ଶିକ୍ଷା ମନୁଷ୍ୟକୁ ନିଜ ଜୀବନରେ ଅଗ୍ରଗତି କରିଥାଏ | ଶିକ୍ଷା, ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟର ବିକାଶ ମାନବ ସମାଜକୁ ଅତ୍ୟନ୍ତ ଜରୁରୀ ଅଟେ | ଶିକ୍ଷା ର ପ୍ରଭାବରେ ଆଜି ମାନବ ସମାଜ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରେ ନିପୁଣ | ଯାହାର ମାଧ୍ୟମରେ ଆଜି ମନୁଷ୍ୟ ସମଗ୍ର ବିଶ୍ୱକୁ ଜୟ କରି ମଙ୍ଗଳ ଗ୍ରହରେ ବସତି ସ୍ଥାପନା କରିବା ପାଇଁ ଚେଷ୍ଟା ଚଳାଇଛି | ଏହା ସହିତ ଶିକ୍ଷା ମନୁଷ୍ୟ ଜୀବନରେ ପ୍ରତିଫଳିତ ହୋଇ ନିଜ ଦେଶ ଓ ସମାଜରେ ଗର୍ବ ସହ ନିର୍ଭିକରେ ଜୀବନ ଯାପନ କରିବା ପାଇଁ ମୂଳଦୁଆ ଅଟେ | କିନ୍ତୁ ବିଗତ ୧୮୦୦ କ୍ରିଷ୍ଟାବ୍ଧ ପର୍ଯ୍ୟନ୍ତ ଭାରତ ବୋଲି ଏକ ବିବିଧତା ପୁର୍ଣ ରାଷ୍ଟ୍ରରେ ଶିକ୍ଷା କିଛି ଉଚ୍ଚ ସମାଜର ଲୋକଙ୍କ ପାଇଁ ହିଁ ନିର୍ଦ୍ଧିଷ୍ଟ ହୋଇ ରହିଥିଲା | ମାନବ ସମାଜକୁ କିଛି ସଂକୀର୍ଣ୍ଣ ଚିନ୍ତାଧାରାର ଲୋକ ଉଚ୍ଚ ଓ ନୀଚ ରେ ବର୍ଗିକୃତ କରି ଉଚ୍ଚ ବର୍ଗର ଲୋକଙ୍କ ପାଇଁ ହିଁ ଶିକ୍ଷା ଉପଯୋଗ ବୋଲି ଧରିବସିଥିଲେ | ବ୍ରିଟିଶ ଶାସନ କାଳରେ ସ୍ୱୟଂ ବ୍ରିଟିଶ ସରକାର ହିଁ ଭାରତ ବର୍ଷରେ ୧୮୦୦ ଶତାବ୍ଦୀ ରେ ପ୍ରଥମେ ଶିକ୍ଷାର ଆବଶ୍ୟକତାକୁ ବୁଝି ପାରିଥିଲେ ଏବଂ ସମାଜରେ ନୀଚ ବା ପଛୁଆ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷା ବ୍ୟବସ୍ତା ଆରମ୍ଭ କରିଥିଲେ |

ଏଇ ନୀଚ ଓ ପଛୁଆ ବର୍ଗରେ କିଏ ସବୁ ଆସନ୍ତି? ଏଇ ବର୍ଗରେ ସେମାନେ ଆସନ୍ତି ଯାହାକୁ ଆମେ ଆଜି ଦଳିତ, ଆଦିବାସୀ, ଓ ଅନ୍ୟାନ ପଛୁଆ ବର୍ଗ ବୋଲି କହୁଛୁ | ଏଇ ବର୍ଗକୁ ବଞ୍ଚିତ ସମାଜ ବୋଲି ମଧ୍ୟ ବିବେଚିତ କରାଯାଏ | କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ କି ଏଇ ବଞ୍ଚିତ ବର୍ଗରେ ସମଗ୍ର ମହିଳା ଜାତି ମଧ୍ୟ ଥିଲେ | ବିଶେଷ କରି ମହିଳା ମାନଙ୍କୁ ବହୁତ ଗୁଡିଏ ଗୁରତ୍ବପୁର୍ଣ ସାମାଜିକ ଅଧିକାର