ଶ୍ରମଣ ସଂସ୍କୃତି ଓ ସମତାମୂଳକ ଭାରତୀୟ ସମାଜ ଗଠନରେ ଗୁରୁ ରବିଦାସଙ୍କ ଅତୁଳନୀୟ ଅବଦାନ

ଆମ ପବିତ୍ର ଦେଶ ଜମ୍ବୁଦ୍ୱୀପ-ଭାରତବର୍ଷ ହେଉଛି ସାମାଜିକ ନ୍ୟାୟ, ପ୍ରକୃତିବାଦୀ ଉପାସନା ମାନବତାବାଦୀ ଦର୍ଶନ ଓ ପ୍ରଜ୍ଞା କୁସୁମରେ ପ୍ରସ୍ଫୁଟିତ ମହାଶ୍ରମଣ ବିଶ୍ୱଗୁରୁ ବୁଦ୍ଧ, ବୋଧିସତ୍ତ୍ୱ ତଥା ଅନେକ ସାଧୁ ସନ୍ଥ ଶ୍ରମଣମାନଙ୍କର ତପୋବନ । ଆମର ଏହି ମୂଳନିବାସୀ ବହୁଜନ ସମାଜରେ ଜନ୍ମ ନେଇଥିବା ମହାଶ୍ରମଣ ଓ ବୋଧିସତ୍ତ୍ୱ ମାନଙ୍କ ଚମଡ଼ା, ରକ୍ତ-ମାଂସ ଓ ସର୍ବୋପରି ସର୍ବସ୍ୱ ବଳିଦାନ ଦ୍ୱାରା ହିଁ ଆମ ଦେଶ ଭାରତ ‘ବିଶ୍ୱଗୁରୁ’ ଆଖ୍ୟା ପାଇ ପାରିଥିଲା । ସେହି ମହାଶ୍ରମଣ ଓ ବୋଧିସତ୍ତ୍ୱ, ସନ୍ଥଗୁରୁ ମାନଙ୍କ ଲମ୍ବା ତାଲିକାରେ ତଥାଗତ ଗୌତମବୁଦ୍ଧ, ଧମ୍ମ ସମ୍ରାଟ ଅଶୋକ, ତ୍ରିପିଟକାଚାର୍ଯ୍ୟ ସଂଘମିତ୍ରା, କ୍ରାନ୍ତିକବି ଭୀମଭୋଇ, କବୀର, ସନ୍ଥ ଶୀରୋମଣି ବୋଧିସତ୍ତ୍ୱ ରବିଦାସ, ଧରତୀଆବା ବିର୍ସାମୁଣ୍ଡା,ନାରାୟଣଗୁରୁ, ମାତା ସାବିତ୍ରୀବାଇ ଫୁଲେ, ଆଧୁନିକ ବୋଧିସତ୍ତ୍ୱ ବାବାସାହେବ ଡକ୍ଟର ଆମ୍ବେଦକର ହେଉଛନ୍ତି ଅନ୍ୟତମ ।  ସେମାନଙ୍କ ପ୍ରଜ୍ଞାବାଣୀ, ବିଜ୍ଞାନ ସଙ୍ଗତ ତର୍କ, ମୈତ୍ରୀପୂର୍ଣ୍ଣ ଆଚରଣ ଓ କ୍ରାନ୍ତିକାରୀ ବିଚାରଧାରା ଅଜ୍ଞାନ ଜନସମାଜରେ ନବଚେତନା ସୃ୍ଷ୍ଟିକରି ସମଗ୍ର ବିଶ୍ୱ ଦରବାରରେ ଗୌରବାନ୍ୱିତ ହୋଇଅଛି । ଭାରତବର୍ଷର ପ୍ରାଚୀନ ଇତିହାସ ପୃଷ୍ଠାକୁ ଅଧ୍ୟୟନ କଲେ ଜଣାପଡ଼େ ଯେ ବିଦେଶୀ  ଆର୍ଯ୍ୟମାନଙ୍କ ଆକ୍ରମଣ ଓ ବୈଦିକ  ବ୍ରାହ୍ମଣ ବର୍ଣ୍ଣାଶ୍ରମ ଧର୍ମକୁ ପ୍ରତିଷ୍ଠା କରିବା ହିଁ ଥିଲା ଧର୍ମ-ବର୍ଣ୍ଣ ଓ ଜାତି ଆଧାରିତ ଭାରତୀୟ ସମାଜରେ କ୍ରମିକ ଅସମାନତା ଓ କ୍ରମିକ ପିତୃସତ୍ତାତ୍ମତନ୍ତ୍ରର ପ୍ରଥମ ବିଷ ମଞ୍ଜି ରୋପଣ । ସେହି ବିଦେଶୀ ପରଜୀବୀ ବ୍ରାହ୍ମଣବାଦୀ ଗୋଷ୍ଠୀଙ୍କ ନାରୀ ଅତ୍ୟାଚାର, ସାମାଜିକ ନିର୍ଯ୍ୟାତନା, ଆର୍ଥିକ ଶୋଷଣ ଓ ଅମାନବୀୟ ଶାସନ ବ୍ୟବସ୍ଥା କାଳକ୍ରମେ ସମଗ୍ର ଭାରତବର୍ଷକୁ ପଙ୍ଗୁ ଓ ଅନ୍ଧକାରମୟ କରିଦେଲା । ସେହି କଳୁଷିତ ସାମାଜିକ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଏକଦା ତଥାଗତବୁଦ୍ଧ ତାଙ୍କ ପ୍ରଖର ପ୍ରଜ୍ଞାବାଣୀ ଦ୍ୱାରା, ସଂଘବଦ୍ଧ କ୍ରାନ୍ତି ମାଧ୍ୟମରେ ସମଗ୍ର ଜମ୍ବୁଦ୍ୱୀପରେ ସମାତା, ସ୍ୱତନ୍ତ୍ରତା, ବନ୍ଧୁତା ଓ ସାମାଜିକ ନ୍ୟାୟ ପୂର୍ଣ୍ଣ ସମାଜ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ । ଏଠାରେ ବୁଦ୍ଧଙ୍କ ପ୍ରଜ୍ଞାବାଣୀ- “ସତ୍ୟକୁ ସତ୍ୟ ଓ ମିଥ୍ୟାକୁ ମିଥ୍ୟା ବୋଲି ଜାଣ” ଉକ୍ତିକୁ ସ୍ମରଣ କରିବା ଅନିବାର୍ଯ୍ୟ ମନେହୁଏ । କାଳକ୍ରମେ ସମୟ ସ୍ରୋତରେ ଶାସନ ବ୍ୟବସ୍ଥାରେ ବିଭିନ୍ନ ପରିବର୍ତ୍ତନ ଘଟିଲା । ସେହି ପରିବର୍ତ୍ତିତ ଶାସନବ୍ୟବସ୍ଥାରେ ବୁଦ୍ଧଙ୍କ ପ୍ରଜ୍ଞାବାଣୀ ଓ ଭୀକ୍ଷୁଣୀ ଭୀକ୍ଷୁମାନଙ୍କ ସତ୍ୟ-ନ୍ୟାୟ ଧମ୍ମର ପ୍ରଚାର ପ୍ରସାରକୁ ଦୃଢ଼ ଦମନ କରାଗଲା । ଯାହା ଫଳରେ ବିଦେଶୀ ବ୍ରାହ୍ମଣବାଦୀ ଗୋଷ୍ଠୀ ମୋଗଲ ଓ ଇଂରେଜମାନଙ୍କ ପରି ଅନ୍ୟ ବୈଦେଶିକ ଶକ୍ତିମାନଙ୍କ ସହ ହାତମିଳାଇ ଶ୍ରମଣ ସଂସ୍କୃତିକୁ ସମଗ୍ର ଭାରତବର୍ଷରୁ ମୂଳପୋଛ କରିବା ପାଇଁ ବହୁ ଚେଷ୍ଟା କରିଆସିଛନ୍ତି । ସେଥିପାଇଁ କୁହାଯାଏ ଭାରତୀୟ ଇତିହାସ ହେଉଛି ଶ୍ରମଣ ଓ ବ୍ରାହ୍ମଣ ସଂସ୍କୃତିର ସାଂସ୍କୃତିକ ତଥା ରାଜନୈତିକ ଦ୍ୱନ୍ଦ ଓ ରକ୍ତାକ୍ତ ସଂଘର୍ଷ । ଭାରତୀୟ ସାମାଜିକ ପରିବର୍ତ୍ତନ ଧାରାରେ ଯେଉଁ ମହାଶ୍ରମଣ ବୋଧିସତ୍ତ୍ୱ ମାନଙ୍କ ରତ୍ନ ଶୃଙ୍ଖଳ ସୃଷ୍ଟି ହୋଇଛି ତନ୍ମଧ୍ୟରୁ ସନ୍ଥ ଶିରୋମଣୀ ବୋଧିସତ୍ତ୍ୱ ରବିଦାସ ଏକ କ୍ରାନ୍ତି ସୂର୍ଯ୍ୟ ।

