ବିଗତ ଦିନରେ ଧର୍ମ ନିରପେକ୍ଷ ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର କରିବା ନିମନ୍ତେ ଅନେକ ପ୍ରୟାସ କରାଯାଉଛି, ଏଥିପାଇଁ ଦେଶର ସମ୍ବିଧାନକୁ ଧିରେ ଧିରେ ପରିବର୍ତ୍ତନ କରିବା ସହିତ ଦେଶରେ ସଂଖ୍ୟା ବହୁଳ ଭାବେ ପରିଚିତ ହିନ୍ଦୁ ମାନଙ୍କୁ ଧର୍ମ ନାଁରେ ଏକତ୍ରିତ କରିବା ପାଇଁ ବହୁ ଉଦ୍ୟମ ମାନ କରାଯାଉଛି। ଧର୍ମ ବିପଦରେ ପଡ଼ିଥିବା ସ୍ୱରକୁ ଉଜ୍ଜୁବିତ କରି ସଂଖ୍ୟା ଲଘୁ ତଥା ଦଳିତ ସମ୍ପ୍ରଦାୟଙ୍କୁ ଲକ୍ଷ କରାଯାଇ ଅତ୍ୟାଚାର କରାଯାଉଛି। କେଉଁଠି “ଜୟ ଶ୍ରୀ ରାମ” ନାରା ଯୋଗୁଁ ଓ ଅନ୍ୟ କେଉଁଠି ଗୋସୁରକ୍ଷା ନାଁ ରେ ନିରୀହ ଜନସାଧାରଣଙ୍କୁ ଆକ୍ରମଣ କରାଯାଇଛି । ଦେଶରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଉଥିବା ବେଳେ ସରକାର ଏଥିପ୍ରତି କୌଣସି ବିଶେଷ ଧ୍ୟାନ ନଦେବା, ନିଶ୍ଚିତ ଭାବରେ ଭାରତୀୟ ଗଣତନ୍ତ୍ର ପାଇଁ ବିପଦ ଦର୍ଶାଉଛି । ବିଶେଷ କରି ହିନ୍ଦୁ ଧର୍ମି ମାନେ ଗାଈକୁ ମାଆ ଭାବେ ମାନୁଥିବା ବେଳେ ଗାଈ ଦେହରେ ତେତିଷ କୋଟି ଦେବତା ବାସ କରୁଥିବା ବିଶ୍ୱାସ କରନ୍ତି ଓ ଗୋମୂତ୍ର ଗୋବରକୁ ପବିତ୍ର ମନେ କରନ୍ତି । ଏଥିପାଇଁ ଗାଈକୁ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରିବା ପାଇଁ ଦାବୀ କରିବା ସହିତ ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏହିପରି ଭାବରେ ଆଜି ଦେଶରେ ଗୋସୁରକ୍ଷା ନାମରେ ଅନେକ ହିନ୍ଦୁତ୍ୱ ସଙ୍ଗଠନ ମାନ ଗଠନ କରାଯାଇଛି ଯେଉଁମାନଙ୍କ ଦ୍ବାରା ହିଂସାକାଣ୍ଡର ଘଟଣା ଅଧିକାଂଶ ସାମ୍ନାକୁ ଆସୁଛି । ହିନ୍ଦୁ ମାନେ ଅଭିଯୋଗ କରନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଗୋମାଂସ ଭକ୍ଷଣ କାରୀ ଏବଂ ଗୋମାଂସ ଉତ୍ପାଦନ କରିବା ପାଇଁ ସେମାନେ ଅନେକ କଂସେଇ ଖାନା ପ୍ରତିଷ୍ଠା କରୁଛନ୍ତି ତଥା ବିଭିନ୍ନ ଅଞ୍ଚଳରୁ ଗାଈ ସଂଗ୍ରହକରି ସେଇ କଂସେଇ ଖାନାରେ ଗାଈ କାଟନ୍ତି ।