ନଥିଲା, ସେହି ଭିତରୁ ଶିକ୍ଷା ଅନ୍ୟତମ | କିଛି ସଂକୀର୍ଣ୍ଣ ଚିନ୍ତାଧାରା ରେ ଜଡିତ ଲୋକମାନେ  କେବେ ହେଲେ ମହିଳା ମାନଙ୍କୁ ସମାନତା କି ଶିକ୍ଷା ର ସ୍ୱତନ୍ତ୍ରତା ଦେଇ ନଥିଲେ | ଏହା କେବଳ ୧୮୦୦ ଶତାବ୍ଦୀର କଥା ନୁହେ, ବରଂ ଆଜି ମଧ୍ୟ ମହିଳା ମାନଙ୍କୁ ତାଙ୍କ ପୁର୍ଣ ଏବଂ ସ୍ୱତନ୍ତ୍ରତାର ଜୀବନ ଯାପନ ପାଇଁ ଅନୁମତି ସମାଜରେ ମିଳେ ନାହିଁ |

ମୋର ପ୍ରଶ୍ନ ହେଲା କି ସେମାନେ କିଏ ଯିଏ ସମାଜରେ ମହିଳା ମାନଙ୍କୁ ମୁଣ୍ଡଟେକି ଚାଲିବା ପାଇଁ ରାସ୍ତା ଅବରୋଧ କରୁଛନ୍ତି? ସେମାନେ କିଏ ଯିଏ ମହିଳା ମାନଙ୍କୁ କେବଳ ଚାରି କାନ୍ତ ଘର ଭିତରେ ରହି ରୋଷେଇ କରିବା, ଛୁଆ ଜନ୍ମ ଦେଇ ତାଙ୍କ ଯତ୍ନ ନେବା ଓ ସ୍ୱାମୀର ର ସେବା କରିବା ହିଁ ଜଣେ ମହିଳା ର କାମ ବୋଲି କହୁଛନ୍ତି? ମୋ ମତରେ ଏଇ ଲୋକ ସେଇମାନେ ଯିଏ କି ଜଣେ ବିଧବାକୁ ନିଜ ସ୍ୱାମୀର ଜୁଇ ରେ ଡେଇଁ ନିଜକୁ ମଧ୍ୟ ମରିବା ପାଇଁ ବାଧ୍ୟ କରୁଥିଲେ, ଯାହାକୁ କୁହାଯାଉଥିଲା “ସତିପ୍ରଥା” | ସେଇ ଦୁଶ୍ଚିନ୍ତାଧାରାରେ ଜଡିତ ଲୋକ ହିଁ ନୀଚ ଜାତି ବା ବଞ୍ଚିତ ବର୍ଗର ଲୋକଙ୍କୁ ଶିକ୍ଷା ପାଇବା ଠାରୁ ଦୁରେଇ ରଖିଥିଲେ | ସମାଜରେ ବର୍ଣ ବ୍ୟବସ୍ତା ସ୍ଥାପନା କରି ମଣିଷ କୁ ଜନ୍ମରୁ ହିଁ ବର୍ଗିକୃତ କରିଦେଇଥିଲେ ଓ ଉଚ୍ଚ-ନୀଚର ଭେଦଭାବ ସୃଷ୍ଟି କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଆମ ଦେଶରେ ଏକ କଳଙ୍କ ଅଟେ |

୧୪୦୦ କ୍ରିଷ୍ଟାବ୍ଦରେ ସମଗ୍ର ଇଉରୋପରେ ନବୀକରଣର ଯୁଗ ବା ନବଯୁଗର ଆରମ୍ଭ ହୋଇ ସାରିଥିଲା ଏବଂ ଏହାର ପ୍ରଭାବ ସାରା ପୃଥିବୀରେ ପ୍ରତିଫଳିତ ହେଉଥିଲା | ଏଇ ନବଯୁଗର ପ୍ରଭାବ ଭାରତରେ ୧୮୦୦ କ୍ରିଷ୍ଟାବ୍ଦର ଆରମ୍ଭରେ ଦେଖା ଦେଇଥିଲା | ଭାରତରେ ସେଇ ସମୟରେ କୁସଂସ୍କାର ଅତି ପରିମାଣରେ ରହିଥିଲା | ସେତି ମଧ୍ୟରୁ ସତିପ୍ରଥା, ଜାତିଗତ ଭେଦଭାବ ଓ ନିରକ୍ଷରତା ସମ୍ପୂର୍ଣ ଭାବେ ସମସ୍ତ ସମାଜରେ ବ୍ୟାପିରହିଥିଲା | ଭାରତ ବର୍ଷରେ କେତେକ ଉଚ୍ଚଶିକ୍ଷିତ ମାନବବାଦୀ ବିଚାରଧାରାର ମହାନ ପୁରୁଷମାନେ ନବଯୁଗର ସିଦ୍ଧାନ୍ତକୁ ଅନୁସରଣ କରି ଏହି କୁସଂସ୍କାର ଗୁଡିକକୁ ଦୂର କରିବା ପାଇଁ  ଆଗେଇ ଆସିଥିଲେ | ଯାହା ଫଳରେ ଆଜି ବଞ୍ଚିତ ସମାଜ (ଗରିବ, ନୀଚ, ଆଦିବାସୀ, ପଛୁଆ ଜାତି ଓ ମହିଳା) କୁ ଅନ୍ୟ ମାନଙ୍କ ଭଳି ସମାନ ଅଧିକାର ପାଇ ସମାଜରେ ଗର୍ବ ଓ ନିର୍ଭିକରେ ବଞ୍ଚିବାର ଅଧିକାର ମିଳି ପାରିଛି |  

ସେଇ ମହାନ ପୁରୁଷଙ୍କ ମଧ୍ୟରେ ଜ୍ୟୋତିବା ଫୁଲେ ଥିଲେ ଅନ୍ୟତମ | ସମାଜରେ ସତିପ୍ରଥା, ଜାତିଗତ ଭେଦଭାବ ଓ ନିରକ୍ଷରତାକୁ ଦୂର କରିବା ପାଇଁ ଉଚ୍ଚ ଜାତିର ଲୋକଙ୍କ ସହ ସାରା ଜୀବନ ସଂଘର୍ଷ କରିଥିଲେ | ତାଙ୍କର ସ୍ବପ୍ନ ଥିଲା କି ସମାଜରୁ ସତିପ୍ରଥା, ଉଚ୍ଚନୀଚ ଭେଦଭାବ ଓ ନିରକ୍ଷରତା ସମ୍ପୂର୍ଣ ଭାବେ ଦୂର କରିବା | କିନ୍ତୁ ଏହା ଉଚ୍ଚ ଜାତିର ଲୋକଙ୍କ ମଧ୍ୟରେ ଏକ କଳା ମେଘ ସଦୃଶ୍ୟ ବିପଦ ମନେହେଉ ଥିଲା | ସେମାନେ ଏହାର ଘୋର ବିରୋଧ କରିଥିଲେ | ସେମାନେ କେବେ ଚାହୁଁ ନଥିଲେ କି ସତୀପ୍ରଥା ସମାଜରୁ ଦୁରେଇ ଯାଉ | ସେମାନେ କେବେ ଚାହୁଁ ନଥିଲେ କି ଜଣେ ନୀଚ ଜାତି ର ଲୋକ ଜଣେ ଉଚ୍ଚ ଜାତିର ଲୋକ ସହ ପାଦ ସହ ପାଦ ମିଳାଇ ଚାଲୁ | ସେମାନେ କେବେ ଚାଉଁ ନଥିଲେ କି ନୀଚ ଜାତି ଓ ମହିଳା ମାନେ କେବେ ଶିକ୍ଷିତ ହୁଅନ୍ତୁ | ସେମାନଙ୍କ ମତରେ ଜଣେ ନୀଚ ଜାତିର ଲୋକ କି ଜଣେ ମହିଳା ପାଠ ପଢି ଶିକ୍ଷିତ ହେଲେ ସମାଜରେ ଅନିଷ୍ଟ ହୁଏ, ଯାହା ତାଙ୍କ ଦ୍ୱାରା ଅନୁସରଣ ଧର୍ମ ଗ୍ରନ୍ଥ ଓ ପୌରାଣିକ ଗ୍ରନ୍ଥରେ ବର୍ଣିତ ଅଛି ଏବଂ ଯାହାର ଅସ୍ତିତ୍ବ ଉପରେ ଏବେ ପ୍ରଶ୍ନବାଚୀ ହୋଇ ରହିଛି | ଏହି ଧର୍ମ ଭିତିକ ଗ୍ରନ୍ଥକୁ ଅନୁସରଣ କରି କେତେକ ସଂକୀର୍ଣ୍ଣ ଚିନ୍ତାଧାରାର ଲୋକମାନେ ଜ୍ୟୋତିବା ଫୁଲେଙ୍କୁ ବିରୋଧ କରି ତୁ ତୁ କରିବାରେ ଲାଗିଥିଲେ | ତାଙ୍କୁ ଅନେକଥର ମୃତ୍ୟୁ ର ଧମକ ମଧ୍ୟ ଦିଆଯାଇଥିଲା |