ସନ୍ଥ ଶିରୋମଣୀ ବୋଧିସତ୍ତ୍ୱ ରବିଦାସଙ୍କ ଜନ୍ମ ଏପରି ସମୟରେ ହୋଇଥିଲା ଯେତେବେଳେ ସମଗ୍ର ଭାରତରେ ଜାତି ଭେଦଭାବ, ଉଚ୍ଚନିଚ୍ଚର କଳୁଷିତ ମାନସିକତା ପ୍ରବଳ ମାତ୍ରାରେ ବ୍ୟାପିସାରିଥିଲା । ବୈଦିକ ପାଖଣ୍ଡବାଦ, ଧର୍ମାନ୍ଧତା ଓ ବ୍ରାହ୍ମଣମାନଙ୍କ ଦ୍ୱାରା ରଚିତ ଅବତାରବାଦ କବଳରେ ସମ୍ପୂର୍ଣ୍ଣ ବହୁଜନ ମୂଳନିବାସୀ ଦଳିତ, ଶୋଷିତ ଓ ଉତ୍ପୀଡିତ ହେଉଥିଲେ । ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଭାତୃତ୍ୱର ଅଭାବରେ ଦେଶସାରା ଅର୍ନ୍ତଦ୍ୱନ୍ଦ ଓ ସାମାଜିକ କଳହ ବଢ଼ିଚାଲିଥାଏ । ଏହିପରି ବିଷମ ପରିସ୍ଥିତିର ରବିଦାସ ତାଙ୍କ କଠିନ ପରିଶ୍ରମ, ବିଚକ୍ଷଣ ବୁଦ୍ଧି ଓ ପ୍ରଜ୍ଞାବାଣୀ ମାଧ୍ୟମରେ ଗରିବ, ଦୁର୍ବଳ, ଅସହାୟ ଜନତାଙ୍କ ମନପ୍ରାଣରେ ବୈଜ୍ଞାନିକ ସତ୍ୟ, ସାହସ ଓ ନବଚେତନା ଭରିଦେଇଥିଲେ । ବିଶ୍ୱମାନତାବାଦର ସମତାମୂଳକ ମୂଲ୍ୟବୋଧକୁ ବୃଦ୍ଧି କରିବା ପାଇଁ ସେ ମଧୁର ପ୍ରଜ୍ଞାବାଣୀର ସଞ୍ଚାର କରିଥିଲେ । ରବିଦାସଙ୍କ ବିଚାରରେ ପ୍ରତ୍ୟେକ ମଣିଷ ଜନ୍ମରୁ ଉଚ୍ଚନିଚ୍ଚ ହୋଇ ନଥାନ୍ତି । ମଣିଷର କର୍ମ ହିଁ ତାହାକୁ ମହାନ୍ କିମ୍ବା ନିଚ୍ଚ କରିଥାଏ । ଚତୁବର୍ଣ୍ଣ ଓ ଜାତି ବିଭାଜନ ବ୍ୟବସ୍ଥା ଅଧର୍ମୀ ଅନ୍ୟାୟୀ ବ୍ରାହ୍ମଣଗୋଷ୍ଠୀଙ୍କ କାଳ୍ପନିକ ସୃଷ୍ଟି ହୋଇଥିବାରୁ ତାହାକୁ ସେ ତୀବ୍ର ବିରୋଧ କରୁଥିଲେ । ବୋଧିସତ୍ତ୍ୱ ରବିଦାସଙ୍କ ଜନ୍ମ ସମ୍ବନ୍ଧୀୟ ଅନେକ ମତଭେଦ ଅଛି । ମାତ୍ର ଐତିହାସିକଙ୍କ ଦୃଷ୍ଟିକୋଣରୁ ଗ୍ରହଣୀୟ ତଥ୍ୟ ହେଉଛି ସେ ୧୪୫୦ ମସିହା ମାଘ ପୂର୍ଣ୍ଣିମା ଦିନ ବାରଣାସୀ ନିକଟସ୍ଥ ସିର ଗୋବର୍ଦ୍ଧନେଶ୍ୱର ଗ୍ରାମରେ ଏକ ଚମାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ କର୍ମାଦେବୀ ଓ ପିତା ଶ୍ରୀ ରାଘବ ଥିଲା । ହିନ୍ଦୁ ବର୍ଣ୍ଣବ୍ୟବସ୍ଥା ଅନୁଯାୟୀ ଶୁଦ୍ରଠାରୁ ମଧ୍ୟ ହୀନ ଆସ୍ପୃଶ୍ୟ ଚମାର ଜାତିରେ ଜନ୍ମ ହୋଇଥିବାରୁ ତାଙ୍କୁ ପିଲାଦିନରୁ ଜାତିସୂଚକ ଅପମାନ ଓ ଗାଲିଗୁଲଜ ଶୁଣିବାକୁ ପଡିଥିଲା । ବାଲ୍ୟ କାଳରୁ ଅତି ପ୍ରଖର ବୁଦ୍ଧି ଓ ଅଦମ୍ୟ ସାହସ ତାଙ୍କ ପାଖରେ ପ୍ରସ୍ଫୁଟିତ ହୋଇଉଠିଥିଲା । ସେଥିପାଇଁ ତାଙ୍କ ମାତାପିତା ତାଙ୍କ ନାମ ଦେଇଥିଲେ ରବିଦାସ । ତତ୍କାଳୀନ ଆଞ୍ଚଳିକ ମୌଖିକ ଭାଷାରେ ସମସ୍ତେ ତାଙ୍କୁ ରାଇଦାସ ଡାକୁଥିଲେ । ପିତାଙ୍କ ବଂଶଗତ ବୃତ୍ତି ପଶୁ ଚମଡ଼ା କାଟିବା ଓ ଚମଡା ଦ୍ୱାରା ଜୋତା ତିଆରି ତଥା ଚମଡ଼ା ଆଧାରିତ କୁଟୀର ଶିଳ୍ପକୁ ବିକାଶ କରିବା ଭଳି କଷ୍ଟସାଧ୍ୟ ପବିତ୍ର କାର୍ଯ୍ୟକୁ ସେ ନିଜ ଜୀବିକାରୂପେ ଗ୍ରହଣ କରିନେଇଥିଲୋ ଯୁବାବସ୍ଥାରେ ବୋଧିସତ୍ତ୍ୱ ରବିଦାସ ଜୋତା ତିଆରି କାର୍ଯ୍ୟ କରିବା ସହ ସାମାଜିକ ଆନ୍ଦୋଳନ ଓ ଜ୍ଞାନଚର୍ଚ୍ଚାରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ବହୁ ସ୍ଥାନରେ ସେ ମିଛ ଭ୍ରମଜାଳପୂର୍ଣ୍ଣ ଅବତାରବାଦ, ବୈଦିକ କର୍ମକାଣ୍ଡ ଓ ଜାତି ଭେଦଭାବକୁ ଖୋଳାଖୋଳି ଭାବରେ ବିରୋଧ କରୁଥିଲେ । ଅନେକ ସବର୍ଣ୍ଣ ପଣ୍ଡିତ ଓ ଅହଙ୍କାରୀ ବ୍ରାହ୍ମଣ ପୁରୋହିତ ରବିଦାସଙ୍କ ବୈଜ୍ଞାନିକ ଯୁକ୍ତି ଓ ମାନବବାଦୀ ତର୍କ ଶୁଣି ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହେଉଥିଲେ । କିନ୍ତୁ କିଛି କାଶୀ, ବାରଣାସୀର କୁଟୀଳ ପଣ୍ଡିତ ସନ୍ଥ ରବିଦାସଙ୍କ ସାମାଜିକ ଆନ୍ଦୋଳନାତ୍ମକ ଗତିବିଧିକୁ ରୋକିବା ପାଇଁ ଷଡଜନ୍ତ୍ର କଲେ । ସେମାନଙ୍କ ମିଛ ପ୍ରରୋଚନାରେ ପଡ଼ି ତାଙ୍କ ପିତା ଶ୍ରୀରାଘବ ଯୁବକ ରବିଦାସଙ୍କୁ ବିବାହ କରାଇ ନବ ଦମ୍ପତ୍ତିଙ୍କୁ ଅଲଗା କରିଦେଲେ । ପିତାଙ୍କ ଉପରୋକ୍ତ କଠୋର ବ୍ୟବହାର ଦ୍ୱାରା ମର୍ମାହତ ହୋଇ ଯୁବକ ରବିଦାସ ଗଙ୍ଗାଘାଟଠାରେ ଏକ କୁଡିଆ ନିର୍ମାଣ କରି ବହୁକଷ୍ଟରେ ପରିବାର ଭରଣପୋଷଣ କରିବାକୁ ଲାଗିଲେ । କିନ୍ତୁ ଆର୍ଥିକ ଅଭାବ ଅନଟନ, ସାମାଜିକ ସମାଲୋଚନା ଓ ପାରିବାରିକ ଦୂରତା ତାଙ୍କୁ ସାମାଜିକ ଆନ୍ଦୋଳନ କାର୍ଯ୍ୟ କରିବାରେ ଅଟକାଇ ପାରି ନ ଥିଲା । ତାଙ୍କ ପ୍ରଖର ପ୍ରତିଭା, ତର୍କପୂର୍ଣ୍ଣ ଯୁକ୍ତି ଓ ମୈତ୍ରୀପୂର୍ଣ୍ଣ ଉବାଚ ଦ୍ୱାରା ସେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସତ୍ୟ ଧର୍ମ ରାଜ୍ୟ – ବେଗମ୍ପୁରାର ପ୍ରଚାର ପ୍ରସାର କରୁଥିଲେ ।

