାର ଓ ପ୍ରସାର କରାନଗଲେ ତାହା ଲୁପ୍ତ ହେବାପାଇଁ ବେଶି ସମୟ ଲାଗେ ନାହିଁ । ତେଣୁ ବର୍ତ୍ତମାନ ସମୟ ଆସିଛି ମହିମାଧର୍ମର ମହାନ ବିଚାରଧାରାକୁ ବିଶ୍ଵଦରବାରରେ ପହଞ୍ଚାଇବା ସକାଶେ ଭୀମଭୋଇଙ୍କ କୃତି ଗୁଡିକୁ ବିଶ୍ବର ବିଭିନ୍ନ ଭାଷାରେ ଅନୁବାଦ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ସତ୍ୟଧର୍ମ ଓ ସତଶିକ୍ଷାକୁ ଯେତେ ଚେଷ୍ଟାକଲେ ବି ସବୁଦିନ ପାଇଁ ଲୁଚାଇ ରଖିବା ଅସମ୍ଭବ ଅଟେ । ବୁଦ୍ଧଙ୍କ କହିବା ଅନୁସାରେ ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟକୁ କେହି ଚିର ଦିନ ପାଇଁ ଲୁଚାଇ ରଖିପାରିବେ ନାହିଁ । କିଛି ମୂଳନିବାସୀ ବୁଦ୍ଧିଜୀବୀଙ୍କ ପ୍ରଚେଷ୍ଠା ଯୋଗୁଁ ବିଶ୍ବମିଳିତ ଜାତିସଂଘ ନିଜକେନ୍ଦ୍ରୀୟ ସଭାକାନ୍ଥରେ ଅବିକଳ ଓଡିଆଲିପିରେ ଭୀମଭୋଇଙ୍କର ଜଗତମୁକ୍ତିର କରୁଣାଭରା ସତ୍ୟବାଣୀକୁ ଲିପିବଦ୍ଧ କରିଅଛି । ସେଥିପାଇଁ ଭୀମଭୋଇଙ୍କୁ ମିଳିଛି ବିଶ୍ଵ ମାନବବାଦ ପୂରୋଧା ର ପରିଚୟ । ତାଙ୍କ ରଚିତ ପ୍ରତିଟି ଶବ୍ଦ ବିଶ୍ବ କଲ୍ୟାଣ ନିମନ୍ତେ ସର୍ବଦା ପ୍ରେରଣା ଯୋଗାଉଛି ଏବଂ ଯୋଗାଉଥିବ । ଜନବାଦୀ ସମତାମୂଳକ ସମାଜଗଠନ ପାଇଁ ବିଶ୍ବକବି ଆହ୍ବାନ ଦେଇ କହିଛନ୍ତି:-

“ସର୍ବେ ହୋଇବେ ଏକାକାର
ନରହିବ ବେଦର ବିଚାର ।”

ପବିତ୍ର ବୁଦ୍ଧ ପୂର୍ଣିମା ଓ କ୍ରାନ୍ତିକବି ଭୀମଭୋଇଙ୍କ ଜନ୍ମଜୟନ୍ତୀ ଶୁଭଅବସର ସେହି ଦୁଇ ମହାଶ୍ରମଣଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଓ ସମଗ୍ର ବହୁଜନ ମୂଳନିବାସୀ ସମାଜକୁ ଅଶେଷ ସାଧୁବାଦ ଜଣାଉଛି । ଏହି ଲେଖାଟିର ଉଦ୍ଧେଶ୍ୟ ହେଇଛି ବିଶ୍ଵଗୁରୁ ଦୁଇ ମହାଶ୍ରମଣ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭାମଭୋଇଙ୍କ ସାଂସ୍କୃତିକ ଇତିହାସ ତଥା ବୈଚାରିକ ସଂଘର୍ଷ ବିଷୟରେ ମୂଳନିବାସୀ ସମାଜକୁ ସ୍ପଷ୍ଟରୂପେ ଅବଗତ କରାଇବା ।

ସହାୟକ ଗ୍ରନ୍ଥସୂଚୀ:-

୧) ତ୍ରିପିଟକ (ପାଲି)- ଭଦନ୍ତ ଆନନ୍ଦ କୌଶଲ୍ୟାୟନ
୨) ସ୍ତୁତି ଚିନ୍ତାମଣି- ଭୀମଭୋଇ
୩) ଭୀମଭୋଇ ଗୁନ୍ଥାବଳୀ – ବୀର କିଶୋର ଦାସ
୪) କ୍ରାନ୍ତିକବି ଭୀମଭୋଇ – ନବ କିଶୋର ମାଝି
୫) ବୁଦ୍ଧିଜିମ୍ ଇନ୍ ଓଡ଼ିଶା – ନବୀନ କୁମାର‌‍ ସାହୁ
୬) ବୁଦ୍ଧିଜିମ୍ ଇନ୍ ଇଣ୍ଡିୟାନ ହିଷ୍ଟ୍ରି – ଲାଲମଣି ଯୋଶୀ
୭) ବୁଦ୍ଧ ଏଣ୍ଡ ହିଜ୍ ଧମ୍ମ – ଡକ୍ଟର ବି. ଆର. ଅମ୍ବେଦକର
୮) ମହିମା ଦର୍ଶନ – ବିଶ୍ବନାଥ ବାବା
୯) ହିଷ୍ଟ୍ରି ଅଫ୍ ହିନ୍ଦୁ ଇମ୍ପେରିୟାଲିଜମ୍ – ସ୍ୱାମୀ ଧର୍ମତୀର୍ଥ

  • ଧିମାନ୍ ଜୟଦୀପ୍ (ବୁଦ୍ଧିଷ୍ଟ ରିସର୍ଚ୍ଚ ସ୍କୋଲାର)।

2 thoughts on “ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ

  1. Superb…ajira samayare buddhism au alekha dharma ku jau mane prachar prasar karuchanti se manka bhitaru kichhi brahmana ansare jata hoithiba dhongi buddhist au alekha dharma ra followers saji rajanitire sadajantra kari bhaga bhaga kariba saha bhul prachar prasar karuchanti.jaha badalare lokanka pakhare sathik barta jauni falare lopa paibaku asuchhi au ajira samayare jaha biswa guru bhima bhoi chahuthili tahara sathik heba dura katha sabuthu alaga au birodhre hauchhi ….tenu jemiti ama maha purusamane nija rakta hada sariraku nija moha maya thu durei rakhi samaj re rahithibu loka manaka pain ni swarthare kama kale amaku b sankalpa nei agaku mahapurusa manaka barta ku satya ra margare nei prachar prasar kari samaj pain kama karibaku padiba…. Sabuthu mula karana coropt system ate government hatare sabu kichhi tenu jeu mane samaj pain lokanka kalyan pain nijaku balidan dei paruthibe semanku nei mahapurusa manaka barta ku prachar kariba saha politics b karibaku padiba karana ajira power kebala kichhi dalal politician ra hata muthare au se loka mane hi sabu olta palta kari asuchanti…..dear sir I proud to u….

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.