ସ୍ପର୍ଶ

ଶବ୍ଦଗୁଡ଼ା ଯେବେ

ଜଣେ ଆର ଜଣକ ସ୍ପର୍ଶ ଅନୁଭବ କରନ୍ତି

ଠିକ ତେବେ ସୃଷ୍ଟି ହୁଏ ରଚନା,

ଏ ସ୍ପର୍ଶର ପରଶ ପାଇଁ ରାତି ଅନିଦ୍ରା କାଟୁଥିବା

ବ୍ୟକ୍ତି ହିଁ କରିପାରେ ବ୍ୟାଖ୍ୟା

ବିନା ସ୍ପର୍ଶର ବେଦନା ।

ସ୍ପର୍ଶଟେ ଆଶାରେ

ଆଖି କୋଣେ ଥାଇ ଲୁହ

ପାରି ନାହିଁ କିନ୍ତୁ ଝରି,

ବିରସ ବଦନେ, ହସ ଶବଦକୁ

ଓଠ ମରେ ଝୁରି ଝୁରି।

 

ସ୍ପର୍ଶର ବି ଭିନ୍ନ ଭିନ୍ନ ରୂପ!

ଏହାର ଛାପ ହାତ ଆଙ୍ଗୁଠି ପରି ହୋଇପାରେ,

ହୋଇପାରେ ଗୋଇଠା ଅବା ଲାତ,

କିନ୍ତୁ ସବୁଠୁ ବେଶି ବାଧେ

ବିନା ସ୍ପର୍ଶର ଆଘାତ।

ମିଛ ମଣିଷଙ୍କ ମିଛ ରଙ୍ଗମଞ୍ଚେ

ମାତା-ପିତା,ଭଉଣୀ-ଭାଇ,ସ୍ତ୍ରୀ-ସ୍ୱାମୀ କାହିଁ କେତେ ଭାବ,

ତଥାପି, ନାହିଁ ଏଠି ବନ୍ଧୁତାର ସ୍ପର୍ଶ

ତଥାକଥିତ ବନ୍ଧୁଙ୍କ ଗହଳେ

ହୃଦୟସ୍ପର୍ଶୀ ସ୍ପର୍ଶର ଅଭାବ ।

 

ସ୍ପର୍ଶ ଏଠି ବେସମାଜିକ,ଚରିତ୍ରହୀନା

ଜାତି,ଧର୍ମ, ବର୍ଣ୍ଣ ନାମେ

ସ୍ପର୍ଶଟେ ପାଇଁ କେତେ କଟକଣା,

ସ୍ପର୍ଶଠୁ ସ୍ପର୍ଶକୁ କରି ଦୂର

ଖାସ କାହା ଅଭିମାନ ଲାଗି,ପ୍ରଭୁତ୍ୱ ପାଇଁ

ସ୍ପର୍ଶ ଏକ ବାହାନା।

 

ସତରେ,

କୋମଳ ସ୍ପର୍ଶଟେ ପାଇଁ ମଣିଷ ଏଠି ଭୋକିଲା

ମାଗି ପାରେନି କାହାକୁ ହାତ ବଢ଼େଇ,

ସ୍ପର୍ଶ ପାଇଁ ତ ମଣିଷ ଅନ୍ୟ ମଣିଷ ସାଥେ ଯାଏ ଭିଡ଼ି

ଆଉ କେତେ ନିଜ ସାଥେ ଏକାନ୍ତରେ

ସ୍ପର୍ଶଟେ ପାଇଁ କରନ୍ତି ଲଢ଼େଇ।

ଯେମିତିକି ଏଠି

ପ୍ରେମ ପୂର୍ଣ୍ଣ ସ୍ପର୍ଶର ମରୁଡ଼ି ।

 

ଏ ସ୍ପର୍ଶ ଶବ୍ଦଟିର ଅନ୍ୟନାମ ମଣିଷତ୍ଵ,

କୋମଳ ସ୍ପର୍ଶରେ ସମସ୍ତଙ୍କ ଅଧିକାର

ସଭିଙ୍କ ମାନବିକ ଦାୟିତ୍ୱ ।

ମାତ୍ର,

ସ୍ପର୍ଶହରା ମଣିଷଙ୍କ ଗହଳରେ

ସ୍ପର୍ଶର ଅନୁସନ୍ଧାନ

ବୋଧହୁଏ, ଏ ସମାଜେ 

ସବୁଠୁ ବଡ଼ ବ୍ୟତିକ୍ରମ!!!

 

  • ମମତା ସାହୁ

 +୩ ରାଜନୀତି ବିଜ୍ଞାନରେ ଛାତ୍ରୀ

  ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟ

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.