ମହା ଶ୍ରମଣ ଗୁରୁ ରବିଦାସ ଜଣେ ଉଚ୍ଚକୋଟୀର କବି ଓ କ୍ରାନ୍ତିକାରୀ ଦାର୍ଶନିକ ଥିଲେ । ତାଙ୍କ ଛନ୍ଦ, କବିତା ଓ ପ୍ରଜ୍ଞାବାଣୀ ସିଧାସଲଖ ଲିଙ୍ଗ ଭେଦ, ଜାତିପ୍ରଥା ଓ ପ୍ରଚଳିତ ମୂର୍ତ୍ତିପୂଜାକୁ ସମୂଳେ ଖଣ୍ଡନ କରିଥାଏ । ତାଙ୍କ ମତରେ ବ୍ରାହ୍ମଣ ଲିଖିତ ବେଦ ଓ ବେଦ ବର୍ଣ୍ଣିତ ବ୍ରହ୍ମା, ବିଷ୍ଣୁ, ଶିବ ତଥା ରାମ, କୃଷ୍ଣ ସମସ୍ତ ଚରିତ୍ର ମିଛ, କାଳ୍ପନିକ ଅଟେ । ମଣିଷ ମାତ୍ରକେ ସମାନ ଓ ମନ୍ଦିର-ମସ୍ଜିଦର ଭ୍ରମରେ ନ ପଡ଼ି ପରସ୍ପର ମଧ୍ୟରେ ମୈତ୍ରୀ, ସହଯୋଗୀ ଓ ସମାନତା ଭାବର ଆଦାନପ୍ରଦାନ କଲେ ଏକ ଉତ୍ତମ ଶୋଷଣମୁକ୍ତ ମାନବ ସମାଜ ଗଠନ କରିହେବ ବୋଲି ସେ ସର୍ବଦା ଯୁକ୍ତି କରୁଥିଲେ । ବିଶ୍ୱମାନବତା ବାଦ ଓ ଭାତୃତ୍ୱଭାବ ପ୍ରତିଷ୍ଠା ନିମନ୍ତେ ଶୁଦ୍ର-ବ୍ରାହ୍ମଣ, ହିନ୍ଦୁ-ମୁସଲମାନ, ଅଛୁତ-ସବର୍ଣ୍ଣ ମଧ୍ୟରେ ଥିବା ଘୃଣାଭାବକୁ ସମୂଳେ ନଷ୍ଟ କରିବା ପାଇଁ ସେ ସମଗ୍ର ଜୀବନ ସଂଘର୍ଷ କରିଥିଲେ ।

