ଆମେ ଭାରତବାସୀ ଆମ ଦେଶ ଭାରତ ବର୍ଷ ବିଶ୍ଵରେ ସର୍ବବୃହତ୍ତ ଓ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ,ଜନ୍ମସ୍ଥାନ,ଭାଷା,ବାସସ୍ଥାନ ଆଦି ନିର୍ବିଶେଷରେ ଆମେ ଦେଶର ନାଗରିକ ଓ ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ପ୍ରତିଶ୍ରୁତି ବଧ। ଦେଶକୁ ବିଶ୍ବ ଦରବାରରେ ଶ୍ରେଷ୍ଠ ଓ ଶୃଦୁଢ଼ ଭାବେ ଗଢ଼ି ତୋଳିବା ପ୍ରତେକ ନାଗରିକଙ୍କର ପ୍ରାଥମିକତା ମନୋଭାବ ରହିବାର ଆବଶ୍ୟକତା ଅଛି। ଯେବେ ଆମ ଦେଶ ପରାଧିନ ଥିଲା ବ୍ରିଟିଶ ସରକାରଙ୍କ ଦ୍ଵାରା ଶାସନ ହେଉଥିଲା, ସ୍ବାଧୀନତା ପାଇବା ପାଇଁ ଗାନ୍ଧୀ, ନେହେରୁ, ସୁବାଷ ଚନ୍ଦ୍ର ବୋଷ, ସହିଦ ଭଗତ ସିଂହ, ବିର୍ଷାମୁଣ୍ଡା, ମୌଲାନା ଅବଦୁଲ କାଲାମ ଆଜାଦ, ଡ଼଼ଃ. ଜାକିର ହୁସେନ, ସୟଦ ମହମ୍ମଦଙ୍କ ପରି ଅନେକ ମହାପୁରୁଷ ମାନେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଲଢ଼ି ଆମ ଦେଶକୁ ବ୍ରିଟିଶଙ୍କ କବଳରୁ ଉଦ୍ଧାର କରିଥିଲେ। ଆଜକୁ ୭୪ ବର୍ଷ ପୂର୍ବେ ଅର୍ଥାତ ୧୫ ଅଗଷ୍ଟ ୧୯୪୭ ମସିହାରେ ଦେଶ ସ୍ବାଧୀନତା ହାସଲ କରିଥିଲା। ଏହାପରେ ଆମେ ଆମ “ନାଆରେ ଆମେ ନାଉରି ହେଉଥିଲୁ” ଆମ ଇଚ୍ଛାରେ ଆମେ ସ୍ବାଧୀନ ଜୀବନ ଯାପନ ନିର୍ବାହ କରିବା ପାଇଁ ଆଗଭର ହେଲୁ।ଶାସନ, ପ୍ରସାଶନର ଅଧିକାରୀ ହେଲୁ ଓ ଦେଶର ସ୍ୱତନ୍ତ୍ର ଆଇନି କାନୁନର ବ୍ୟବସ୍ଥା ହେଲା, ଏବଂ ନିଜସ୍ୱ ସମ୍ବିଧାନ ପ୍ରଣୟନ ହେଲା। ବାସ୍ତବରେ ଦେଶ ସ୍ଵାଧୀନତା ହେବାର ୭୪ ବର୍ଷ ବିତି ଯାଇଥିଲେ ମଧ୍ୟ ପରୋକ୍ଷରେ ଆମେ କେତେ ସ୍ବାଧୀନ? ମନରେ ଏ ପ୍ରଶ୍ନ ଆସିବା ସ୍ୱାଭାବିକ କାରଣ ଦେଶ ସ୍ଵାଧୀନ ହେବାପରେ ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରବେଶ କରିଛେ, ଓ ଦେଶରେ ପ୍ରତେକ ନାକରିକମାନେ ସ୍ବାଧୀନତାକୁ ହୃଦୟଙ୍ଗମ କରିବା ଅତ୍ୟନ୍ତ ଆବଶ୍ୟକ। ସହିଦ ଭଗତ ସିଂହଙ୍କ ମତରେ “କେବଳ ବ୍ରିଟିଶଙ୍କ ଠାରୁ ସ୍ବାଧୀନତା ପାଇବା ପ୍ରକୃତ ସ୍ବାଧୀନତା ନୁହେଁ, ଦାରିଦ୍ର, ଅନାହାର, ବେରୋଯଗାର, ପୁଞ୍ଜିବାଦ, ଜାତିବାଦ ଆଦିରୁ ମୁକ୍ତ ହେବା ହିଁ ପ୍ରକୃତ ସ୍ବାଧୀନତା” । ଏଠାରେ ଭଗତ ସିଂହ ସ୍ପଷ୍ଠ ଭାବେ ସୂଚାଇ ଦେଇଛନ୍ତି ଦେଶକୁ ଆର୍ଥିକ,ସାମାଜିକ ଓ ରାଜନୈତିକ ଭାବେ ଶୃଦୁଢ଼ ହେବା ପାଇଁ ହେଲେ ଆଜି ଭଗତ ସିଂହଙ୍କ ସ୍ୱପ୍ନର ସ୍ବାଧୀନତା ଅର୍ଥ କ’ଣ ହେଉଛି? ଦେଶ ଦାରିଦ୍ର୍ୟ ଓ ଅନାହାରରେ ପୀଡ଼ିତ। ପ୍ରତିଦିନ ଖାଦ୍ୟ ଅଭାବ ଜନିତ ଅନାହାର ମୃତ୍ୟୁ ହେଉଛି। ଉପଯୁକ୍ତ ପୋଷଣ ଅଭାବରୁ ଅପପୃଷ୍ଟି ରୋଗ ବହୁମାତ୍ରାରେ ବଢ଼ି ଚାଲିଛି। ଜାତିବାଦ, ପୁଞ୍ଜିବାଦ,ବେରୋଜଗାର ଆଦି ବଢ଼ି ଚାଲିଛି।


ଦେଶକୁ ସମୃଦ୍ଧ କରିବା ପାଇଁ ହେଲେ ଦେଶର ଅର୍ଥନୀତିକୁ ଶୃଦୁଢ଼ କରିବାର ଅଛି। ଅର୍ଥନୈତିକ ଅଭିବୃଦ୍ଧି ହିଁ ଦେଶର ମେରୁଦଣ୍ଡ ନିର୍ଣ୍ଣୟ କରିଥାଏ ଯାହା ପ୍ରତେକ ରାଷ୍ଟ୍ରର ପ୍ରାଥମିକତା ଅସ୍ତ୍ର। ଏଥିପାଇଁ ଦେଶର ପ୍ରତେକ ନାଗରିକଙ୍କର ରୋଜଗାରକୁ ପ୍ରାଧ୍ୟାନ୍ୟ ଦେବାର ଅଛି। ଆମ ଦେଶ ସାଧାରଣତଃ କୃଷି ପ୍ରଧାନରାଷ୍ଟ୍ର ଏଠାରେ କୃଷକଙ୍କ ଆୟ ଓ ବେୟ ଦେଶର ଆର୍ଥିକ ମେରୁଦଣ୍ଡକୁ ଶୃଦୃଢ଼ କରିଥାଏ ତେଣୁକରି କୃଷକଙ୍କ ହିତରେ ଅନେକ ସୁବିଧା ଓ ସୁଯୋଗ ଯୋଗାଇ ଦେବା ଉଚିତ୍, କିନ୍ତୁ ଏବେ ଯେଉଁ ନୂଆ କୃଷି ଆଇନି ଆସିଛି ତା’ର ବିରୋଧରେ ଅନେକ କୃଷକ ଚାଷ କାମରୁ ବିରତି ରହିବା ଦେଖିବା ପାଇଁ ମିଳୁଛି।ଦେଶକୁ ଅର୍ଥ ନୈତିକଭାବେ ଶୃଦୃଢ଼ କରୁଥିବା ଚାଷୀ ମାନେ ଯଦି ଏପରି ଚାଷ କାର୍ଯ୍ୟରୁ ନିବୃତ୍ତ ରହିବେ ତାହାଲେ କୃଷି ଜାତୀୟ ଶିଳ୍ପରେ ବିଘଟନ ଦେଖାଯିବ ଓ ଦେଶର ଖାଦ୍ୟ ଉତ୍ପାଦନ ମାତ୍ରର ହାର ହ୍ରାସ ପାଇବ ଓ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଦୋହଲି ଜୀବ। ଯାହାର ଫାଇଦା ପୁଞ୍ଜିବାଦୀ ମାନେ ହାସଲ କରିବେ। ପୁଞ୍ଜିବାଦ ଏକ ଏପରି ବ୍ୟାଧି ଯାହା ପରୋକ୍ଷରେ ଦେଶର