ଯେଉଁମାନେ ମୁସଲମାନ ନାମରେ କମ୍ପାନୀ ମାନ ଖୋଲି ସେଠାରେ ପ୍ରତିଦିନ ଅନେକ ଗାଈଙ୍କୁ ହତ୍ୟା କରୁଛନ୍ତି ଓ ମାଂସ ଚମଡ଼ା ଉତ୍ପାଦନ କରି ବିଦେଶକୁ ଗୋମାଂସ ରପ୍ତାନି କରୁଛନ୍ତି ସେମାନଙ୍କ ବିରୋଧରେ କୌଣସି ଗୋସୁରକ୍ଷା ବାହିନୀ କିମ୍ବା ହିନ୍ଦୁତ୍ୱ ସଙ୍ଗଠନ ଗୁଡ଼ିକ ମୁହଁ ଖୋଲୁ ନାହାଁନ୍ତି । ବିବେକ ସକ୍ସେନା ରିପୋର୍ଟ ଅନୁସାରେ ଦେଶର ଚାରୋଟି ବୃହତ କମ୍ପାନିର ମାଲିକ ମାନେ ହେଉଛନ୍ତି ହିନ୍ଦୁ, ସେସବୁ ସମ୍ପାନୀ ଗୁଡ଼ିକ ହେଲା, ଅଲ କବିର (ସତୀଶ ଓ ଅତୁଳ ଶବରୱାଲ), ଅରବିଆନ(ସୁନୀଲ କରଣ), ଏମକେଆର ଫ୍ରୋଜେନ ଫୁଡ଼(ମଦନ ଏବଟ), ପିଏମ ଇଣ୍ଡଷ୍ଟ୍ରିଜ୍(ଏମ୍ ଏସ ବିନ୍ଦ୍ରା) ଏମାନେ ବୃହତ୍ତ ଆକାରରେ ଗୋମାଂସ ଉତ୍ପାଦନ କରି ଥାନ୍ତି ଓ ଅନେକ ପ୍ରୋତ୍ସାହନ ମଧ୍ୟ ପାଇଥାନ୍ତି । ୨୦୧୪-୧୫ ମସିହାରେ ସରକାର ଗୋମାଂସ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ନୂତନ କଂସେଇ ଖାନା ପ୍ରତିଷ୍ଠା ଓ ପୁରୁଣା କଂସେଇ ଖାନା ର ଆଧୁନିକୀକରଣ ପାଇଁ ୧୫ କୋଟି ଟଙ୍କା ସବସିଡ଼ି (ସବ୍ସିଡି) ପ୍ରଦାନ କରିଛନ୍ତି । ଏଥିଯୋଗୁଁ ୨୦୧୪-୧୫ ବର୍ଷରେ ଭାରତ ୨.୪ ନିୟୁତ ଟନ ମାଂସ ରପ୍ତାନୀ କରିଥିଲା ଯାହା ବିଶ୍ଵରେ ରପ୍ତାନି ହୋଇଥିବା ମାଂସର ୫୮.୭% ଥିଲା । ୨୩ ଏପ୍ରିଲ ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭାଇରଲ ଭିଡ଼ିଓ ଯେଉଁଟାକି ଏବିପି ନିୟୁଜରେ ଆସିଥିଲା, ଉକ୍ତ ଭିଡ଼ିଓ ଅନୁଯାୟୀ ମୋଦୀ ସ୍ୱୀକାର କରିଛନ୍ତି ତାଙ୍କ ଦଳର ଅନେକ ସଦସ୍ୟ ଗୋମାଂସ ଉତ୍ପାଦନ ବ୍ୟବସାୟ କରୁଛନ୍ତି । ଗୁଜୁରାଟରେ ନରେନ୍ଦ୍ର ମୋଦୀ କ୍ଷମତା ଗ୍ରହଣ କରିବା ପରେ ଗୋମାଂସ ଉତ୍ପାଦନ ହାର ୧୬୫୦୦ ଟନ୍ ରୁ ବୃଦ୍ଧି ପାଇ ୨୨୦୦୦ ଟନ୍ କୁ ବୃଦ୍ଧି ପାଇଥିଲା, ଅର୍ଥାତ ଏହା ସ୍ପଷ୍ଟ ଯେ , ମୋଦୀ ନେତୃତ୍ବାଧୀନ ସରକାର ଗୋମାଂସ ଉତ୍ପାଦନ କରିବା ପାଇଁ ଅନେକ ପ୍ରୋତ୍ସାହନର ସୁବିଧା କରିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ୍ ରିପୋର୍ଟ ରେ ଏକ ଖବର ଆସିଥିଲା ୨୦୦୯ ମସିହାରେ ବିଜେପି ବିଧାୟକ ସଂଗୀତ ସୋମ ଏବଂ ଦୁଇଜଣ ଲୋକ ଆଲିଗଡ଼ରେ ମିଟ ପ୍ରୋସେସିଂ ୟୁନିଟ୍ ପାଇଁ ଜମି କିଣିଥିଲେ । ସଂଗୀତ ସୋମ ହେଉଛନ୍ତି ସେହି ବିଧାୟକ ଯିଏ ଦାଦ୍ରୀ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେ ଅଖଲାକଙ୍କ ପରିବାରକୁ ଗୋହତ୍ୟା କାରୀ ବୋଲି କହିଥିଲେ । ଖବର କାଗଜ ଦର୍ଶାଇଥିଲା ଯେ ମାଂସ କାରଖାନା ପାଇଁ ଜମି କ୍ରୟ ସମ୍ବଦିୟ ଡକ୍ୟୁମେଣ୍ଟରେ ‘ଅଲ ଦିଆ ଫୁଡ଼ ପ୍ରୋସେସିଂ ପ୍ରାଇଭେଟ ଲିମିଟେଡ଼’ ର ତିନି ନିର୍ଦ୍ଧେଶକଙ୍କ ମଧ୍ୟରେ ସଂଗୀତ ସୋମ ଜଣେ , ଅବଶିଷ୍ଟ ଦୁଇଜଣ ମୋଇନୁଦ୍ଦିନ କୁରେଶୀ ଏବଂ ଯୋଗେଶ ରାୱତ ।

୨୦୧୪ ମସିହାରେ ଭାଜପା ସରକାରକୁ ଆସିବା ପରେ ଦେଶରେ ଗୋମାଂସ ଉତ୍ପାଦନ ହାର ବହୁ ମାତ୍ରାରେ ବଢ଼ିବା ସହିତ ଗୋସୁରକ୍ଷା ନାମରେ ହିଂସାକାଣ୍ଡ ମଧ୍ୟ ବହୁ ମାତ୍ରାରେ ବଢ଼ିଛି, ତା ପୁଣି ନିଜ ଶାସିତ ରାଜ୍ୟ ମାନଙ୍କରେ । ଯଦି ଭାଜପା ଶାସିତ ରାଜ୍ୟ ଉତ୍ତର ପ୍ରଦେଶ କଥା ଦେଖିବା ତାହାଲେ ଏଠାରେ ଗୋସୁରକ୍ଷା ନାମରେ ବହୁ ହିଂସାକାଣ୍ଡ ସୃଷ୍ଟି ହୋଇଛି ଉତ୍ତର ପ୍ରଦେଶର ଗୌତମ ଜିଲ୍ଲାର ବାସିନ୍ଦା, ୫୦ବର୍ଷ ବୟସ୍କ ମହମ୍ମଦ ଅକଲାକଙ୍କୁ ଗୋମାଂସ ଖାଇବା ଅଭିଯୋଗରେ ମାଡ଼ ମାରି ମାରି ହତ୍ୟାକରିବା ସହିତ ତାଙ୍କ ୨୨ ବର୍ଷୀୟ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଗଭୀର ଭାବେ କ୍ଷତାକ୍ତ ମଧ୍ୟ କରିଥିଲେ । ୨୦୧୬ ମସିହାରେ ଗୁଜୁରାଟ ଗିରି, ସୋମନାଥ ଜିଲ୍ଲାର ଉନ୍ନା ସହର ନିକଟରେ ଏକ ମୃତ ଗାଈର ଚର୍ମ ସଂଗ୍ରହ କରିବାକୁ ଯାଇଥିବା ଏକ ଦଳିତ ପରିବାର ସାତ ଜଣଙ୍କୁ ଗୋସୁରକ୍ଷା ବାହିନୀ ଆକ୍ରମଣ କରିବା ସହିତ ସେହି ପରିବାରର ଚାରି ଜଣ ସଦସ୍ୟଙ୍କୁ ରାଜ ରାସ୍ତାରେ ଏକ ଗାଡ଼ି ପଛରେ ବାନ୍ଧି ରଡ଼ ମାଧ୍ୟମରେ ସର୍ବ ସାଧାରଣର ଆଗରେ ନିସ୍ତୁକ ମାଡ଼ ମାରିଥିଲେ। ହରିଆଣା