ସନ୍ଥ ଶିରୋମଣୀ ବୋଧିସତ୍ତ୍ୱ ଗୁରୁ ରବିଦାସଙ୍କ ସମସ୍ତ ଛନ୍ଦ, କବିତା ଓ ଉକ୍ତିଗୁଡିକ ଯେଉଁ ପୁସ୍ତକରେ ଲିପିବଦ୍ଧ ଅଛି ତାହା ହେଲା “ଗୁରୁ ରବିଦାସଜୀଙ୍କ ଅମୃତବାଣୀ” । ସେହି ପବିତ୍ର ପୁସ୍ତକରେ ୨୪୦ଟି ଛନ୍ଦ ଲିପିବଦ୍ଧ ଅଛି । ଯାହା ସମଗ୍ର ବିଶ୍ୱରେ ନିର୍ମିତ ରବିଦାସୀଆ ମନ୍ଦିର ଗୁଡିକରେ ଗାନ କରାଯାଏ । ବିଦ୍ରୋହୀ କବିର ଓ ଶିଖ୍ ଧର୍ମର ପ୍ରତିଷ୍ଠାତା ନାନକ ମହାରାଜଙ୍କ ଠାରୁ ସେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ । ଶିଖ୍ ଧର୍ମର ପବିତ୍ର ପୁସ୍ତକ ଆଦି ଗ୍ରନ୍ଥରେ ଗୁରୁ ରବିଦାସଜୀଙ୍କ ୪୦ଟି ଛନ୍ଦ କବିତାକୁ ଅର୍ନ୍ତଭୁକ୍ତ କରାଯାଇଅଛି । ନିର୍ଗୁଣ ମାନବତାବାଦୀ ସଂସ୍କୃତି ଓ ଦର୍ଶନର ପୁରୋଧା ଥିଲେ ସେ । ସେଥିପାଇଁ ସେ ସମସ୍ତ ରୂପଗୁଣଧାରୀ ଏକ ଜାତି କିମ୍ବା ଧର୍ମ ଏକ ଧର୍ମର ସୀମିତ ସ୍ରଷ୍ଟାମାନଙ୍କୁ ସେ ‘ଭଗବାନ’ ଆଖ୍ୟା ଦେବାକୁ ତୀବ୍ର ବିରୋଧ କରୁଥିଲେ । ତାଙ୍କ କ୍ରାନ୍ତିକାରୀ ଛନ୍ଦ ଓ ଅମୃତବାଣୀ ଗୁଡିକ ବ୍ରାହ୍ମଣ୍ୟବାଦ ଓ ଧାର୍ମିକ ମୌଳବାଦୀ ବିଚାରଧାରାକୁ ତିଳେମାତ୍ର ପ୍ରଶୟ ଦିଏନାହିଁ ।