କିନ୍ତୁ ଫୁଲେ ଏ ସବୁ ଖାତିର ନ କରି ନିଜ କାର୍ଯ୍ୟ କରି ଚାଲିଥିଲେ | ଏଇ ସବୁଥିରେ ତାଙ୍କ ଧର୍ମ ପତ୍ନୀ ସାବିତ୍ରୀବାଇ ଫୁଲେ କେବେ ହେଲେ ମଧ୍ୟ ତାଙ୍କଠୁ ଦୁରେଇ ଯାଇ ନଥିଲେ ବରଂ ପ୍ରତ୍ୟକ ମୁହୂର୍ତ୍ତରେ ତାଙ୍କ ସହ ସାଥି ହୋଇ ରହିଥିଲେ | ସବୁଠୁ ଗୁରୁତ୍ବପୁର୍ଣ କଥା ହେଲା କି ସାବିତ୍ରୀବାଇଙ୍କୁ ନିଜେ ଜ୍ୟୋତିବା ଫୁଲେ ହିଁ ଶିକ୍ଷା ଦେଇଥିଲେ ଓ ପରବର୍ତ୍ତି ସମୟରେ ସେ ହୋଇଥିଲେ ପ୍ରଥମ ଭାରତୀୟ ଶିକ୍ଷିତ ମହିଳା ଓ ଶିକ୍ଷିୟିତ୍ରୀ | ପ୍ରଥମ ଥର ପାଇଁ ସେ ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାରକୁ ବିରୋଧ କରି ନାରୀଶଶକ୍ତିକରଣ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ | ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେ ଜାଣିଥିଲେ ଯେ ଉଚିତ ଶିକ୍ଷା ବିନା ସମାଜରେ ସଂସ୍କାର ଆଣିବା କଷ୍ଟକର | ତେଣୁ ସାବିତ୍ରୀବାଇ ଫୁଲେ କହନ୍ତି “ଶିକ୍ଷା ମନୁଷ୍ୟକୁ କ’ଣ ଠିକ ଓ କ’ଣ ଭୁଲ କୁ ଜାଣିବାର ଅଧିକାର ଦିଏ |” ତାଙ୍କ ମତରେ କେବଳ ଉଚିତ ଶିକ୍ଷା ହିଁ ସମାଜରେ ସୁଧାର ଆଣିବା ପାଇଁ ରାସ୍ତା ଦେଖାଏ | ଏହାର ପରିଣାମରେ ଭାରତରେ ପ୍ରଥମ ଥର ପାଇଁ ଆଧୁନିକ ଶିକ୍ଷାର ମୂଳଦୁଆ ମହାରାଷ୍ଟ୍ରର ପୁନେ ସହରରେ ହୋଇପାରିଥିଲା |

୧୮୪୮ ମସିହା ଜାନୁଆରୀ ୧ ତାରିଖରେ ଝିଅ ପିଲାଙ୍କ ପାଇଁ ଆଧୁନିକ ଶିକ୍ଷାର ଯୁଗ ଆରମ୍ଭ ହୋଇଥିଲା | ସେଦିନ ପୁନେର ଭିଡ଼େଭାଡା ଠାରେ କେବଳ ଝିଅପିଲାଙ୍କ ପାଇଁ ଜ୍ୟୋତିବା ଫୁଲେ ଏବଂ ତାଙ୍କ ଧର୍ମ ପତ୍ନୀ ସାବିତ୍ରୀବାଇ ଫୁଲେଙ୍କ ଚେଷ୍ଟାରେ ପ୍ରଥମ ବାଳିକା ବିଦ୍ୟାଳୟ ଖୋଲାଯାଇଥିଲା | ଯାହାର ମୁଖ୍ୟ ଉଦେଶ୍ୟ ଥିଲା: ମହିଳା ମାନଙ୍କୁ ଉଚିତ ଶିକ୍ଷା ଦେବା ଓ ତାଙ୍କୁ ସମାଜରେ ହେଉଥିବା କୁସଂସ୍କାର ଦୂର ପାଇଁ ଜାଗ୍ରତ କରିବା | ନୂତନ ସ୍ଥାପିତ ସ୍କୁଲରେ ସେତେବେଳେ କେବଳ ୭ ରୁ ୮ ଝିଅ ଥିଲେ ଓ ସାବିତ୍ରୀବାଇ ପ୍ରଥମ ଥର