ଆଜି ଚାଲିଛି ପ୍ରସ୍ତୁତି

ସବର୍ଣ୍ଣଙ୍କ ବସ୍ତି ଭିତରେ,

ଜାତିବାଦ କୁ ବଞ୍ଚାଇବା ଲାଗି କେତେ ନୂଆ ଯୋଜନା

ନିଜ ଅମଣିଷ ପଣିଆକୁ ଉର୍ଦ୍ଧରେ ରଖିବା ଲାଗି

ପୁଣି ଏକ ପରାକାଷ୍ଠା

ନିଜ କ୍ରୁରତାକୁ ଲୁଚେଇଦେବା ପାଇଁ ପଶାଖେଳକରି

 ଜାତି ରାଜନୀତିରେ ।

ଆହୁରି ଘାଟ ବାଟ ମନା ପାଇଁ

ପାରିବେନି କେହି ଯାଇ ଯେତେ ଅସବର୍ଣ୍ଣ ସବୁ, ଯିଏ

ଶିକ୍ଷା ନେଇ ପାରିଛନ୍ତି ଜାଣି

ତାଙ୍କ ସାମ୍ବିଧାନିକ ଅଧିକାର

ସବର୍ଣ୍ଣଙ୍କ ବିରୋଧ ରେ ଉଠେଇଛନ୍ତି ଆଜି

ଏକ ଶାଣିତ ସ୍ୱର, ପ୍ରତିବାଦ ର

ହୁଏତ ଏ ସ୍ୱର ଗାଁ ବାହାରୁ ଆସୁଥାଇପାରେ ।

ଘାଟରେ ତୁମ ନାଁ ଲେଖା ଅଛି କି ହୋ

ଯେ ଯାଇ ପାରିବେନି କେହି ଗାଧୋଇ

ଆଉ ଯଦି ନାଁ ଲେଖା

ତେବେ କେଉଁ ଜାତି ସମାଜ ସ୍ଵୀକୃତି ଦେଇଛି

କଅଣ ତମ ବୋପା ମନୁର ।

ଆଉ କି ପ୍ରମାଣ କରିବାକୁ ଚାହଁ ତୁମେ

ତେଲି, ମାଲି, ଗଉଡ, କେଉଁଟ ଙ୍କ ପରି ଶୁଦ୍ର ସବର୍ଣ୍ଣମାନେ

ଜାତି ବାଦ ର ଶିକୁଳିରେ ଗୁଲାମ ହୋଇ..

ଯେ ହିନ୍ଦୁ – ଜାତି ବିଧାନରେ ପଦୋନ୍ନତି କରିବ?

ହେଇତ, ତୁମ ପିଲା ବି ଦୌଡୁଛି ହେଇ ଲଙ୍ଗଳା ପୁଙ୍ଗୁଳା

ଆଉ ତୁମ ଝିଅର ଛାତିକୁ ବି କାକା ଦାଦା ମାନେ

 ଚିପିଛନ୍ତି ତା ଅନିଛାରେ

ରୋଧ କରି ତା ଗଳା

ସେ ତୁମ ଜାତି ଆଉ ପୁରୁଷ ପଣିଆକୁ ବଞ୍ଚାଉଛି

 ଲୁହ ଭରା ଆଖିରେ

କୋହ ଭରା ଛାତିରେ

ଆଉ ସେ କହି ପାରିନି ତଣ୍ଟି ଚିରି

ତୁମ ଲଙ୍ଗଳା ରୂପକୁ ।

ହଁ, କିନ୍ତୁ ଏ ଘାଟରେ ଘଟଣା ପୁରୁଣା ନୁହେଁ ।

ପରଜୀବୀ ମସ୍ତିଷ୍କ ରେ ତୁମ

କଣ ସେ ଗାଈର ଗୋବର ନାହିଁ

ଯେଉଁଥିରେ ବ୍ରାହ୍ମଣ ବାଦ ର କାନ୍ଥ ଲିପା ହୁଏ ଉପରକୁ ଉପରକୁ

ଜାତି ବାଦ ର ସିଡି ଚଢ଼ି ଚଢ଼ି ।

କେଉଁଠି ଚିର ଦିନ ପାଇଁ ଶୋଇଛ ଯେ

ଏ ଜାତି ତୁମ ଆଖି ପତା ଖୋଲିବାକୁ ବି ଦଉନି

ଆଲୋକ ବିନ୍ଦୁଟେ ପାଇଁ ?