ଆଜିର ସାମାଜିକ ଧାର୍ମିକ ତଥା ରାଜନୈତିକ ବିଷମତା ଓ ପୁଞ୍ଜିବାଦୀ ଶୋଷଣରେ ପୂର୍ଣ୍ଣ ଗ୍ରାସିତ ବିଶ୍ୱକୁ ଉଦ୍ଧାର କରିବା ପାଇଁ ଗୁରୁ ରବିଦାସଙ୍କ କେତୋଟି ଅମୃତବାଣୀ ଉଦ୍ଧୃତ କରିବା ନିତାନ୍ତ ଆବଶ୍ୟକ ମନେହୁଏ ।

ବେଦଶାସ୍ତ୍ରକୁ ଅମାନ୍ୟ –

ବେଦ୍ ପୁରାନ୍ ତଜୌ ମନ୍, ଚାହତ୍ ଜୋ ସୁଖ୍ ଚୈନ୍ ।

ରବିଦାସ୍ ସାକତ ପ୍ରେମ୍ କା, ପ୍ରେମ୍ ହି ସିଚୌଁ ନୈନ୍ ।।

ଗୁରୁ ରବିଦାସ କହୁଛନ୍ତି – ସୁଖ ଶାନ୍ତିରେ ଜୀବନ ବଞ୍ôଚବା ପାଇଁ ଭେଦଭାବ ପୂର୍ଣ୍ଣ ଗ୍ରନ୍ଥ – ବେଦ ପୁରାଣକୁ ତ୍ୟାଗ କର, ପରସ୍ପର ମଧ୍ୟରେ ପ୍ରେମ ଓ ମୈତ୍ରୀ ପୂର୍ଣ୍ଣ ଆଚରଣ କର ।