ଗଣତନ୍ତ୍ରକୁ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳେ, ଏହା ଦେଶ ପାଇଁ ଅଶୁଭ। ଏହା ଜନସାଧାରଣକୁ ଅତି ଶୀଘ୍ର ଗରିବକୁ ଠେଲି ଦିଏ ଓ ପୁଞ୍ଜିବାଦୀ ମାନଙ୍କର ସମ୍ପଦ ବହୁଗୁଣିତ ହୁଏ। ମଧ୍ୟବର୍ତ୍ତି ଓ ଗରିବ ପରିବାରର ଲୋକମାନେ ଏହା ଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହୋଇଥାନ୍ତି କାରଣ ଦେଶର ଦରଦାମ ସମେତ ପ୍ରତେକ ଜିନିଷର ମୂଲ୍ୟ ନିରୂପଣ କରିବା ପୁଞ୍ଜିବାଦୀ ମାନଙ୍କ ହାତରେ ଥାଏ ଓ ସେମାନେ ନିଜ ମନମୁତାବକ ଦରଦାମ ନିୟନ୍ତ୍ରଣ କରନ୍ତି ଯାହାର ପ୍ରଭାବ ଦେଶବାସୀଙ୍କ ଉପରେ ପଡ଼ିଥାଏ ଏବେ ସରକାର ଦେଶର ପ୍ରତେକ ପ୍ରତିଷ୍ଠାନକୁ ଘରୋଇ କରଣ କରି ଦେଉଛନ୍ତି ଅର୍ଥାତ ପୁଞ୍ଜିବାଦୀ ମାନଙ୍କ ହାତରେ ଟେକି ଦେଉଛନ୍ତି ଯାହା ସ୍ବାଧୀନତାକୁ ହ୍ରାସ କରିବାରେ ସହାୟତା ହେଉଛି। ଯଦି ଦେଶରେ ପୁଞ୍ଜିବାଦୀ ମାନଙ୍କ ଦ୍ୱାରା ପ୍ରତେକ ଜିନିଷ ନିୟନ୍ତ୍ରଣ ହେବ ତ’ ସ୍ବାଧୀନତାର କୌଣସି ମୂଲ୍ୟ ରହିବ ନାହିଁ କହିଲେ ଚଳେ। ଏଥିପାଇଁ ସରକାର ପୁଞ୍ଜିବାଦୀ ମାନଙ୍କ ହିତରେ କାର୍ଯ୍ୟ କରିବା ପରିବର୍ତ୍ତେ ନାଗରିକଙ୍କ ହିତରେ କାର୍ଯ୍ୟ କରିବା ଉଚିତ୍।


ଦେଶର ଭବିଷ୍ୟତ ହେଉଛନ୍ତି ଦେଶର ଛାତ୍ରଛାତ୍ରୀ, ଯାହାଙ୍କୁ ଦେଶର ସର୍ବଶ୍ରେଷ୍ଠ ସମ୍ବଳ ଭାବେ ବିବେଚନା କରାଯାଏ।ଶିକ୍ଷା,ସ୍ୱାସ୍ଥ୍ୟ, ରାଜନୀତି ଆଦି ପ୍ରତେକ ସ୍ଥାନରେ ଏମାନଙ୍କ ଭାଗିଦାରୀ ଓ ଆବଶ୍ୟକତା ଥାଏ। ଯେକୌଣସି ବିଷୟର ଉର୍ଣ୍ଣତି ଓ ଅବନୀତି ନିର୍ଣ୍ଣୟ କରିବାର ଏକ ପ୍ରମୂଖ କାରଣ ଥାନ୍ତି ଏମାନେ। ଏମାନଙ୍କର ଉଚିତ୍ ରକ୍ଷଣା ବେକ୍ଷଣା ହିଁ ଉପଯୁକ୍ତ କାର୍ଯ୍ୟ। ଦେଶରେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରିବା ଓ ନିଯୁକ୍ତି ସହିତ ଦେଶର ପ୍ରଗତିରେ ଭାଗିଦାରୀ କରେଇବା ହିଁ ଏକ ସୁନ୍ଦର ରାଷ୍ଟ୍ରର ପରିକଳ୍ପନା। ଯଦି ଦେଶର ଶିକ୍ଷା ବିଷୟରେ ଆଲୋଚନା କରିବା