ଘାଟରେ ଯଦି ପଡ଼େ ଦଳିତ ନାରୀର ପାଦ

ତୁମ ଜାତି ଓ ପୁରୁଷ ପଣିଆ କୁ ଗୋଇଠା ବାଜେ

ତାହେଲେ ଘାଟ କାହିଁ

ପୋଖରୀ ପାଣିକୁ ବାଣ୍ଟିବା ପାଇଁ ଯୋଜନା ପାଞ୍ଚ

ଆଉ ଦିଅ ତୁମ ବୁଦ୍ଧିମତ୍ତା ର ପରିଚୟ

ଯଦି ମୁଣ୍ଡ ବିନ୍ଧେ ତୁମ

ଦଳିତଙ୍କ ବାଟରେ ଚାଲିବାରେ

ତେବେ ତୁମେ ରଖ ସ୍ମରଣରେ

ନିଜ ପାଇଁ ମୁକ୍ତିର ବାଟ ବନ୍ଦ କରୁଛ ।

କାରଣ ବାବାସାହେବଙ୍କ ବିନା

ତୁମେ ବି ତ ତିନି ସ୍ତରୀୟ ଗୋଇଠାର ଗୋଲାମ

 ଆଉ ଏ ଜନ୍ମରେ

ତୁମ ମୁକ୍ତି ନାହିଁ ।

 ମହିଳାଙ୍କ ଆଗରେ ଲଙ୍ଗଳା ହେଇ

ଦେଇ ତୁହା ତୁହା ଅଶ୍ଲିଲତା ଭରା ଗାଳି

ତୁମ ଜାତି କି ପୁରୁଷ ସତ୍ତା କୁ ଜାହିର କରି

କି ଉଚ୍ଚାସନ ଲାଭ କଲ ତୁମେ?

ଏ ଜାତି ଦଉଡ଼ିରେ

ତ କେତେ ନର ନାରୀଙ୍କ ବେକରେ ଲାଗିଛି ଫାନ୍ଦ

ଆଉ କେତେ ହେଇଛନ୍ତି ଏହାର ସଂକ୍ରମଣରେ

 ସାମାଜିକ ବାସନ୍ଦ ,

ଆଉ ତୁମ ପ୍ରେମିକା ବି ପର କରିଥିଲା

ଖାସ୍ ଏ କଥା କହି ଯେ

ତୁମେ ତା ଜାତିର ନୁହଁ।

ତଥାପି

ଆଦରି ନେଲ ପଶୁତ୍ଵ କୁ

ନିଜ ପୌରୁଷର ଅହଂ ରେ ଅନ୍ଧ ହୋଇ

ଅପମାନ ଓ ଲଜ୍ଜିତ କର

ଅନ୍ୟ ମଣିଷକୁ ।

ଯେଉଁଠି ବଳି ପଡ଼େ ସ୍ୱତନ୍ତ୍ରତା ଆଉ

ସମାନତା ର ଅଧିକାର

ସତରେ

ତୁମ ଧର୍ମ, ଜାତି ଓ ପୁରୁଷ ପଣିଆ କୁ  ଧିକ୍କାର ।

ଆଜି ରାସ୍ତାରେ ଯେଉଁ ତୀବ୍ର ତତଲା ସ୍ୱର ଶୁଭୁଛି

ଜାତିବାଦ କୁ ଜହର କହି

ବୋଧେ ଏ ଶାଣିତ ସ୍ୱର ସବୁ ଏକତ୍ରିତ ହୋଇ ହିଁ

ତୁମକୁ ଚେତେଇ ଦେଇ ପାରେ

ଜାତି ପୁରୁଷ ସତ୍ତାରେ ଯେବେ ତୁମେ ମଣିଷତ୍ଵ ହରାଅ

ଏଠି ବିଜୟୀ ହୋଇ ତାଣ୍ଡବ କରେ ଦାନ୍ତ ଫାଡ଼ି ଫାଡ଼ି ବ୍ରାହ୍ମଣ ବାଦ ।