ଜାତିପ୍ରଥାକୁ ଖଣ୍ଡନ :-

ଜାତ୍-ପାତ୍ କେ ଫେର୍ ମହିଂ, ଓରଟି ରହୟି ସଭ୍ ଲୋଗ୍ ।

ମାନୁଷ୍ତା କୁଁ ଖାତ୍ ହଇ, ‘ରବିଦାସ୍ଜାତ୍ କର ରୋଗ୍ ।।

କ୍ରାନ୍ତିକବି ରବିଦାସଙ୍କ ମତରେ ଜାତି ପ୍ରଥାର ଭ୍ରମଜାଳରେ ସମସ୍ତ ଲୋକମାନେ ଛନ୍ଦି ହୋଇଛନ୍ତି, ସେହି ଜାତିବାଦର ରୋଗରେ ସମଗ୍ର ମନୁଷ୍ୟତା ନଷ୍ଟ ହୋଇ ଯାଇଅଛି ।

ପୁନର୍ଜନ୍ମ ଓ ବ୍ରାହ୍ମଣ୍ୟବାଦକୁ ବିରୋଧ :-

ରବିଦାସ୍ ଜନ୍ମ କେ କାରନେ ହୋତ୍ ନ କୋଉ ନିଚ୍ଚ୍ ।

ନର୍ କୁଁ ନୀଚ୍ଚ୍ କରି ଡରି ହେ ଓଛେ କରମ କୀ କିଚ୍ ।।

ବ୍ରାହ୍ମଣ୍ୟବାଦ ବିରୋଧୀ ଗୁରୁ ରବିଦାସଙ୍କ ମତରେ ଜନ୍ମ ଆଧାରରେ କୌଣସି ମଣିଷ ଉଚ୍ଚନିଚ୍ଚ ହୋଇ ନ ଥାଏ । ଉତ୍ତମ କର୍ମ କଲେ ମଣିଷ ଉଚ୍ଚ ହୁଏ ଓ ନିଚ୍ଚ ଅମାନବୀୟ କର୍ମ କଲେ ମଣିଷ ନିଚ୍ଚ ହୁଏ । ସେଥିପାଇଁ ସେ ଗୁଣବାନ୍ ପରିଶ୍ରମୀ ଚଣ୍ଡାଳକୁ ପୂଜାକରିବା ତଥା ସମ୍ମାନ କରିବା ପାଇଁସମଗ୍ର ମାନବ ସମାଜକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଗୁଣହୀନ ଭେଦଭାବ ସୃଷ୍ଟିକାରୀ ବ୍ରାହ୍ମଣମାନେ ପୂଜନୀୟ ଓ ସମ୍ମାନସ୍ପଦ ହେବାରଆଦୌ ଯୋଗ୍ୟ ନୁହନ୍ତି ବୋଲି ସେ ମୁକ୍ତ କଣ୍ଠରେ ଆହ୍ୱାନ କରିଛନ୍ତି ।

ରବିଦାସ୍ ବ୍ରାହ୍ମଣ ମତ୍ ପୂଜିୟେ ଜଉ ହୋବେ ଗୁଣହୀନ୍ ।

ପୂଜିୟେ ଚରଣ ଚାଣ୍ଡାଲ କେ ଜଉ ହୋବେ ଗୁଣ୍ ପରବୀନ୍ ।।

ଧାର୍ମିକ ଉଗ୍ରବାଦ ବିପକ୍ଷରେ –

ମସଜିଦ୍ ସୌଁ କଛୁ ଘିନ୍ ନହିଁ, ମନ୍ଦିର୍ ସୌଁ ନହିଁ ପିୟାର୍ ।

ଦାଓ ମହଁ ଅଲ୍ଲାହ ରାମ ନହିଁ, କହ ରବିଦାସ୍ ଚମାର୍ ।।

ମିଛ ଧାର୍ମିକ ଉଗ୍ରବାଦକୁ ଖଣ୍ଡନ କରି ଗୁରୁ ରବିଦାସଜୀ ମତ ପ୍ରକାଶ କରନ୍ତି ଯେ ମଣିଷ ମସ୍ଜିଦ୍କୁ ଘୃଣାକଲେ କିମ୍ବା ମନ୍ଦିରକୁ ପ୍ରେମ କଲେ ରାମ କିମ୍ବା ଆଲ୍ଲାହା ମିଳିବେ ନାହିଁ । ପରସ୍ପର ମଧ୍ୟରେ ମାନବୀୟ ପ୍ରେମ ହିଁ ଭଗବାନ ।