ତାହାଲେ ଏବେ ବହୁମାତ୍ରାରେ ସରକାରୀ ସ୍ତରୀୟ ଶିକ୍ଷା ବ୍ୟବସ୍ଥା, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବିଫଳ ହେଉଛି। ଏଥିପାଇଁ ଅନେକ ସରକାରୀ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରୁ ବିଦ୍ୟାଳୟ ମିଶ୍ରଣ କରାଯାଇଛି କିମ୍ବା ସବୁଦିନ ପାଇଁ ବନ୍ଦ କରି ଦିଆଯାଉଛି।ଦେଶରେ ଏବେ ସରକାରୀ ସ୍ତରୀୟ ଶିକ୍ଷା ବ୍ୟବସ୍ଥା ଏବେ ଏତେ ନଗଣ୍ୟ ହୋଇ ସାରିଛି ଯେ’ ଏଥିପାଇଁ ବେସରକାରୀ ସ୍ତରୀୟ ଶିକ୍ଷା ପ୍ରଦାନ କରିବା ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ମାନ ଗଢ଼ି ଉଠିଛି। ଆମ ଦେଶରେ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ମଧ୍ୟ ଉର୍ଣ୍ଣତ ଧରଣର ନୁହେଁ, ଘରୋଇ ଇଞ୍ଜିନିଅର ଓ ମେଡ଼ିକାଲ କଲେଜରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ପ୍ରଦାନ ମଧ୍ୟ ନିମ୍ନ ସ୍ତରର ଯାହା ବିଶ୍ୱସ୍ତରୀୟ ଶିକ୍ଷାର ପରିପନ୍ଥୀ। ପ୍ରତିବର୍ଷ ଆମ ଦେଶରୁ ଯେତିକି ଇଞ୍ଜିନିୟର ପିଲାମାନେ ବହାରୁଛନ୍ତି ନେଦରଲ୍ୟାଣ୍ଡ ଓ ଇଶ୍ରାଇଲ ପରି ଦେଶର ଜନସଂଖ୍ୟା ଠାରୁ ଯଥେଷ୍ଟ ପରିମାଣରେ ଅଧିକା।ଦେଶରେ ଉର୍ଣ୍ଣତ ମାନର ଶିକ୍ଷାନୁଷ୍ଠାନ ନଥିବାରୁ ବହୁମାତ୍ରାରେ ଛାତ୍ରଛାତ୍ରୀ ବିଦେଶ ଯାଇ ଶିକ୍ଷା ଲାଭ କରୁଛନ୍ତି। ଏପରିକି ଦେଶର କୌଣସି ବିଦ୍ୟାଳୟ କିମ୍ବା ବିଶ୍ଵବିଦ୍ୟାଳୟ ବିଶ୍ଵର ଶ୍ରେଷ୍ଠ ୧୦୦ତମ ତାଲିକାରେ ନାହିଁ। ଆମ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯେଉଁମାନେ ବିଶ୍ଵସ୍ତରୀୟ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଉଚ୍ଚଶିକ୍ଷା ମଧ୍ୟ ପରବର୍ତ୍ତୀ ସମୟରେ ବିଦେଶରେ ସମ୍ପାଦନା କରିଛନ୍ତି। ଦେଶ ସ୍ଵାଧୀନ ହେବା ୭ ଦସନ୍ଦି ପରେ ମଧ୍ୟ ବିଶ୍ୱସ୍ତରୀୟ କୌଣସି ପ୍ରତିଭାର ଆସରା ପାଇନି।