ପାଇଁ ଏକ ଶିକ୍ଷିୟତ୍ରୀ ହୋଇ ପାରିଥିଲେ, ଯାହା କେବଳ ମହିଳା ମାନଙ୍କ ପାଇଁ ନୁହେ ବରଂ ଭାରତରେ ଥିବା ପ୍ରତ୍ୟକ ବଞ୍ଚିତ ସମାଜ ଓ ନୀଚ ଜାତିର ଲୋକଙ୍କ ପାଇଁ ଏକ ଗୌରବର ଦିନ ଥିଲା | ସେଦିନଠାରୁ ଆଜି ଭାରତରେ ମହିଳା ମାନେ ଶିକ୍ଷାର ଅଧିକାର ପାଇପାରିଥିଲେ | ତା ପୂର୍ବରୁ ଭାରତରେ ମହିଳା ମାନଙ୍କ ପାଇଁ କୌଣସି ଶିକ୍ଷାର ବ୍ୟବସ୍ଥ ନଥିଲା କି ଶିକ୍ଷା ପାଇବାର ଅଧିକାର ମଧ୍ୟ ନଥିଲା |

କିନ୍ତୁ ଆମେ ଜାଣିବା ଉଚିତ ଯେ ଜ୍ୟୋତିବା ଫୁଲେ ପ୍ରକୃତରେ କିଏ ଥିଲେ? ଜ୍ୟୋତିବା ଫୁଲେ, ଯାହାଙ୍କୁ ମହାତ୍ମା ଫୁଲେ ମଧ୍ୟ କୁହାଯାଏ; ଜଣେ ସମାଜସେବୀ, ସମାଜ ସୁଧାରକ ଏବଂ ଶିକ୍ଷାବିତ କ୍ରାନ୍ତିକାରୀ ଥିଲେ, ଯିଏ ବଞ୍ଚିତ ସମାଜ (ମହିଳା, ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗ ) ର ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ | ସେ ଜାଣିଥିଲେ କି ଯେ ପର୍ଯ୍ୟନ୍ତ ବଞ୍ଚିତ ସମାଜର ଲୋକ ଶିକ୍ଷିତ ହେବେ ନାହିଁ ସେ ପର୍ଯ୍ୟନ୍ତ ତାଙ୍କର କେବେ ବି ଉନ୍ନତି ହୋଇପାରିବ ନାହିଁ | କିନ୍ତୁ ଉଚ୍ଚ ଜାତିର ଲୋକ କେବେ ଚାହୁଁନଥିଲେ କି ମହିଳା, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକ ଶିକ୍ଷିତ ହୁଅନ୍ତୁ | ସେତିପାଇଁ ସେ ଉଚ୍ଚ ଜାତି ଦ୍ୱାରା ହେଉଥିବା ଉଚ୍ଚ-ନୀଚ ଭେଦଭାବ ଓ ମହିଳାଙ୍କ ଶିକ୍ଷା ପାଇଁ ଉଚ୍ଚ ଜାତି ଲୋକଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ | ଆଗକୁ ଯାଇ ୧୮୭୩ ରେ ସତ୍ୟସୋଧକ ସମାଜର ପ୍ରତିଷ୍ଠା କରିଥିଲେ | ଏହାର ମୂଳ ଉଦେଶ୍ୟ ଥିଲା : ସମାଜ ସେବା, ମହିଳା ଓ ନୀଚ ଜାତି ର ଲୋକଙ୍କ ମଧ୍ୟରେ ଶିକ୍ଷାର ଜରୁରୀକୁ ପ୍ରସାର କରିବା | ଏହି ସମୟରେ ପଶ୍ଚିମବଙ୍ଗରେ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର ମଧ୍ୟ ମହିଳାଙ୍କ ଶିକ୍ଷା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଥିଲେ | ସେ କେତେକ ଝିଅ ପିଲାଙ୍କୁ ନେଇ କୋଲକାତା ରେ ମେଟ୍ରୋପଲିଟି କଲେଜ ର ସ୍ଥାପନା କରିଥିଲେ |