କୃଷକ ଶ୍ରମିକ ମଙ୍ଗଳକାରୀ ରାଷ୍ଟ୍ରବାଦ :-

ଐସା ଚାହୋଁ ରାଜ୍ ମେଁ ଜାହାଁ ମିଲେ ସବନ କୋ ଅନ୍ନ ।

ଛୋଟେ ବଡେ ସବ୍ ସମ ବସୈଁ, ରବିଦାସ୍ ରହେ ପ୍ରସନ୍ନ ।।

ମହାଶ୍ରମଣ ଗୁରୁ ରବିଦାସଜୀଙ୍କ ରାଜନୈତିକ ଦର୍ଶନ ଅତି ଉଚ୍ଚକୋଟୀର ଥିଲା । ତାଙ୍କ ମତରେ ଗରିବ, ଭୀକାରୀ, ଚାଷୀ ଶ୍ରମିକ ସମସ୍ତଙ୍କୁ ପେଟ ପୁରା ଖାଇବାକୁ ଅନ୍ନ ଯୋଗାଇ ପାରୁଥିବା ରାଷ୍ଟ୍ର ଓ ରାଜନୀତି ବ୍ୟବସ୍ଥା ହିଁ ସର୍ବୋତ୍ତମ ବ୍ୟବସ୍ଥା ଅଟେ । ସେହି ଜନମଙ୍ଗଳକାରୀ ସମାଜବାଦୀ ରାଷ୍ଟ୍ର ନିର୍ମାଣ ପାଇଁ ସେ ଅତି ପ୍ରସନ୍ନ ଚିତ୍ତରେ ‘ବେଗମ୍ପୁରା’ ର ଦର୍ଶନ ଦେଇଯାଇଛନ୍ତି । ସେଥିପାଇଁ ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କୁ ବୋଧିସତ୍ତ୍ୱ ଆଖ୍ୟା ଦିଆଯାଏ ।

ବେଗମ୍ପୁରା’ – ଏକ ଆଦର୍ଶ ସାମାଜିକ ରାଷ୍ଟ୍ରର ପରିକଳ୍ପନା :-

‘ବେଗମ୍ପୁରା’ ପରି ଏକ ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ବର୍ଗ ଭେଦଭାବ ବିହୀନ ଆଦର୍ଶ ସାମାଜିକ ରାଷ୍ଟ୍ର ବ୍ୟବସ୍ଥାରେ ପରିକଳ୍ପନା କରିବା ହେଉଛି ବୋଧିସତ୍ତ୍ୱ ଗୁରୁ ରବୀଦାସଙ୍କ ଉଚ୍ଚମାନବତାବାଦୀ ଦର୍ଶନ ଓ ଦୂର ଦୃଷ୍ଟିର ପ୍ରମାଣ । ସେ କେବଳ ଏକ କ୍ରାନ୍ତିକାରୀ କବି ନ ଥିଲେ, ଜଣେ ମହାନ୍ ସମାଜଶାସ୍ତ୍ରୀ ମଧ୍ୟ ଥିଲେ । ତଥାଗତ ବୁଦ୍ଧଙ୍କ ‘ସୁଖାବତୀ’ ରବିଦାସଙ୍କ ‘ବେଗମ୍ପୁରା’ ଓ ବାବାସାହେବ ଆମ୍ବେଦକରଙ୍କ ‘ପ୍ରବୁଦ୍ଧ ଭାରତ’ ମଧ୍ୟରେ ଯଥେଷ୍ଟ ସମାନତା ରହିଅଛି । ଗୁରୁ ରବିଦାସଜୀ ଅମୃତବାଣୀ ମାଧ୍ୟମରେ ‘ବେଗମ୍ପୁରା’ ସହରର ବୈଶିଷ୍ଟ୍ୟକୁ ସ୍ପଷ୍ଟ ରୂପେ ବର୍ଣ୍ଣନା କରିଛନ୍ତି । ତାହା ହେଲା –

(୧) ସେଠାରେ ଜାତି-ବର୍ଣ୍ଣ ବିଭାଜନ ଓ ବିଭେଦତା ନ ଥିବ ।

(୨) ପିତୃସତ୍ତାତ୍ମକ ବ୍ୟବସ୍ଥାରୁ ମୁକ୍ତ ନାରୀପୁରୁଷ ସମାନତା ରହିଥିବ ।

(୩) କୌଣସି ବ୍ୟକ୍ତି ବ୍ୟକ୍ତିଗତ ସମ୍ପତ୍ତି ରଖି ପାରିବ ନାହିଁ ।

(୪) କାହାରିକୁ ମଧ୍ୟ କର ଖଜଣା ଦେବାକୁ ପଡିବ ନାହିଁ ।

(୫ ) ଧନୀ-ଗରିବ ଓ ଅସ୍ପୃଶ୍ୟତା ମୁକ୍ତ ସମତାମୂଳକ ସମାଜ ହେବ ।

(୬) ସମସ୍ତ ନାଗରିକ ସମାନ ରହିବେ, କାହାରିକୁ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀର ନାଗରିକ ରୂପେ ବ୍ୟବହାର କରାଯିବ ନାହିଁ ।

(୭) ଦୁଃଖ, ଯନ୍ତ୍ରଣା, ଚିନ୍ତା, ନିର୍ଯ୍ୟାତନା ତଥା ସମସ୍ତ ଅନ୍ୟାୟମୁକ୍ତ ମୈତ୍ରୀପୂର୍ଣ୍ଣ ଉନ୍ନତ ସହର ହେଉଛି ବେଗମ୍ପୁରା ।

ଗୁରୁ ରବିଦାସଙ୍କ ସମଗ୍ର ମାନବ ସମାଜକୁ ଆହ୍ୱାନ ଥିଲା ଯେ ପ୍ରକୃତ ମଣିଷଟିଏ ନିଜ ପରିବାର, ସମାଜ ଓ ରାଷ୍ଟ୍ରକୁ ଗମ୍-ଦୁଃଖମୁକ୍ତ କରିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ୍ । ସେହି ଦୁଃଖମୁକ୍ତ ସହର-ବେଗମ୍ପୁରା ନିର୍ମାଣ କରିବା ପାଇଁ ସେହି ବ୍ୟକ୍ତି ଯୋଗ୍ୟ ଯିଏ ମାନବ ମାନବ ମଧ୍ୟରେ ମୈତ୍ରୀପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥାଏ ।

ବ୍ୟକ୍ତିଗତ ଜୀବନରେ ଗୁରୁ ରବିଦାସ କାମ, କ୍ରୋଧ, ଲୋଭ, ମୋହ ଓ ସମସ୍ତ ଅହଙ୍କାର ଭାବନାରୁ ମୁକ୍ତ ଥିଲେ । ସେଥିପାଇଁ ସେ ବିଶ୍ୱ ମୈତ୍ରୀକୁ ପ୍ରାଧାନ୍ୟ ଦେଇ କହିଥିଲେ :-

ବେଗମପୁରା ସହର କୋ ନାଉ ।

ଦୁଃଖୁ ଅନ୍ଦୋହୁ ନହିଁ ତିହି ଠାଉ ।।

ନାଁ ତସବିସ ଖିରାଜୁ ନ ମାଲୁ ।

ଖଓଫୁ ନ ଖତା ନ ତରସୁ ଜବାଲୁ ।।

ଅବ ମୋହି ଖୁବ ବତନ ଗହ ପାଇ ।

ଉହାଁ ଖୈରୀ ସଦାମେରେ ଭାଇ ।।

କାଇମୁ ଦାଇମୁ ସଦା ପାତିସାହି ।

ଦୋମ ନ ସେମ ଏକ ସୋ ଆହି ।।

ଆବାଦାନୁ ସଦା ମସହୁର ।

ଉହାଁ ଗନୀ ବସହି ମାମୁର ।।

ତିଓ ତିଓ ସୈଲ କରହି ଜୀଓ ଭାବୈ ।

ମହରମ ମହଲ ନ କୋ ଅଟକାବୈ ।।

କହି ରବିଦାସ ଖଲାସ ଚମାରା ।

ଯୋ ହମ ସହୀ ସୁ ମୀତୁ ହରାମା ।।’

ମହାନ କବି, ସାମାଜିକ ବିପ୍ଲବୀ, ସମାଜଶାସ୍ତ୍ରୀ ଓ ଦାର୍ଶନିକ ଗୁରୁ ରବିଦାସଙ୍କ ମହାପରିନିର୍ବାଣ ୧୫୨୦ ମସିହାରେ ବାରଣାସୀ ନିକଟସ୍ଥ ଗଙ୍ଗାନଦୀ କୂଳରେ ହୋଇଥିଲା । ସମଗ୍ର ଜୀବନ ସେ ବ୍ରାହ୍ମଣ୍ୟବାଦୀ ରାଜା, ରାଜପଣ୍ଡିତ ଓ ସବର୍ଣ୍ଣ ବ୍ରାହ୍ମଣଗୋଷ୍ଠୀକୁ ନିଜ ପ୍ରଜ୍ଞା ଓ ସତ୍ୟନିଷ୍ଠା ବଳରେ ପରାଜିତ କରିପାରିଥିଲେ । ତାଙ୍କ ପିତୃସତ୍ତା ବିରୋଧୀ ନାରୀବାଦୀ ଦର୍ଶନରେ ଅନୁପ୍ରାଣିତ ହୋଇ ମୀରାବାଇ ଓ ମହାରାଣୀ ଝାଲୀ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ବୋଧିସତ୍ତ୍ୱ ଗୁରୁ ରବିଦାସଙ୍କ ଅମୃତବାଣୀକୁ ଆଜି ମଧ୍ୟ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରାଗଲେ ଆମଦେଶ ଭାରତ ନିଶ୍ଚୟ ବିଶ୍ୱଗୁରୁ ହୋଇପାରିବ ।

ଲେଖକ: ଧିମାନ୍ ଜୟଦୀପ୍

(ବୁଦ୍ଧିଷ୍ଟ ରିସର୍ଚ୍ଚ ସ୍କୋଲାର)

Please follow and like us:
fb-share-icon0

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.