ଦେଶ ସ୍ଵାଧୀନତା ଏତେ ଦିନ ପରେ ଆମେ ଆବଶ୍ୟକୀୟ ନିର୍ମିତ ଭଲ ଡାକ୍ତର ପାଇନୁ, ଭଲ ବୈଜ୍ଞାନିକ ପାଇନୁ, ବିଜ୍ଞାନରେ ସେତେଟା ଉର୍ଣ୍ଣତି କରି ପାରିନୁ, ଏପରିକି ବିଶ୍ୱସ୍ତରୀୟ ସଂମ୍ମାନରେ ଆସାଧିକ ଭାବେ ସଂମ୍ମାନ ପାଇନୁ, ଦେଶ ସ୍ବାଧୀନତା ପରେ ବିଜ୍ଞାନରେ ଆମକୁ ନୋବେଲ ମିଳି ପାରିଲା ନାହିଁ ତ’ ଏଥିରୁ ଜଣା ପଡ଼ୁଛି ଆମ ଦେଶର ଛାତ୍ରଛାତ୍ରୀ ନିମନ୍ତେ ଆମ ଶିକ୍ଷା ବ୍ୟବସ୍ଥାର ମୂଲ୍ୟାଙ୍କନ କେତେ।


ଦେଶକୁ ଅବନତି ମଧ୍ୟକୁ ଆଣିବାରେ ବେରୋଜଗାରିର ଭୂମିକା ଯଥେଷ୍ଟ ପରିମାଣରେ ଥାଏ, ଦେଶର ନାକରିକ ମାନେ ଯଦି ରୋଜଗାର କ୍ଷମ ନହୁଅନ୍ତି ତାହାଲେ ଆମ ମାନବ ସମ୍ବଳ ଉପରେ ଏହାର କୁପ୍ରଭାବ ପଡ଼େ ଫଳରେ ଦେଶ ଉର୍ଣ୍ଣତିରେ ବାଧା ଉପୁଜେ। ଆଜି ଆମ ଦେଶରେ ତା’ ପରିଲକ୍ଷିତ ହେଉଛି। ଅନେକ ଶ୍ରମିକମାନେ ବେକାରୀ ହୋଇ ଘରେ ବସିଛନ୍ତି, ଛାତ୍ରଛାତ୍ରୀଙ୍କ ନିକଟରେ ଉପଯୁକ୍ତ ନିଯୁକ୍ତି ନଥିବାରୁ ସେମାନେ ମଧ୍ୟ ବେକାର ହୋଇ ରହିଛନ୍ତି। ଛୋଟବଡ଼ ବ୍ୟବସାୟୀ ମାନେ ମଧ୍ୟ ଅନେକ ରୋଜଗାର ହରେଇ ବସିଲେଣି। ବିଶ୍ଵରେ ଏବେ ବେରୋଜଗାରର ସ୍ଥାନ ସର୍ବାଗ୍ରେ ଭାରତ ଅଛି ଓ ଏହାର ପ୍ରମୂଖ କାରଣ ହେଲା ଛାତ୍ରଛାତ୍ରୀଙ୍କ ଆବଶ୍ୟକ ଅନୁସାରେ ନିଯୁକ୍ତି ନାହିଁ।ଦେଶର ଛାତ୍ରଛାତ୍ରୀ ମାନଙ୍କ ନିଯୁକ୍ତି ହାର କେତେ କମ୍ ତା’ ସେବେ ଜଣା ପଡ଼ିଲା ଯେବେ ଉତ୍ତର ପ୍ରଦେଶର ଓ ବିହାରରେ  ଯଥାକ୍ରମେ ତତୁର୍ଥ ଶ୍ରେଣୀ ଚାକିରୀ ଓ ଝାଡ଼ୁଦାର ପଦବୀର ପୂରଣ ପାଇଁ ଉଚ୍ଚଡ଼ିଗ୍ରୀ ଧାରୀ ଛାତ୍ରଛାତ୍ରୀ ମାନେ ଆବେଦନ କରିଥିଲେ ଏବଂ ନିଯୁକ୍ତ ପଦବୀର ଢ଼େର ଗୁଣ ଆବେଦନ କାରୀଙ୍କ ସଂଖ୍ୟା ଥିଲା। ଏବେ ଅନ୍ୟ ଏକ ଘଟଣା ପଶ୍ଚିମବଙ୍ଗର ଶବ ବ୍ୟବଚ୍ଛେଦ ନିଯୁକ୍ତି ପାଇଁ ବହୁ ଉଛଶିଖିତ ଡିଗ୍ରୀ ଧାରୀ ଛାତ୍ରଛାତ୍ରୀ ମାନେ ଆବେଦନ କରି ଦେଶର ବେକାରୀ ସମସ୍ୟାକୁ ପୁଣିଥରେ ସର୍ବସମ୍ମୁଖକୁ ଆଣିଛନ୍ତି ତେଣୁକରି ଦେଶରେ ଏହି ସମସ୍ୟାର ସମାଧାନ ପାଇଁ ସରକାର ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ନିଯୁକ୍ତି ପ୍ରଦାନ କରିବା ଅତ୍ୟନ୍ତ ଆବଶ୍ୟକ। ଏବେ ଦେଶରେ ବହୁମାତ୍ରାରେ ଅସହିଷ୍ଣୁତା ବଢ଼ି ଚାଲିଛି ଏହାର ପ୍ରମୂଖ କାରଣ ଜାତିବାଦ,ଅଥବା ସାଧାରଣତଃ ଭାରତୀୟ ସମାଜ ଏକ ଜାତି ବ୍ୟବସ୍ତାର ସମାଜ ଭାବରେ ଦଣ୍ଡାୟମାନ ବହୁ ଆବାହମାନ କାଳରୁ ଏହି ଜାତିପ୍ରଥାର ପ୍ରଚଳନ ରହି ଆସିଛି ଫଳରେ ସମାଜରେ ଅସମାନତା ପରିଲକ୍ଷିତ ହେଉଛି। ପ୍ରତିଦିନ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦର ମାତ୍ରା ଏତେ ବଢ଼ି ଚାଲିଛି ଯେ ସରକାରୀ ତଥ୍ୟ ଅନୁସାରେ ଅସବର୍ଣ୍ଣଙ୍କ ଉପରେ ପ୍ରତି ୧୨ମିନିଟରେ ଥରେ ଜାତି ଭିର୍ତ୍ତିକ ଅତ୍ୟାଚାର ହେଉଛି।ଦଳିତ ଉତ୍ପିଡନା ବିଷୟରେ ଯଦି ଦେଖିବା ଭାରତୀୟ ସମ୍ବିଧାନର ଧାରା(୧୫) ଅନୁସାରେ କାହା ସହିତ ସାମାଜିକ ଭେଦଭାବ କରି ପାରିବ ନାହିଁ କିନ୍ତୁ ଆଜିର ଦିନରେ ପ୍ରତି ସ୍ଥାନରେ ଉଚ ନିଚର ଭେଦଭାବ ଅଛି। ପ୍ରତି ସପ୍ତାହରେ ଜଣେ ଦଳିତଙ୍କର ଘର ପୋଡ଼ା ଯାଉଛି, ୯୦% ଦଳିତ ମନ୍ଦିରରେ ପ୍ରବେଶ କରି ପାରୁ ନାହାନ୍ତି କିମ୍ବା ସାମୁହିକ କାର୍ଯ୍ୟରେ ଭାଗିଦାରୀ ହୋଇ ପାରୁ ନାହାଁନ୍ତି। ୨୫% ବିଦ୍ୟାଳୟରେ ଦଳିତ ଛାତ୍ରଛାତ୍ରୀ ମାନେ ସାମୁହିକ ଭୋଜନ ଏକାଠି ବସି କରନ୍ତି ନାହିଁ। ୭୦% ଦଳିତ ଗ୍ରାମର କୂଅ,ପୋଖରୀ, ନଳକୂପ ଆଦି ବ୍ୟବହାର କରି ପାରନ୍ତି ନାହିଁ। ଏପରିକି ଦଳିତଙ୍କ ପାଇଁ ସମ୍ବିଧାନରେ ଥିବା ମୌଳିକ ସୁବିଧା ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ ହୋଇ ପାରି ନାହିଁ ଏବଂ ଉଚ୍ଚ ପଦବୀରେ ଦଳିତ ମାନେ ଆସିନ ହେବାପରେ ମଧ୍ୟ ସେମାନେ ଭେଦଭାବର ଶିକାର ହେଉଛନ୍ତି; ଏପରି କି ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜାତିବାଦର ମାନସିକତା ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀରେ ଅସଦାଚରଣ କରାଯାଇଥିଲା।ଏଭଳି ପରିସ୍ଥିତିରେ ଦଳିତ ମାନେ ସ୍ବାଧୀନତା ପାଇଛନ୍ତି କହିବା ଉଚିତ୍ ମନେ ହେଉ ନାହିଁ। ଜାତିବାଦର ସମାପ୍ତ ହିଁ ଦଳିତ ସମ୍ପ୍ରଦାୟଙ୍କୁ ସ୍ବାଧୀନତାର ସ୍ୱାଦ ଚାଖିବାର ଅନୁଭବ ହେବ।