ର ଝାଜର ଜିଲ୍ଲାରେ ପାଞ୍ଚଜଣ ଦଳିତଙ୍କୁ ଏକ ମୃତ ଗାଈ ପାଇଁ ହତ୍ୟା କରାଯାଇଥିଲା ସେହିପରି ମଧ୍ୟପ୍ରଦେଶର ମିରଟ ରେ ଗୋସୁରକ୍ଷା ନାମରେ ଜଣେ କର୍ତ୍ତବ୍ୟ ନିଷ୍ଟ ପୋଲିସ ଇନିସ୍ପେକ୍ଟରଙ୍କୁ ଗୁଳିକରି ହତ୍ୟା କରାଗଲା, ପରବର୍ତ୍ତୀ ସମୟରେ ବଜରଙ୍ଗ ଦଳର ଯୋଗେଶ ରାଜ ଙ୍କ ନାଁରେ ଅଭିଯୋଗ କରାଯାଇ ଥିଲା । ଦେଶରେ ଅନେକ ସମୟରେ ଗୋମାଂସ ଖାଇବା ଅଭିଯୋଗରେ ଅନେକ ବ୍ୟକ୍ତି ତଥା ଏମ୍ ଏଲ କୁଳବର୍ଗୀ, ଗୋବିନ୍ଦ ପାନସରେ ଓ ମହାରାଷ୍ଟ୍ରରେ ନରେନ୍ଦ୍ର ଦାଭୋଳକର ଗୋସୁରକ୍ଷା ରାଜନୀତିରେ ହତ୍ୟା କରାଯାଇଥିବାର ଅନ୍ୟ ଅନ୍ୟ ମହଲ ରେ ଚର୍ଚ୍ଚା ହୋଇଛି । ଏହିପରି ଭାବରେ ଆମ ଦେଶରେ ଗୋମାଂସକୁ ବ୍ୟବହାର କରି ଅନେକ ଦଙ୍ଗା କରିବାର ମଧ୍ୟ ଷଡ଼ଯନ୍ତ୍ର କରାଯାଇଛି । ଯେଉଁଠାରେ ଗୋସୁରକ୍ଷା ଆନ୍ଦୋଳନର ମଙ୍ଗ କଟର ପନ୍ଥୀମାନେ ଧରିଛନ୍ତି ଓ ମନୁଷ୍ୟଙ୍କ ଅପେକ୍ଷା ଗୋଟେ ପଶୁର ଜୀବନ ବହୁମୂଲ୍ୟବାନ ମତ ଦେଉଛନ୍ତି।

ଏହି ତମାମ ଖବର କୁ ଚିନ୍ତା ଓ ତର୍ଜମା  କଲେ ଠିକ ଜଣାପଡେ ଯେ  ଦେଶରେ କେଉଁମାନେ ଗୋସୁରକ୍ଷା ନାମରେ ହିଂସାକାଣ୍ଡ ସୃଷ୍ଟି କରୁଛନ୍ତି ? ରାଜନେତା ଓ ସେମାନଙ୍କ ସମର୍ଥକ ମାନେ ଦେଶ ବାସୀଙ୍କ ମନରେ ଧାର୍ମିକ ଭାବନା ଉପୁଜାଇ ଭୋଟ୍ ହାତେଇବା ପାଇଁ ଏପରି କରୁଛନ୍ତି । ନିକଟରେ ମୂର୍ଖତା ର ସମସ୍ତ ସୀମା ଲଙ୍ଘନ କରି, ଭାଜପା ସାଂସଦ ସ୍ୱାଧି ପ୍ରଜ୍ଞା ସିଂ ଠାକୁର, ଲୋକଙ୍କ ମନରେ ଗୋଭକ୍ତି ଜାତ କରିବା ପାଇଁ ମିଥ୍ୟାର ପ୍ରଚାର କରି କହିଥିଲେ ଯେ “ଗୋମୂତ୍ର ସେବନ କରିବା ଦ୍ୱାରା କୌଣସି ରୋଗ ହୁଏନି, ଫୁସଫୁସ ସଂକ୍ରମଣ ଭଲ ହୋଇଯାଏ, ଏପରିକି ସେ ଗୋମୂତ୍ର ସେବନ କରିବାରୁ କରୋନାରୁ ବର୍ତ୍ତିକି ଅଛନ୍ତି ଏବଂ ନିକଟରେ ସେ ଗୋମୂତ୍ର ଓ ପଞ୍ଚଗବରେ ପ୍ରସ୍ତୁତ ଔଷଧ ସେବନ କରି ସୁସ୍ଥ ହୋଇଛନ୍ତି” । ଉତ୍ତରା ଖଣ୍ଡ ମନ୍ତ୍ରୀ ରେଖା ଆର୍ଯ୍ୟ କହିଥିଲେ “ଶ୍ୱାସକ୍ରିୟା କରିବା ସମୟରେ ଗାଈ ଅମ୍ଳଜାନ ନିଏ ଓ ଅମ୍ଳଜାନ ଛାଡେ”। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଗୋବଂସକୁ ଦେଶର ଅର୍ଥନୈତିକ ସୃଧୁଢ଼ତା କରିବାର ପ୍ରତୀକ ଦର୍ଶାଇବା ସହିତ ଦେଶର ଶିକ୍ଷିତ ଯୁବକ ଯୁବତୀ ମାନେ ଚାକିରୀ ପଛରେ ନଦୌଡ଼ି ଗୋସେବା କରି ରୋଜଗାରକ୍ଷମ ହେବା ଉଚିତ୍ ବୋଲି କହିଥିଲେ । ଆସାମ ବିଜେପି ନେତା ଦିଲ୍ଲୀପ କୁମାର କହିଥିଲେ “ଗାଈର ଧ୍ୱନୀରେ ଶବ୍ଦ ପ୍ରଦୂଷଣ କମି ଯାଏ” । ବିଜେପି ରାଷ୍ତୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ କହିଥିଲେ “ଗୋବରର ମୂଲ୍ୟ କୋହିନୁର ହୀରାଠାରୁ ମଧ୍ୟ ଅଧିକା” । ଏହିପରି ଅନେକ ବିଭ୍ରାନ୍ତିକାରୀ ବାର୍ତ୍ତା ପ୍ରଦାନ କରି ସମାଜରେ ଅନେକ ରାଜନୈତିକ ନେତା ମାନେ ଲୋକଙ୍କ ଧର୍ମିୟ ଭାବନା ବଢ଼ାଉଛନ୍ତି ଓ ସମୟ କ୍ରମେ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଗୋହତ୍ୟା ବିରୋଧରେ ଅନେକ ରାଜ୍ୟ କଠୋର ହୋଇଛନ୍ତି ଗୋ-ବଧକୁ ନିଷିଦ୍ଧ କରିବା ପାଇଁ ଗୁଜରାଟ, ହିମାଚଳପ୍ରଦେଶ, ରାଜସ୍ଥାନ, ହରିଆଣା ଓ ପଞ୍ଜାବ ଭଳି ରାଜ୍ୟମାନେ କଠୋର ଆଇନ ପ୍ରଣୟନ କରିଛନ୍ତି । ପଶ୍ଚିମବଙ୍ଗ, କେରଳ, ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରା ଭଳି ରାଜ୍ୟମାନେ କିନ୍ତୁ ଗୋ-ବଧକୁ ନିଷିଦ୍ଧ କରିନାହାନ୍ତି ଏବଂ ଓଡ଼ିଶା, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ଭଳି ରାଜ୍ୟରେ ଯେଉଁ ଗାଈ ଓ ମଇଁଷିମାନେ କୌଣସି କାମରେ ଆସିବାପାଇଁ ଅନୁପଯୁକ୍ତ, ସେମାନଙ୍କୁ ହିଁ ‘ବଧ ପାଇଁ ଉପଯୁକ୍ତ’ କୁହାଯାଇଥାଏ, ଯାହାକୁ ଆଂଶିକଭାବେ ନିଷିଦ୍ଧ ଆଇନ କୁହାଯିବ ।

ସମ୍ବିଧାନ ଧାରା-୪୮ ଅନୁସାରେ ରାଜ୍ୟ କୃଷି ଏବଂ ପଶୁପାଳନକୁ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ ପ୍ରୋତ୍ସାହିତ କରିବେ ଏଥି ସହିତ ଦୁଗ୍ଧ ଉତ୍ପାଦନ ପଶୁ(ଗାଈ,ମଇଁଷି,ଇତ୍ୟାଦି)ର ସୁରକ୍ଷା ବା ହତ୍ୟା ରୋକିବେ। ଏହା ୧୯୫୦ ଅଧିନିୟମ ଆଇନିରେ ଅନ୍ତର୍ଭୁକ୍ତ, ଏହାପରେ ଅଧିକାଂଶ ରାଜ୍ୟ ୧୯୫୫ ମସିହାରେ ନିଜ ରାଜ୍ୟ କ୍ଷେତ୍ରରେ ଆଇନି ପ୍ରସ୍ତୁତ କରିଥିଲେ । ରାଜ୍ୟସଭାରେ ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଗୋସୁରକ୍ଷା ଆଇନି ୨୦୧୭ ପୈଠ କରିସାରିଲେଣି ଏଥିସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ଦେଶ ବ୍ୟାପି ଗୋସୁରକ୍ଷା ନାମରେ ଅଭିଯାନ ଚଳାଇଛନ୍ତି । ଗୋମାଂସ ଖାଇବା ସପକ୍ଷରେ ଦେଶରେ ଅନେକ ବଳିଷ୍ଠ ବ୍ୟକ୍ତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଭାଜପା ନେତା ତଥା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମାଖାଣ୍ଡୁ କହିଛନ୍ତି “ଗୋମାଂସ ତାଙ୍କର ଖାଇବା ଏହାକୁ କେହି ତାଙ୍କ ଠାରୁ ଛଡେଇ ପାରିବେ ନାହିଁ”। ଅରୁଣାଞ୍ଚଳ ବିଜେପି ନେତା କିରଣ ରିଯୁଜୁଙ୍କ ଭାଷାରେ “ଗୋମାଂସ ହେଉଛି ତାଙ୍କର ଖାଦ୍ୟ ସେ ଯେପରି ଖାଇ ଆସୁଥିଲେ ସେପରି ଖାଇବେ”। କେରଳ ବିଜେପି ନେତା ଶ୍ରୀ ପ୍ରକାଶ କହିଥିଲେ ରାଜ୍ୟରେ ସେ ଉର୍ଣ୍ଣତ ମାନର ଗୋମାଂସ ଯୋଗାଇ ଦେବେ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଖ୍ରୀଷ୍ଟମାସ ସମୟରେ ଗୋମାଂସର ଅଭାବୀ ଦୂରୀକରଣ ପାଇଁ ଅନ୍ୟ ରାଜ୍ୟ ମାନଙ୍କରୁ ଗୋମାଂସ ଆମଦାନୀ କରି ଗୋମାଂସ ସଙ୍କଟ ଦୁର କରିବାର ପ୍ରତିସ୍ମୃତି ପାଳନ କରିଥିଲେ । ଏଠାରେ ଭାଜପା ସରକାର ର ଦୋମୁହାଁ ଗୋ-ରାଜନୀତି ସ୍ପଷ୍ଟ ଭାବେ ଜଣାପଡେ । ଏକ ପକ୍ଷ୍ୟରେ ଗୋସୁରକ୍ଷା ନାମରେ ଅଭିଯାନ ଆରମ୍ଭ କରିଥିବା ବେଳେ ଅନ୍ୟ ପକ୍ଷ୍ୟରେ ସେଇମାନେ ଗୋମାଂସ ଖାଇବାର ଦାବି ରଖୁଛନ୍ତି ।ଏହାକୁ ସମର୍ଥନ କରି ଗୋସୁରକ୍ଷା ସମିତି,ଗୋବାହିନୀ, ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଆଦି ସଙ୍ଗଠନ ମାନ ଗୋସୁରକ୍ଷା ନାମରେ ଅଧିକାଂଶ ହିଂସାକାଣ୍ଡ ସୃଷ୍ଟି କରୁଥିବାର ଖବର ଆସୁଛି।

*ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