ଜ୍ୟୋତିବା ଫୁଲେ ସ୍କୁଲ ସ୍ଥାପନା କରିବା ସହ ସ୍କୁଲର ପରିଚାଳନା ଓ ସ୍କୁଲରେ ହେଉଥିବା ସବୁ ଖର୍ଚର ଦାୟିତ୍ୱ ନେଇଥିଲେ | ୧୮୫୫ ମସିହା ରେ ତାଙ୍କୁ ବ୍ରିଟିଶ ସରକାର ସ୍କୁଲ ନିରୀକ୍ଷକ ପାଇଁ ଦାୟିତ୍ୱ ଦେଇଥିଲେ ଯାହା ଫଳରେ ସେ ନିଜ କ୍ଷେତ୍ରରେ ଆସୁଥିବା ଜିଲ୍ଲାରେ ଝିଅଙ୍କ ପାଇଁ ବହୁତ ମାତ୍ରାରେ ସ୍କୁଲ ସ୍ଥାପନା କରିପାରିଥିଲେ | କିନ୍ତୁ ଦୁର୍ଭାଗ୍ୟବଶତ ଆମ୍ଭେମାନେ, ଯାହାଙ୍କ ପାଇଁ ମହାତ୍ମା ଫୁଲେ ଓ ମାତା ସାବିତ୍ରୀବାଇ ଫୁଲେ ନିଜ ଜୀବନକୁ ବାଜି ଲଗାଇ ବିକାଶ ଓ ଶିକ୍ଷା ପାଇଁ ଉଚ୍ଚ ଜାତିର ଲୋକଙ୍କ ସହ ଲଢ଼ିଥିଲେ ଓ ଶିକ୍ଷାର ଅଧିକାର ଦେଇଥିଲେ ଆଜି ତାଙ୍କୁ ହିଁ ଭୁଲିଯାଇଛୁ |

ଯେତେବେଳେ ସାବିତ୍ରୀବାଇ ମହିଳା ମାନଙ୍କୁ ଘର ଘର ବୁଲି ଶିକ୍ଷା ପାଇଁ ପ୍ରବର୍ତ୍ତାଉ ଥିଲେ ସେତେବେଳେ  ଉଚ୍ଚ ଜାତିର କେତେକ ଦୁଶ୍ଚିନ୍ତ ଲୋକ ତାଙ୍କ ଉପରେ ମୁହଁରେ ଗୋବର ଓ ପଥର ପିଙ୍ଗି ଥିଲେ | ବଡ କଥା ହେଲା କି ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେ ଦଳିତ କି ଆଦିବାସୀ ସମାଜରୁ ନଥିଲେ ବରଂ ସେମାନେ ମାଳି ସମାଜରୁ ଥିଲେ, ଯାହା ଆଜି ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ଅଟେ | କିନ୍ତୁ ଆଜି ନିଜେ ମାଳି ସମାଜ ହିଁ ତାଙ୍କର ଚିନ୍ତାଧାରାରୁ  ଦୁରେଇ ଯାଇଛି, ଆଉ ଶିକ୍ଷା କ୍ଷେତ୍ରରେ ଦଳିତ ଓ ଆଦିବାସୀଙ୍କଠାରୁ ବି ପଛରେ ଅଛି | ଏହାର ଏକ ମୁଖ୍ୟ କାରଣ ହେଲା କି ମାଳି ସମାଜର ଲୋକମାନେ ଶିକ୍ଷାକୁ ପ୍ରାଥମିକତା ନ ଦେଇ ଧର୍ମ ଭିତିକ କାର୍ଯ୍ୟରେ ଲିପ୍ତ ରହିବା ଦେଖିବାକୁ ମିଳୁଛି । ଏହି ବିଷୟ ଉପରେ ଆମ୍ଭମାନଙ୍କୁ ବିଚାର-ବିମର୍ଷ କରିବାକୁ ପଡିବ | ଏଥି ସହ ଆମ ମାଳି ସମାଜ ନିଜ ପୂର୍ବଜ (ଫୁଲେ)ଙ୍କ ଚିନ୍ତାଧାରା ଅନୁସରଣ କରି ନିଜ ସମାଜକୁ  ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ଆଣିବାପାଇଁ ଆଗେଇ ଆସିବା ଦରକାର ଓ ନିଜ ପୁଅଝିଅଙ୍କୁ ଧର୍ମଭିତ୍ତିକ କାର୍ଯ୍ୟରୁ ଦୁରେଇ ରଖି ତାଙ୍କୁ ଶିକ୍ଷା ପାଇଁ ପ୍ରେରିତ କରିବା ଦରକାର | ଏହାର ତାଳେ-ତାଳେ ମହିଳା, ଦଳିତ ଓ ଆଦିବାସୀ ମଧ୍ୟ ଶିକ୍ଷାକୁ ସମ୍ଭିଧାନିକ ଅଧିକାର ବୁଝି ଉନ୍ନତମାନର ଶିକ୍ଷାପାଇଁ ଆଗେଇ ଆସିବା ଦରକାର | ଡ. ଭୀମରାଓ ଆମ୍ବେଦକରଙ୍କ ଦେଇଥିବା ଭାର୍ତ୍ତା “ଶିକ୍ଷିତ ହୁଅ, ସଂଘଠିତ ହୁଅ ଏବଂ ସଂଘର୍ଷ କର” ଏହି ପରିପେକ୍ଷୀରେ ଯତାର୍ଥ ଅଟେ ।

କାରଣ ଆମ ଦେଶର ସମ୍ଭିଧାନ ପ୍ରତ୍ୟକ ନାଗରିକକୁ ଅନ୍ୟ ଅଧିକାର ବୋଲି ଶିକ୍ଷାର ମଧ୍ୟ ଅଧିକାର ଦିଏ | ଶିକ୍ଷାର ଅଧିକାର ଏକ ମୌଳିକ ଅଧିକାର | ଏହାର ଅର୍ଥ ହେଉଛି ସମସ୍ତ ନାଗରିକ ଜାତି, ଲିଙ୍ଗ ନିର୍ବିଶେଷରେ ଶିକ୍ଷା ପାଇଁ ପାରିବେ | ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ଯେ ପ୍ରତ୍ୟେକ  ଶିଶୁ ୫ ରୁ ୧୪ ବର୍ଷ ଭିତରେ ମାଗଣା ପ୍ରାଥମିକ ଶିକ୍ଷା ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି ଆମେ ଶିକ୍ଷାକୁ ନିଜ ମୌଳିକ ଅଧିକାର ଭାବି ନିଜ ପୁଅଝିଅଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରିବା ଦରକାର । ଏଥିସହ ଆମେ କେବଳ ପ୍ରାଥମିକ ଶିକ୍ଷା ରେ ସୀମିତ ନ ରହି ଉନ୍ନତ ମାନର ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ସଂଘର୍ଷ କରିବା ଦରକାର | ଯାହା ଫଳରେ ଆମେ ଆମ ବ୍ୟକ୍ତିଗତ ବିକାଶ ସହ ଆମ ସମ୍ପ୍ରଦାୟ, ସମାଜର ଓ ଦେଶର ବିକାଶ ରେ ନିଜକୁ ଶାମିଲ କରିପାରିବ। ।

ଲେଖକ: ଘେନୁ ଖିଲୋ (ଜିତ୍)

Ph.D. from Tata Institute of Social Sciences, Mumbai. He is doing his PhD in Public health. He is from Koraput district of Odisha.