ଯେତେବେଳେ ସ୍ବାଧୀନତା ବିଷୟରେ ଗାନ୍ଧୀଙ୍କୁ ପଚାରାଗଲା ଆପଣଙ୍କ ଦେଶ ସ୍ବାଧୀନ ଘୋଷଣା କରାଗଲା କିପରି ଅନୁଭବ କରୁଛନ୍ତି? ଗାନ୍ଧୀ ସେଇ ସମୟରେ କହିଥିଲେ ଭାରତ ସ୍ବାଧୀନ ହୋଇଛି ବୋଲି ଆମେ ସେଇଦିନ ଅନୁଭବ କରିବା ଯେଉଁଦିନ ରାତି ୧୨ଟାରେ ଜଣେ ମହିଳା ନିର୍ଭୟରେ ରାସ୍ତାରେ ଚାଲି ପାରିବ!!! କିନ୍ତୁ ଏବେ ଏ ଦେଶରେ ମହିଳା ମାନଙ୍କର ସ୍ଥିତି କ’ଣ?  ପ୍ରତିଦିନ ମହିଳା ମାନେ ଯୋୖନଶୋଷଣ, ବଳାତ୍କାର, ଗଣବଳାତ୍କାର ଶିକାର ହେଉଛନ୍ତି। ଗତ ୫ବର୍ଷ ରେ ୪୭% ବଲାତ୍କାର ବଢ଼ିଛି ଓ କେନ୍ଦ୍ରସରକାରଙ୍କ ତଥ୍ୟ ଅନୁସାରେ ପ୍ରତି ଦିନ ୮୬ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି, ସମାଜରେ ଥିବା ଲିଙ୍ଗଗତ ଭେଦଭାବର ଶିକାର ହେଉଛନ୍ତି। ଏପରିକି ମହିଳା ଶିଶୁ ଭୃଣହତ୍ୟା ମାମଲାରେ ସର୍ବାଗ୍ରେ ଆମେ ଅଛୁ। ବିଶ୍ଵରେ ମହିଳା ମାନଙ୍କ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ରାଷ୍ଟ୍ର ହେଉଛି ଭାରତ ଏହି ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ମହିଳା ସଶକ୍ତିକରଣ ଓ ଉଦାରିକରଣ ବିଫଳ ହୋଇଛି। ଅନ୍ୟ ଦେଶର ମହିଳା ମାନଙ୍କୁ ନିଜ ମନମୁତାବକ କାର୍ଯ୍ୟ କରିବା ପାଇଁ ସ୍ବାଧୀନତା ମିଳୁଥିବା ବେଳେ ଆମ ଦେଶର ମହିଳା ମାନେ ଘରୁ ପାଦ କାଢ଼ିବା ଆମ ମାନଙ୍କ ପାଇଁ ଚିନ୍ତାର କାରଣ ହେଉଥାଏ।ମହିଳାଙ୍କ ସ୍ବାଧୀନତା ପାଇଁ ସମସ୍ତେ ଆଗଭର ହେବା ଉଚିତ୍। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ସ୍ବାଧୀନତା ହିଁ ଦେଶର ସ୍ବାଧୀନତାକୁ ପଷ୍ଠ କରିଥାଏ।ନିର୍ଭୀକ ଓ ନିଦ୍ୱନ୍ଦରେ ଖବର ପରିବେଷଣ କରିବା ପ୍ରତେକ ଗଣମାଧ୍ୟମର ମୌଳିକ ଅଧିକାର କିନ୍ତୁ ଦେଶରେ ସରକାର ବିରୋଧୀ ସତ୍ୟ ଖବର ପରିବେଷଣ କରୁଥିବାରୁ ଅନେକ ପତ୍ରକାରଙ୍କୁ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଢ଼ୁଛନ୍ତି, ସଠିକ ଖବର ପରିବେଷଣ କରୁଥିବାରୁ ଗଣମାଧ୍ୟମ ଓ ଗଣପ୍ରତିନିଧି ମାନଙ୍କୁ ମିଛ କେସ୍,ଏପରିକି ଦେଶଦ୍ରୋହୀ ସଜାଇ ଗିରଫ କରାଯାଇ ଗଣମାଧ୍ୟମର ଗଳାକୁ ଚାପି ଦିଆଯାଇଛି ଯାହା ସ୍ବାଧୀନତାର ମୂଲ୍ୟାଙ୍କନ କେତେ ପରିମାଣରେ ଅଛି ତା’ ପଷ୍ଟତା କରୁଛି।ଦେଶ ଏବେ ଆତଙ୍କବାଦର ସାମ୍ନା କରୁଛି, ସୀମାପାର ଆତଙ୍କବାଦ ହେଉ କିମ୍ବା ଦେଶ ମଧ୍ୟରେ ଜାତି,ଧର୍ମ,ସମ୍ପ୍ରଦାୟକୁ ନେଇ ହିଂସାକାଣ୍ଡ କରଉଥିବା ଆତଙ୍କବାଦ କାର୍ଯ୍ୟ କଳାପ ହେଉ।ପ୍ରତି ମୁହୂର୍ତ୍ତରେ ଦେଶ ପାଇଁ ଏଇ ଆତଙ୍କବାଦର ବିପଦ ରହୁଛି।ସ୍ବାଧୀନତା ପର ଉର୍ଣ୍ଣତି ପାଇଁ ଏହାର ପ୍ରତିରୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୈଜ୍ଞାନିକ ବିଚାର ଧାରାର ପ୍ରଚାର ଏବଂ ଆଧୁନିକରଣ ଏବଂ ବିଶ୍ଵଜଳବାୟୁ ପରିବର୍ତ୍ତନ( ଗ୍ଲୋବାଲୱାର୍ମୀ) କୁ ଦେଶରେ ଆୟତ ଓ ପରିବେଶ ପ୍ରଦୂଷଣ ନିୟତ୍ରଣ କରିବା।ବିଶ୍ଵଦରବାରରେ ଏକ ସ୍ୱତନ୍ତ୍ର ଉଦାହରଣ ହୋଇ ବାହାରିବା ଦେଶପାଇଁ ଶ୍ରେୟସ୍କର ହେବ।ପରାଧିନ ଥିବା ସମୟରେ ଯେପରି ଭାରତ ନିଜକୁ ଅଣ ନିଶ୍ୱାସୀ ଅନୁଭବ କରୁଥିଲା ସ୍ବାଧୀନତା ପରେ ଦେଶବାସୀ ସେପରି ଅଣନିଶ୍ୱାସୀ ଅନୁଭଵ ନକରନ୍ତୁ ଓ ବାସ୍ତବରେ ସ୍ବାଧୀନତା ପାଇ ଥିବାର ମନେ କରନ୍ତୁ ଏହାହିଁ ସ୍ବାଧୀନତାର ମୂଳମନ୍ତ୍ର। ଯେଉଁଦିନ ଆମେ ଆମ ମହାପୁରୁଷଙ୍କ ସ୍ୱପ୍ନର ଭାରତ ଗଢ଼ିବା ସମତା,ସ୍ୱତନ୍ତ୍ରତା,ଭାତୃଭାଵ, ନ୍ୟାୟରୂପକ ସମାଜ ଗଠନ କରି ପାରିବା ସେଇଦିନ ଆମେ ସ୍ବାଧୀନ ଦେଶର ନାଗରିକ ଭାବେ ଅନୁଭବ କରିବା।


*ସୁଶୀଲ୍ କୁମାର ଭୋଇ

Leave a Reply

This site uses Akismet to reduce spam. Learn how your comment data is processed.